କନକ ବ୍ୟୁରୋ: ସମ୍ବାଦ ଓ କନକ ନ୍ୟୁଜର ଏଗଜିଟ୍ ପୋଲ ଆକଳନ ନେଇ ସାରା ଓଡିଶାରେ ଆଲୋଚନା ସରଗରମ ଚାଲିଛି । ରାଜ୍ୟରେ ବିଜେଡି ଏବଂ କେନ୍ଦ୍ରରେ ବିଜେପି ପାଇଁ ଅଲଗା ଅଲଗା ଭୋଟ୍ ପଡିଛି ବୋଲି, ଏକଜିଟ୍ ପୋଲ ଦର୍ଶାଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି, ଓଡିଶାରେ ଏହି ଟ୍ରେଣ୍ଡ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି ।
୨୦୧୯ରେ ରାଜ୍ୟ ରାଜନୀତି ଦେଖିବ ନୂଆ ଟ୍ରେଣ୍ଡ! ବିଧାନସଭା ଓ ଲୋକସଭା ପାଇଁ ହୋଇଛି ଅଲଗା ଭୋଟିଂ? ସମ୍ବାଦ-କନକ ନ୍ୟୁଜ ଏକଜିଟ ପୋଲ ରିପୋର୍ଟରେ ଯେଉଁ ତଥ୍ୟ ଆସିଛି, ତାହା ରାଜ୍ୟ ରାଜନୀତିର ହୃତକମ୍ପ ବଢାଇ ଦେଇଛି । ଅତୀତରେ ଯାହା ଗୋଟିଏ ଦୁଇଟି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଥିଲା ଏବେ ତାହା ପୁରା ରାଜ୍ୟରେ ଦେଖିବାକୁ ମିଳିପାରେ ବୋଲି ବୁଥ ବାହୁଡା ମତରୁ ଜଣାପଡିଛି । ଅର୍ଥାତ୍ ଲୋକସଭା ପାଇଁ ଲୋକ ବିଜେପିକୁ ଭୋଟ ଦେଇଥିବା ବେଳେ ବିଧାନସଭା ପାଇଁ ବିଜେଡିକୁ ଭୋଟ ଦେଇଥିବା ପୂର୍ବାନୁମାନ ହୋଇଛି ।
୨୦୧୪ରେ ହୋଇଥିବା ସ୍ପ୍ଲିଟ ଭୋଟିଂର କିଛି ତଥ୍ୟ ଉପରେ ଯଦି ନଜର ପକାଯାଏଁ ତେବେ ସୁନ୍ଦରଗଡରୁ ଜୁଏଲ ଓରାମ ବିଜେପିର ଏକମାତ୍ର ଲୋକସଭା ପ୍ରାର୍ଥୀ ଭାବେ ଜିତିଥିବା ବେଳେ ଏହା ଅଧୀନସ୍ଥ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକ ମଧ୍ୟରୁ କେବଳ ରାଉରକେଲାରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଖାଲି ଏତିକି ନୁହେଁ, ତଳସରା, ସୁନ୍ଦରଗଡରେ କଂଗ୍ରେସ ପ୍ରାର୍ଥୀ ଜିତିଥିବା ବେଳେ ବଣାଇରୁ ଜିତିଥିଲେ ସିପିଏମ ପ୍ରାର୍ଥୀ । ହେଲେ ଜୁଏଲ କିନ୍ତୁ ବିଜେପି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଅର୍ଥାତ୍ ଏଠି ହୋଇଥିଲା ସ୍ପ୍ଲିଟ ଭୋଟିଂ ।
ସେହିଭଳି ୨୦୧୪ରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କୁ ନିର୍ବାଚିତ କରିଥିବା ବେଳେ ସାଂସଦ ପାଇଁ ହୋଇଥିବା ଭୋଟରେ ଯଥେଷ୍ଟ ଅଧିକ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ ସୁବାସ ଚୈାହ୍ୱାନ । ଏପରିକି କଂଗ୍ରେସ ପ୍ରାର୍ଥୀ ଏଠି ତୃତୀୟ ସ୍ଥାନରେ ଥିଲେ ।
ସମ୍ବଲପୁରରେ ମଧ୍ୟ ବିଧାନସଭା ଓ ଲୋକସଭା ପାଇଁ ଅଲଗା ମତଦାନ ଦେଖିବାକୁ ମିଳିଥିଲା । ଭୋଟର ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭୋଟ ଦେଇ ନିର୍ବାଚିତ କରାଇଥିବା ବେଳେ ଲୋକସଭା ପାଇଁ ହୋଇଥିବା ମତଦାନରେ କିନ୍ତୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ଅଧିକ ଭୋଟ ଦେଇଥିଲେ । ଅର୍ଥାତ୍ ଏଠି ମଧ୍ୟ ରାଜ୍ୟ ପାଇଁ ବିଜେଡି ଆଉ ଦେଶ ପାଇଁ ବିଜେପିର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା ।
କେବଳ ୨୦୧୪ ନୁହେଁ ଦୀର୍ଘ ଦଶନ୍ଧି ତଳେ ଅର୍ଥାତ୍ ୧୯୭୧ରେ ମଧ୍ୟ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା, ଯେତେବେଳେ ସାଂସଦ ପାଇଁ ଲୋକ କଂଗ୍ରେସକୁ ଭୋଟ ଦେଇଥିବା ବେଳେ ବିଧାନସଭାରେ କିନ୍ତୁ ଏହା ପ୍ରତିଫଳିତ ହୋଇନଥିଲା । ଏବେ ନଜର ୨୦୧୯ରେ କିଛି ନିର୍ଦ୍ଧିଷ୍ଟ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ତରିକା ଦେଖିବାକୁ ମିଳୁଛି ନା ଏକଜିଟ ପୋଲରେ ଆସିଥିବା ଭୋଟ ପ୍ରତିଶତର ଚିତ୍ର ସାରା ରାଜ୍ୟରେ ବାସ୍ତବତାର ରୂପ ନେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/PHOTO-2-1.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-21-19h42m08s386-300x220.png)
/kanak/media/post_attachments/wp-content/uploads/2019/05/vlcsnap-2019-05-21-19h31m25s452-300x220.png)
/kanak/media/post_attachments/wp-content/uploads/2019/05/vlcsnap-2019-05-21-19h31m33s320-300x220.png)