ଚଉଦରେ ନିର୍ବାଚିତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ଖାଲି ହୋଇଥିବା ବିଜେପୁର ବିଧାନସଭା ଆସନରେ ଉପ-ନିର୍ବାଚନ ତାରିଖ ଘୋଷଣା ଆଗରୁ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ସମ୍ବାଦ-କନକ ନ୍ୟୁଜ ପକ୍ଷରୁ କରାଯାଇଥିଲା ଜନମତ ସର୍ଭେ । ପ୍ରାୟ ୨ ଲକ୍ଷ ୧୯ ହଜାର ମତଦାତା ବିଶିଷ୍ଟ ବରଗଡ଼ ଜିଲ୍ଲାର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଭୋଟରଙ୍କ ମନ ଜିଣିବା ଲାଗି ଆରମ୍ଭ ହୋଇଗଲାଣି ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କ ମଧ୍ୟରେ ଛକାପଞ୍ଝା। ତିନି ପ୍ରମୁଖ ରାଜନୈତିକ ଶକ୍ତି ରାଜ୍ୟରେ କ୍ଷମତାସୀନ ବିଜେଡି, କେନ୍ଦ୍ରରେ କ୍ଷମତାସୀନ ତଥା ରାଜ୍ୟରେ କ୍ଷମତା ହାସଲ ଲାଗି ବ୍ୟଗ୍ର ବିଜେପି ଏବଂ ୨୦୦୪ରୁ ଲଗାତାର ଏହି ଆସନରୁ ବିଜୟୀ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଇଁ ବିଜେପୁର ଆସନ ଏକ ମର୍ୟ୍ୟାଦାର ପ୍ରଶ୍ନ।

Advertisment

publive-image

ସ୍ୱର୍ଗତ କଂଗ୍ରେସ ବିଧାୟକଙ୍କ ବିଧବା ପତ୍ନୀ ରୀତା ସାହୁ ବହୁସଂଖ୍ୟକ ସୁବଳ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ଶାସକ ଦଳର ଟିକଟ ଆଶାୟୀ ୨୦୦୦ରେ ବିଧାନସଭାକୁ ନିର୍ବାଚିତ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେଡି ପକ୍ଷରୁ ଶ୍ରୀମତୀ ସାହୁଙ୍କୁ ଦଳୀୟ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରାଯାଇ ସାରିଛି। ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ପାଣିଗ୍ରାହୀଙ୍କୁ ବିଜେପିର ପ୍ରାର୍ଥୀ କରାଯିବ ବୋଲି ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ତେବେ ବିଜେପୁର ଭୋଟର ଏ ଦଳ ବଦଳକୁ କେମିତି ଦେଖୁଛନ୍ତି? ‘ସମ୍ବାଦ’-‘କନକ ନ୍ୟୁଜ୍’ ଜନମତ ସର୍ଭେ ଅନୁଯାୟୀ, ୪୧ ପ୍ରତିଶତ ମତଦାତାଙ୍କ ନଜରରେ ଏହା ସୁବିଧାବାଦୀ। ଅନ୍ୟପକ୍ଷରେ ୨୩ ପ୍ରତିଶତଙ୍କ ମତରେ ‘ରାଜନୀତିରେ ଚଳେ’ ଏବଂ ୬ ପ୍ରତିଶତଙ୍କ ବିଚାରରେ ଏ ଦଳବଦଳ ରାଜନୈତିକ ବାଧ୍ୟବାଧକତା। ଅବଶ୍ୟ ୩୦ ପ୍ରତିଶତ ମତଦାତା ଏହା ଉପରେ କୌଣସି ମତ ରଖି ନାହାନ୍ତି। ନିର୍ବାଚନ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ୬୭ ପ୍ରତିଶତ ମତ ଦେଇଥିବା ବେଳେ ୨୫ ପ୍ରତିଶତଙ୍କ ମତରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

publive-image
ଟଙ୍କାର ପ୍ରଭାବ
ଭାରତୀୟ ରାଜନୀତିରେ, ବିଶେଷକରି ନିର୍ବାଚନରେ ଅର୍ଥବଳର ପ୍ରଭାବ ବୃଦ୍ଧି ନେଇ ଚର୍ଚ୍ଚା ପରିପ୍ରେକ୍ଷୀରେ ‘ସମ୍ବାଦ’-‘କନକ ନ୍ୟୁଜ୍’ ଜନମତ ସର୍ଭେରେ ବିଜେପୁର ଭୋଟରଙ୍କୁ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା। ଉପ-ନିର୍ବାଚନରେ ଟଙ୍କାର ପ୍ରଭାବ ପଡ଼ିବ କି? ଏହାର ଉତ୍ତରରେ ୬୬ ପ୍ରତିଶତ ମତଦାତା କହୁଛନ୍ତି ଯେ ଟଙ୍କାର ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ୨୪ ପ୍ରତିଶତ ଭୋଟରଙ୍କ ମତରେ ନିର୍ବାଚନ ଉପରେ ଟଙ୍କାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏ ସମ୍ପର୍କରେ ୧୦ ପ୍ରତିଶତ ମତଦାତାଙ୍କ କୌଣସି ମତ ନାହିଁ। ତେବେ ବହୁ ଲୋକ ମତ ରଖିଛନ୍ତି, ଉପ-ନିର୍ବାଚନରେ ଟଙ୍କାର ଯଥେଷ୍ଟ ପ୍ରଭାବ ଦେଖିବାକୁ ମିଳିବ । ଏହା ମଧ୍ୟ ବେଶ ସହଜରେ ଅନୁମାନ କରାଯାଇପାରେ । କାରଣ ଏହି ନିର୍ବାଚନରେ ବାଜିମାତ କରିବାକୁ ପ୍ରତି ରାଜନୈତିକ ଦଳ ବେଶ ଉଦ୍ୟମ କରିବେ । ବିକାଶ ପାଇଁ ଯେଉଁଠି ଲୋକ ଗୁରୁତ୍ୱ ଦେଉଛନ୍ତି, ଠିକ ସେହି ସ୍ଥାନରେ ମଧ୍ୟ ଲୋକଙ୍କ ମନରେ ସନ୍ଦେହ ରହିଛି ଯେ, ନେତାମାନେ ନିର୍ବାଚନ ଜିତିବାକୁ ଟଙ୍କାର ବହୁଳ ବ୍ୟବହାର କରିପାରନ୍ତି । ଯାହା ଗଣତନ୍ତ୍ର ପାଇଁ ଆଦୈା ଶୁଭଙ୍କର ନୁହେଁ ।