କନକ ବ୍ୟୁରୋ :  ଆତ୍ମନିୟନ୍ତ୍ରଣ ଓ ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି ବୋଲି ଶନିବାର ‘ସମ୍ବାଦ ଡିଜିଟାଲ୍’ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ ରିଭର୍‌ ଇନ୍‌ ରିସୋର୍ଟରେ ଅନୁଷ୍ଠିତ ‘ଅଗ୍ରଯୋଦ୍ଧୀ-୨୦୨୪’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ସମ୍ବାଦ ସମ୍ବଲପୁର ସଂସ୍କରଣର ଉପ ମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ପାଢ଼ୀ କହିଲେ, ଛାତ୍ରାବସ୍ଥାରେ ସଫଳତାର ସୋପାନ ଚଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ। ତେବେ, ଆଜିକାଲି ମୋବାଇଲ ଫୋନର ଦୁରୁପଯୋଗ ସହିତ ନିଶାସେବନ ସେମାନଙ୍କୁ ବିପଥଗାମୀ କରୁଛି। ନିଜ ଉପରେ ନିୟନ୍ତ୍ରଣ ରଖିପାରିଲେ ଆଗକୁ ବଢ଼ିବାର ପଥ ସୁଗମ ହୋଇଯିବ। ବ୍ରହ୍ମଚର୍ଯ୍ୟ ପାଳନ ସଫଳତା ପ୍ରାପ୍ତିରେ ସହାୟକ ହୋଇଥାଏ। ସୁନ୍ଦର ମଣିଷଟିଏ ହେବା ପାଇଁ ସୁନ୍ଦର ଚେ‌ହେରା ଦରକାର ନୁହେଁ, ହୃଦୟ ସୁନ୍ଦର ହେବା ଆବଶ୍ୟକ। ପ୍ରଫେସର ପାଢ଼ୀ ଛାତ୍ରଛାତ୍ରୀମାନଙ୍କୁ କଠିନ ବିଷୟଗୁଡ଼ିକ ପାହାନ୍ତିଆ ପଢ଼ା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଘୋଷାପାଠ ମାଧ୍ୟମରେ ଡିଗ୍ରି ମିଳିବ। ତେବେ, ଆଗକୁ ବଢ଼ିବାକୁ ହେଲେ ବ୍ୟାବହାରିକ ଜ୍ଞାନର ଅଧିକ ଆବଶ୍ୟକତା ରହିଛି ବୋଲି ପ୍ରଫେସର ପାଢ଼ୀ କହିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବୁର୍ଲା ଭିମସାରର ନିର୍ଦ୍ଦେଶକ ପ୍ରଫେସର୍‌ ଭାବଗ୍ରାହୀ ରଥ କହିଲେ, ଅନ୍ୟକୁ ଖୁସି ରଖିବାରେ ଯେଉଁ ଆନନ୍ଦ ଅଛି, ତାହା ଅନ୍ୟ କେଉଁଠି ମିଳେ ନାହିଁ। ଛାତ୍ରଛାତ୍ରୀମାନେ ସହପାଠୀଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା ନକରି ନିଜ ସହିତ ପ୍ରତିଦ୍ୱନ୍ଦ୍ୱିତା କଲେ ପ୍ରତିଯୋଗିତା ହିଁ ରହିବ ନାହିଁ। ପ୍ରତିଯୋଗିତା ନ ରହିଲେ ଚିନ୍ତାଗ୍ରସ୍ତ ହେବେ ନାହିଁ। ଫଳସ୍ବରୂପ ବହୁତ ଭଲ ଛାତ୍ର, ବହୁତ ଭଲ ବ୍ୟକ୍ତିବିଶେଷ ହୋଇପାରିବେ। ବାସ୍ତବତାକୁ ଗ୍ରହଣ କରି ଚିନ୍ତାଗ୍ରସ୍ତ ନହେବାକୁ ପ୍ରଫେସର ରଥ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ସମସ୍ୟା ହେଉଛି ଏକ ସମାଧାନ। ତେଣୁ, ତାକୁ ସାମ୍ନା କରି ଆଗକୁ ବଢ଼ିବା ଉଚିତ। ସେ ଆହୁରି କହିଥିଲେ, ଆମେ ସବୁ ଏହି ପୃଥିବୀରେ ଅଳ୍ପ ଦିନର ଅତିଥି। ଆମେ ସବୁଦିନ ପାଇଁ ଏଠି ରହିବା ନାହିଁ। ଯଦି ଆମେ କୌଣସି ବି ମାଧ୍ୟମରେ ଦୁନିଆରେ କିଛି ସକରାତ୍ମକ ଯୋଗଦାନ କରିପାରୁଛେ, ତାହା ହିଁ ସଫଳତା ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥି ସହିତ ଯିଏ ଯେଉଁ ବୃତ୍ତିକୁ ଆପେଣଉଛି, ସେଥିରେ ଶ୍ରେଷ୍ଠତା ହାସଲ ଦିଗରେ ପ୍ରୟାସ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସଭାର ଅଧ୍ୟକ୍ଷତା କରି ‘ସମ୍ବାଦ’ର ଉପମହାପ୍ରବନ୍ଧକ(ବାର୍ତ୍ତା) ସୁବ୍ରତ ନାୟକ ତାଙ୍କ ଅଭିଭାଷଣରେ କେବଳ ଡାକ୍ତର ଓ ଇଞ୍ଜିନିୟର୍‌ ହେବାକୁ ନ ଚାହି,  ପ୍ରଫେସର ତଥା