ସମ୍ବଲପୁରରେ ବରିଷ୍ଠଙ୍କ ଭିତରେ ହେବାକୁ ଯାଉଛି ବଡ ଲଢେଇ । ବିଜେପିର ଜୟନାରାୟଣଙ୍କୁ ଟକ୍କର ଦେବେ ବିଜେଡିର ପ୍ରଶନ୍ନ ଆଚାର୍ଯ୍ୟ

564

କନକ ବ୍ୟୁରୋ : ଗୁରୁବାର ବିଜେଡି ତରଫରୁ ୯ ବିଧାନସଭା ଓ ବାକିଥିବା ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ପ୍ରଶନ୍ନ ଆଚାର୍ଯ୍ୟ ବିଜେଡିର ଜଣେ ବରିଷ୍ଠ ନେତା । ସେ ବିଜେଡିରୁ ବିଧାୟକ ହୋଇଛନ୍ତି, ରାଜ୍ୟ ସରକାରରେ ବିଭିନ୍ନ ସମୟରେ ମନ୍ତ୍ରୀପଦ ସମ୍ଭାଳିଛନ୍ତି ଓ ଥରେ ରାଜ୍ୟସଭାକୁ ସାଂସଦ ହୋଇଯାଇଛନ୍ତି । ସେହିଭଳି ବିଜେପିର ଜୟନାରାୟଣ ମିଶ୍ର ଦଳର ଜଣେ ବରିଷ୍ଠ ନେତା ଓ ସମ୍ବଲପୁର ବିଧାନସଭା ଆସନରୁ ମଧ୍ୟ ପୂର୍ବରୁ ବିଧାୟକ ଥିଲେ । ଏହି ଦୁଇନେତାଙ୍କ ମଧ୍ୟରେ ଏବେ ବଡ ଲଢେଇ ହେବାକୁ ଯାଉଛି । ଯଦି ଆମେ ସମ୍ବଲପୁର ବିଧାନସଭା ଆସନର ପୂର୍ବସ୍ଥିତିକୁ ଦେଖିବା ତେବେ

୨୦୧୯ ବିଧାନସଭା ନିର୍ବାଚନରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ହେଲେ ବିଜେଡି ତାର କଳ ବଳ କୌଶଳ ସବୁ ଲଗାଇଥିଲେ ବି ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ ହୋଇଥିଲେ । ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ୫୨,୯୬୯ ଖଣ୍ଡ ଭୋଟ ମିଳିଥିବା ବେଳେ ଜୟନାରାୟଣ ମିଶ୍ରଙ୍କୁ ୫୭,୩୪୯ ଖଣ୍ଡ ଭୋଟ ମିଳିଥିଲା । ପାଖାପାଖି ୫ ହଜାର ଭୋଟରେ ପରାଜିତ ହୋଇଥିଲେ ବିଜେଡି ପ୍ରାର୍ଥୀ । ହେଲେ ଯଦି ୨୦୧୪ ବିଧାନସଭା ନିର୍ବାଚନକୁ ନଜର କରାଯିବ ତେବେ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ପାଖାପାଖି ୧୦ ହଜାର ଭୋଟରେ ପରାଜିତ କରିଥିଲେ । ରାସେଶ୍ୱରୀଙ୍କୁ ୪୮,୩୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ଜୟନାରାୟଣଙ୍କୁ ୩୮,୪୦୪ ଖଣ୍ଡ ଭୋଟ ମିଳିଥିଲା ।

ହେଲେ ଚଳିତ ନିର୍ବାଚନରେ ରାଜ୍ୟରେ ସବୁଠାରୁ ଗୁରୁତ୍ୱ ବହନ କରୁଛି ସମ୍ବଲପୁର ଲୋକସଭା ଆସନ । ଏଠାରୁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିରୋଧରେ ବିଜେଡି ଦଳର ସଂଗଠନ ମୁଖ୍ୟ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି । ଏହି ଆସନଟି ଏବେ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ସୃ୍ଷ୍ଟି କରିଛି । ଏହାକୁ ନଜର କଲେ ଉଭୟ ବିଜେପି ଓ ବିଜେଡି ସମ୍ବଲପୁର ଲୋକସଭା ଆସନ ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ଦଖଲ କରିବାକୁ ପ୍ରୟାସ କରିବ ।