କନକ ବ୍ୟୁରୋ: ଜ୍ଞାନ ଆହରଣ ଜୀବନର ମୂଳ ଲକ୍ଷ୍ୟ ହେବା ଉଚିତ । କେବଳ ପାଠପଢ଼ାରେ ସୀମିତ ନ ରହି ବିଭିନ୍ନ ଦିଗରେ ଦକ୍ଷତା ହାସଲ କରିବା ପାଇଁ ଛାତ୍ରଛାତ୍ରୀ ଆଗ୍ରହୀ ହୁଅନ୍ତୁ । ଉତ୍କୃଷ୍ଟ ଶିକ୍ଷା ଦ୍ବାରା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇପାରିବ । ଅଧିକ ମାର୍କ ପାଇବା ପାଇଁ ଛାତ୍ରଛାତ୍ରୀ ଚାପଗ୍ରସ୍ତ ହେଉଛନ୍ତି । ଯୁବପିଢ଼ି ବିଶେଷ କରି କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି । ଏଥିଲାଗି ସାମାଜିକ, ଆଧ୍ୟାତ୍ମିକ, ମାନସିକ, ଶାରୀରିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀ ସର୍ବୋପରି ଅଭିଭାବକମାନେ ଧ୍ୟାନ ଦେବା ଜରୁରି । ‘ସମ୍ବାଦ ଡିଜିଟା‌ଲ’ ପକ୍ଷରୁ ସିବିଏସ୍‌ଇ ଓ ଆଇସିଏସ୍‌ଇ ଦଶମ, ଦ୍ବାଦଶ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ‘ଅଗ୍ରୟୋଧି ସମ୍ମାନ-୨୦୨୫’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶି‌ଷ୍ଟ ଚିକିତ୍ସକ ପଦ୍ମଶ୍ରୀ ଡା.ଅଶୋକ ମହାପାତ୍ର ଏହା କହିଛନ୍ତି ।

Advertisment

ମୁଖ୍ୟବକ୍ତା ଏମ୍‌ଜିଏମ୍‌ ଗ୍ରିନ୍‌ର ପରିଚାଳନା ନିର୍ଦ୍ଦେଶକ ଇଂ. ରାଜୀବ ଲୋଚନ ମହାନ୍ତି କହିଲେ, ଶିକ୍ଷାରେ ମନୋନିବେଶ ଦ୍ବାରା ଭବି‌ଷ୍ୟତ ଉଜ୍ଜ୍ବଳମୟ ହୋଇଥାଏ । ମେଧାବୀ ଛାତ୍ରଛାତ୍ରୀମାନେ ସମାଜର ସମ୍ପଦ । ସେମାନଙ୍କର ସୁରକ୍ଷା ଓ ଅଭିବୃଦ୍ଧି ଦେଶକୁ ପ୍ରଗତି ପଥରେ ଆଗେଇ ନେଇଥାଏ । ଭବିଷ୍ୟତ‌ରେ ଏହି ଯୋଦ୍ଧାମାନେ ଶିକ୍ଷାକୁ ଆୟୁଧ କରି ସୁସ୍ଥ ଓ ଶିକ୍ଷିତ ସମାଜ ଗଠନରେ ସହାୟକ ହେବେ ବୋଲି ରାଜୀବ ଲୋଚନ ମହାନ୍ତି ମତ ଦେଇଥିଲେ । ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ବର୍ତ୍ତମାନ ସମୟରେ ବୃତ୍ତିଚୟନ ଏକ ଆହ୍ବାନ ଭାବେ ଉଭା ହୋଇଛି । ଆମର ବୃତ୍ତି ଆମର ଭବିଷ୍ୟତକୁ ନିର୍ଣ୍ଣୟ କରିଥାଏ । ଏଣୁ ଆମର ପ୍ରବୃତ୍ତିକୁ ଦୃଷ୍ଟିରେ ରଖି ବୃତ୍ତି ଚୟନ କରିବାକୁ ହେବ । ଅଭିଭାବକଙ୍କ ସମର୍ଥନ ମିଳିଲେ ଛାତ୍ରଛାତ୍ରୀ ଜୀବନରେ ନିଶ୍ଚୟ ସଫଳତା ହାସଲ କରିବେ । ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ରାଜଯୋଟକ ପଡ଼ିଲେ ପିଲାମାନେ ଜଗତଜିତା ହେବେ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ମତ ଦେଇଥିଲେ । ସୌମ୍ୟ ପଟ୍ଟନାୟକ ଆହୁରି କହିଛନ୍ତି, ମା’, ମାଟି, ମାତୃଭାଷାକୁ ସମ୍ମାନ ଦେବା ସହିତ ମୋବାଇଲ୍‌ ଉପରେ ନିୟନ୍ତ୍ରଣ ଏବଂ ମଦମୁକ୍ତ ଓଡ଼ିଶା ଗଠନରେ ଛାତ୍ରଛାତ୍ରୀଙ୍କୁ ଦୃଷ୍ଟି ଦେବାକୁ ହେବ । ଏଥିସହ ନିରୋଗ ରହିବା, ନିରାଡ଼ମ୍ବର ଜୀବନଯାପନ, ନିରହଙ୍କାର ମନୋଭାବ, ନିଡର