ବୁର୍ଲାରେ ବିଗୁଡୁଛି କରୋନା ସ୍ଥିତି । ଶ୍ମଶାନ ପ୍ରସ୍ତୁତ କରୁଛି ସମ୍ବଲପୁର ପ୍ରଶାସନ । ଲୋକେ ଦେଖି ଛାନିଆ

565

କନକ ବ୍ୟୁରୋ : କୁଢ କୁଢ ଶବ । ମେଡିକାଲରୁ ଶ୍ମଶାନ ପର୍ଯ୍ୟନ୍ତ ଲମ୍ବା ଲାଇନ । କେଉଁଠି ଶବଦାହ ଚୁଲା ଜଳି ଜଳି ତରଳି ଯାଉଛି । ଏଭଳି ସ୍ଥିତି ଉପୁଜାଇଛି କିଲର କରୋନା ଭୂତାଣୁ । ଦିଲ୍ଲୀ, ଗୁଜୁରାଟ ଓ ବାରଣାସୀର ଏଭଳି ଚିତ୍ର ଦେଖି ଓଡିଶାରେ ବି ଚାଲିଲାଣି ଶ୍ମଶାନ ପ୍ରସ୍ତୁତି । ବିଶେଷ କରି କରୋନା ମହାମାରୀର ଦ୍ୱିତୀୟ ଲହରରେ ବିଶେଷ ପ୍ରଭାବିତ ହୋଇଛି ପଶ୍ଚିମ ଓଡିଶା । ଆଗକୁ ଯେଭଳି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ନପଡିବ ତାହାକୁ ନଜରରେ ରଖି ସମ୍ବଲପୁର ପ୍ରଶାସନ ଶ୍ମଶାନ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି ।  ବୁର୍ଲାରେ ଥିବା ରାଜଘାଟ, ମଶାଣିପଦା ଓ ଶାନ୍ତିନଗରରେ ଶବଦାହ କେନ୍ଦ୍ରକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତ କରାଯାଉଛି ।

ଶ୍ମଶାନ ପ୍ରସ୍ତୁତ କରୁଛି ସମ୍ବଲପୁର ମହାନଗର ନିଗମ । ସମ୍ବଲପୁର ବୁର୍ଲାରେ କୋଭିଡ ସ୍ଥିତି ବିଗିଡି ଯାଉଛି । ରୋଗୀଙ୍କ ମୃତ୍ୟୁ ପରେ ସକ୍ରାର ପାଇଁ ସଂପର୍କୀୟଙ୍କୁ ଅପେକ୍ଷା କରିବାକୁ ପଡୁଛି । ବୁର୍ଲାରେ ପ୍ରତ୍ୟେକ ଦିନ ପ୍ରାୟ  ୫ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହେଉଛି । ଶବ ସତ୍କାର କରିବା ପାଇଁ ଅପେକ୍ଷା କରିବାକୁ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅତିରିକ୍ତ ମଶାଣି ପ୍ରସ୍ତୁତ କରୁଛି । ସମ୍ବଲପୁର ରାଜଘାଟରେ ଅତିରିକ୍ତ ଶବଦାହ ପିଣ୍ଡି, ବୁର୍ଲାରେ ଅତିରିକ୍ତ ମଶାଣିପଦା ଓ ସମ୍ବଲପୁର ଶାନ୍ତିନଗରରେ ଥିବା ଶବଦାହ କେନ୍ଦ୍ରକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତ କରାଯାଉଛି । ସମ୍ବଲପୁର ପ୍ରଶାସନର ଏଭଳି ପ୍ରସ୍ତୁତିକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ବଢୁଛି । ଆଗକୁ କିଭଳି ସ୍ଥିତି ଉପୁଜିବ ତାକୁ ନେଇ ଚିନ୍ତା ବଢୁଛି ।

କହିରଖୁ କି କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ପାର କରିଛି । ଏହାସହ ମୃତ୍ୟୁସଂଖ୍ୟା ବି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।