ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ । ଢେଙ୍କାନାଳରେ ଲୋକସଭା କ୍ଷେତ୍ରରେ ବିଜେଡିକୁ ମାତ୍ ଦେଇ ବାଜି ମାରିପାରେ ବିଜେପି?

445

କନକ ବ୍ୟୁରୋ: ଶେଷ ହେଲା ୧୯ ମହାଯୁଦ୍ଧ । ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍ । ଆଉ ଭୋଟରଙ୍କ ମୁଡ୍ କହୁଛି ଏଥର ଢେଙ୍କାନାଳ ଲୋକସଭା ଆସନରେ ବଦଳିପାରେ ରାଜନୈତିକ ସମୀକରଣ । ଆଉ ବାଜିମାରି ନେଇପାରେ ବିଜେପି । ୨୦୦୪ରୁ ବିଜେଡି ଗଡ ବୋଲାଉଥିବା ଏହି ସଂସଦୀୟ କ୍ଷେତ୍ରରେ ପ୍ରଥମଥର ପାଇଁ ବିଜେପି ପଦ୍ମ ଫୁଟାଇପାରେ ବୋଲି ଏକଜିଟ୍ ପୋଲ ରିପୋର୍ଟରୁ ଅନୁମାନ କରାଯାଉଛି ।

ଅନ୍ୟପଟେ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍ କରିପାରେ । ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୬ଟି ଆସନକୁ ନିଜ ଦଖଲକୁ ନେଇପାରେ ବୋଲି ସମ୍ଭାବନା ରହିଛି । ସେହିଭଳି ଗୋଟିଏ ସିଟ୍ ରେ କଡ଼ା ମୁକାବିଲା ହୋଇପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।

ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଢେଙ୍କାନାଳ ବିଧାନସଭା ଆସନକୁ ପୁଣି ନିଜ ଦଖଲକୁ ନେଇପାରେ ବିଜେଡି । ଗତ ୪ଟି ନିର୍ବାଚନରେ ପ୍ରତି ଦଳକୁ ସୁଯୋଗ ଦେଇଥିବା ଢେଙ୍କାନାଳବାସୀ ଏଥର କିନ୍ତୁ ପୁଣି ବିଜେଡିକୁ ଭରସି ବିଜୟ ଟୀକା ପିନ୍ଧାଇ ପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି ।

ଅନ୍ୟପଟେ ବିଜେଡି ଜନ୍ମ ନେବା ପରଠାରୁ ହିନ୍ଦୋଳ ଆସନକୁ ଅଭେଦ୍ୟ ଦୁର୍ଗ କରି ରଖିଥିବାବେଳେ ଏଥର ମଧ୍ୟ ସେହି ଅଙ୍କ ରିପିଟ୍ କରିପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । ଆଉ ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୫ ଥର ପାଇଁ ନିଜର ଆଧିପତ୍ୟ ବିସ୍ତାର କରିପାରେ ବିଜେପି ବୋଲି ବୁଥ୍ ବାହୁଡ଼ା ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି ।

ସେହିପରି ଦୀର୍ଘ ଦୁଇ ଦଶନ୍ଧି ଧରି ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା କାମାକ୍ଷାନଗର ଆସନର ଶିରିକୁ ପୁଣି ବଜାୟ ରଖିପାରେ ବିଜେଡି । ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଗତ ୨ ଦଶନ୍ଧିର ଫଳାଫଳକୁ ପୁଣି ରିପିଟ୍ କରିପାରନ୍ତି ଢେଙ୍କାନାଳବାସୀ ବୋଲି ପୂର୍ବାନୁମାନ କରାଯାଉଛି ।

ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ଏହି ବୁଥ୍ ବାହୁଡ଼ା ମତ ଅନୁସାରେ, ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ପର୍ଜଙ୍ଗ ବିଧାନସଭା ଆସନରେ ବିଜୟ ବାନା ଉଡ଼ାଇ ଆସିଥିବା ବିଜେଡି ଏଥର ମଧ୍ୟ ନିଜର ଦବଦବା ଜାହିର କରିପାରେ । ଆଉ ବିଜେପି ଓ କଂଗ୍ରେସକୁ ପୂର୍ବଭଳି ପର୍ଜଙ୍ଗବାସୀ ପ୍ରତ୍ୟାଖାନ କରିପାରନ୍ତି ବୋଲି ରିପୋର୍ଟରୁ ଆଶଙ୍କା କରାଯାଉଛି ।
ସେହିଭଳି ବିଗତ ନିର୍ବାଚନ ଗୁଡ଼ିକରେ ବିଜେଡିକୁ ଭରସିଥିବା ପାଳଲହଡ଼ାବାସୀ ଏଥର ପୁଣି ବିଜେଡି ହାତରେ କ୍ଷମତା ଡ଼ୋରୀ ଦେଇପାରନ୍ତି ବୋଲି ସର୍ଭେ ରିପୋର୍ଟ କହୁଛି । ଆଉ ପୁର୍ନବାର ନିରାଶ ହୋଇପାରନ୍ତ ଉଭୟ ବିଜେପି ଓ କଂଗ୍ରେସ ବୋଲି ଏକଜିଟ୍ ପୋଲ୍ ସର୍ଭେ ରିପୋର୍ଟରୁ ଅନୁମାନ କରାଯାଉଛି ।

ଅପରପକ୍ଷେ ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ଏହି ବୁଥ୍ ବାହୁଡ଼ା ମତ ଅନୁସାରେ, ତାଳଚେର ବିଧାନସଭା କ୍ଷେତ୍ରରେ ଲଗାତାର ତୃତୀୟ ବିଜୟ ହାସଲ କରିପାରେ ବିଜେଡି । ଆଉ ବିଗତ ଦୁଇଟି ନିର୍ବାଚନରେ ନିରାଶ ହୋଇଥିବା ବିଜେପି ଓ କଂଗ୍ରେସ ଦଳ ପୁଣି ଥରେ ନିରାଶ ହୋଇପାରନ୍ତି ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ଅନୁମାନ କରାଯାଉଛି ।

ସେପଟେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଥିବା ଅନୁଗୁଳ ବିଧାନସଭା ଆସନରେ କେବଳ କଡ଼ା ମୁକାବିଲା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ଗତ ୪ଟି ନିର୍ବାଚନରେ ବିଜୟ ବାନା ଉଡ଼ାଇ ଆସିଥିବା ବିଜେଡି ପାଇଁ ଏଥର ବିଜୟ ଏଠାରେ ସହଜ ହୋଇନପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।