ରହିବା ଏବଂ ନିଶାମୁକ୍ତ ସମାଜ ପ୍ରତି ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ ଯୋଗଦେଇ କହିଛନ୍ତି, ଏହି ମେଧାବୀ ଛାତ୍ରଛାତ୍ରୀମାନେ ନିଜର ଉଦ୍ୟମ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଏହି ପ୍ରତିଭାମାନଙ୍କ ଦ୍ବାରା ଓଡ଼ିଶା ବିକଶିତ ହୋଇପାରିବ । ଏଣୁ ଯୁବପ୍ରତିଭା ଉଦ୍ୟୋଗୀ ହେବାକୁ ସ୍ବପ୍ନ ଦେଖିବା ଜରୁରି । ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲାଗି ଇନ୍ଧନ ଭଳି କାମ କରିବ ବୋଲି ଅଜୟ ବାହାଦୁର ମତ ଦେଇଥିଲେ । ଏମ୍‌ଜିଏମ୍‌ ଓ ଆକାଶ ଗ୍ରୁପ୍‌ର ମିଳିତ ଉଦ୍ୟମରେ ଆର୍ଥିକ ଦୁର୍ବଳ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ ପଢ଼ିବାର ସୁବିଧା ପାଇଁ ୧୦ଲକ୍ଷ ଟଙ୍କାର ମେଧାବୃତ୍ତି ଘୋଷଣା କରାଯାଇଥିଲା । ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ତରଫରୁ ବିକାଶ ଦାସ ଏହାକୁ ସଂଯୋଜନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି କ୍ରିଷ୍ଣା ବିକାଶ ଗ୍ରୁପ୍‌ ଅଫ୍‌ ସ୍କୁଲର ଅଧ୍ୟକ୍ଷ ଦସାରୀ ମୁରଲୀକ୍ରିଷ୍ଣା କହି‌ଲେ, ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିବା ଆବଶ୍ୟକ । ସମାଜ ପ୍ରତି ନିଜର କର୍ତ୍ତବ୍ୟକୁ ସମ୍ମାନ ଦେବା ସହିତ ସମାଜ ପାଇଁ କିଛି କରିବାକୁ ଯୁବବର୍ଗଙ୍କ ମଧ୍ୟରେ ଜିଦ୍‌ ରହିବା ଉଚିତ । ଏଥିପାଇଁ ଆତ୍ମ ସଚେତନତା ଜରୁରି । କାରଣ ଶିକ୍ଷା ହିଁ ଏକ ମାତ୍ର ବିକଳ୍ପ ବୋଲି ସେ ମତ ଦେଇଥିଲେ ।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ଡ.ମୋନିକା ନୈୟର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଲେ, ଜୀବନରେ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ । ନିଜର ଭବିଷ୍ୟତକୁ ନିଜକୁ ହିଁ ନିର୍ମାଣ କରିବାକୁ ହେବ । ସଫଳତାର ସିଡ଼ି ଚଢ଼ିବାକୁ ହେଲେ ଆସୁଥିବା ଆହ୍ବାନକୁ ଏକନି‌‌ଷ୍ଠ ହୋଇ ମୁକାବିଲା କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ୪୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ମେଡାଲ୍‌ ପ୍ରଦାନ କରାଯାଇଥିଲା । ଶୀର୍ଷ ୨୦ରେ ରହିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ନିଷ୍ଟ ବ୍ରହ୍ମପୁର ପକ୍ଷରୁ ଡ. ପ୍ରୀତିରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବକୁ ଡିଜିଏମ୍‌ (ମାର୍କେଟିଂ) ସୁଶାନ୍ତ କୁମାର ମହାପାତ୍ର ପରିଚାଳନା କରିଥିଲେ । ‘ସମ୍ବାଦ’ ଡିଜିଟାଲର ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।