ଶିକ୍ଷକ ଶିକ୍ଷୟିତ୍ରୀ ହେବାକୁ ମଧ୍ୟ ଇଚ୍ଛା ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ବିଜ୍ଞାନ ପରୀକ୍ଷାରେ ନିଜ ବିଦ୍ୟାଳୟର ଟପର୍ ହେବା ସହ ୯୫ ପ୍ରତିଶତ ବା ଅଧିକ ନମ୍ବର ରଖିଥିବା ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହିତ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପ୍ରସ୍ତୁତିରେ ସହାୟକ ନିମନ୍ତେ ନମୁନା ପ୍ରଶ୍ନାବଳୀ ତିଆରି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

publive-imageଏହି ଅବସରରେ ଅତିଥିଗଣ ସିବିଏସଇ ଦଶମ ଓ ଦ୍ବାଦଶର ଟପର୍‌ ଛାତ୍ରଛାତ୍ରୀଙ୍କୁ ପଦକ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ‘ସମ୍ବାଦ ଡିଜିଟାଲ’ର ଡିଜିଏମ୍(ସେଲ୍ସ) ସୁଶାନ୍ତ ମହାପାତ୍ରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମରେ ‘ସମ୍ବାଦ ଡିଜିଟାଲ’ର ପଶ୍ଚିମ ଓଡ଼ିଶା କ୍ଲଷ୍ଟର ମୁଖ୍ୟ ଲଲାଟେନ୍ଦୁ ସ୍ବାଇଁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଯୁବୋଦୟର ନି‌ର୍ଦ୍ଦେଶକ ଅମ୍ବରୀଶ ଦାଶ, ବୈଦିକ ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ଅଗ୍ରଓ୍ବାଲ, ବିକାଶ ଗ୍ରୁପର ନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ବର ରାଓ, ବିକାଶ କନସେପ୍ଟ ସ୍କୁଲ, ସମ୍ବଲପୁରର ଅଧ୍ୟକ୍ଷ ମନୋରଂଜନ ପତି, ମାହେଶ୍ବରୀ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁଟର ସଂପାଦିକା ସନ୍ତୋଷିନୀ କର୍ଣ୍ଣ, ବିରାଟ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ରାହୁଲ ରାଜ, ଇମ୍ପେରିଆଲ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ, ନ୍ୟୁଟନ୍ କଲେଜର ଲକ୍ଷ୍ମଣ ସାହୁ, କ୍ରିଷ୍ଣା ବିକାଶ ସ୍କୁଲ, ବରଗଡ଼ର ଅଧ୍ୟକ୍ଷ ଚିତ୍ତରଂଜନ ପତି, ଇଣ୍ଡିଆନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ପୂଜା ସିଂହ, ସିଏନସି କଲେଜର ଅଧ୍ୟାପକ ସୁରଜ ପଟ୍ଟନାୟକ, ନବୋଦିତ୍ୟ ଉଚ୍ଚମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ଏସ୍‌.ଏ. ରେହେମନ, ସମ୍ବଲପୁର ନର୍ସିଂ କଲେଜର ପ୍ରଶାସନିକ ଅଧିକାରୀ ନିଲମ୍‌ କୁମାର ନାୟକ, କୋଶଳ ସ୍କୁଲ ଆଣ୍ଡ ନର୍ସିଂ କଲେଜର ପ୍ରିୟରଂଜନ ବି‌ଶୋଇ, ‌ହୋଟେଲ୍‌ ରିଭର୍ ଇନ୍‌ ରିସୋର୍ଟ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପୁରୋହିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ ରାଉରକେଲା ସଂସ୍କରଣର ମୁଖ୍ୟ ସହ-ସଂପାଦକ ଜ୍ଞାନରଂଜନ ମିଶ୍ର ସ୍ବାଗତ ଭାଷଣ, ସମ୍ବଲପୁର ସଂସ୍କରଣ ମୁଖ୍ୟ ସହ-ସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ଅତିଥି ପରିଚୟ ଏବଂ ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ଧନ୍ୟବାଦ ଅର୍ପଣ କରିଥି‌ଲେ। ଛନ୍ଦାମୟୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।