ଆରମ୍ଭ ହେଲା ‘ସମ୍ବାଦ ଡିଜିଟାଲ’ର ଉନ୍ମୋଚନ ସମାରୋହ । ଭିଡିଓ ବାର୍ତ୍ତା ଯୋଗେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂପିନ୍ଦର ଯାଦବ ଉପସ୍ଥିତ ।

145

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ, ଓଡ଼ିଶାର ବୃହତ୍ତମ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ ‘ସମ୍ବାଦ ଡିଜିଟାଲ’ର ଭର୍ଚୁଆଲ ଉନ୍ମୋଚନ ସମାରୋହ ଆରମ୍ଭ ହୋଇଛି । ଏହି ଭର୍ଚୁଆଲ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭିଡିଓ ବାର୍ତ୍ତା ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଏଥିରେ ଯୋଗ ଦେଇ ସମ୍ବାଦ ଡିଜିଟାଲକୁ ନିଜର ଶୁଭେଚ୍ଛା ଜଣାଇଛନ୍ତି । ତତସହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରମେଣ୍ଟର ମହାନିର୍ଦ୍ଦେଶିକା ସୁନୀତା ନାରାୟଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ସମ୍ବାଦ ଗ୍ରୁପ ପକ୍ଷରୁ ପୁନଶ୍ଚ ପୃଥିବୀ ନାମକ ଅଭିଯାନ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ମଣିଷ ସମାଜ ପ୍ରତି ବିପଦ ସୃଷ୍ଟି କରିଥିବା ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରାଯାଇଛି । ସମ୍ବାଦ ଗ୍ରୁପ ନିଜର ସମସ୍ତ ମଲଟିମିଡିଆ ପ୍ଲାଟଫର୍ମର ବ୍ୟବହାର କରି ଏସବୁ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବ । ଜଣାଶୁଣା ପରିବେଶବିତମାନଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ପ୍ୟାନେଲ ମାଧ୍ୟମରେ ଏସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । ଅନ୍ୟପକ୍ଷରେ ସାରା ବିଶ୍ୱରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରିବାକୁ ସମ୍ବାଦ ଇ-ପେପରରେ ଏକ ସ୍ୱତନ୍ତ୍ର ସ୍ଥାନ ରହିବ ।

ଏହି ସମାରୋହ ମାଧ୍ୟମରେ ସମ୍ବାଦ ଗ୍ରୁପ ନିଜର ବିଭିନ୍ନ ଡିଜିଟାଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ – ସମ୍ବାଦ ଡଟ୍ ଇନ, କନକ ନ୍ୟୁଜ, ମଂଜରୀ ଟିଭି, ରେଡିଓ ଚୋକୋଲେଟ୍ ଆଦିର ସଫଳତାକୁ ପାଳନ କରାଯାଉଛି । ସୂଚନାଯୋଗ୍ୟ ସମ୍ବାଦର ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ସମ୍ମିଳିତ ଏନଗେଜମେଣ୍ଟ ସଂଖ୍ୟା ୧୦୦ ନିୟୁତ ଟପିଯାଇଛି । ଏହା ସମ୍ବାଦ ଡିଜିଟାଲର ବଢିଚାଲିଥିବା ଲୋକପ୍ରିୟତାକୁ ଦର୍ଶାଉଛି ।