ସଫଳତା ପାଇଁ ସମ୍ବାଦ କଲା ସମ୍ମାନିତ । ମାଟ୍ରିକରେ ୯୦%ରୁ ଅଧିକ ନମ୍ବର ରଖିଥିବା ୩୯୦ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ । ସଂଘର୍ଷ ଭିତରେ ସଫଳତା ପାଇଥିବା ଟପରଙ୍କ ଟିପ୍ସ

24

କନକ ବ୍ୟୁରୋ: ଦୈନିକ ଖବରକାଗଜ ‘ସମ୍ବାଦ’ ପକ୍ଷରୁ ମାଟ୍ରିକ ପରିକ୍ଷାରେ ଏ ୱାନ ଗ୍ରେଡରେ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୩୯୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ତେବେ ଏହି କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏପରି ପିଲା ଅଛନ୍ତି, ଯାହାଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେମାନଙ୍କ ପାରିବାରିକ ଆର୍ଥିକ ସମସ୍ୟା ସେମାନଙ୍କ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି । ସଫଳତାର ଶୀର୍ଷକୁ ଛୁଇଁଛନ୍ତି ଏହି ଛାତ୍ରଛାତ୍ରୀ ।

ଏ ହେଉଛନ୍ତି ସୋମ୍ୟରଂଜନ ପାତ୍ର, ଘର ନିମାପଡ଼ା, ତାଙ୍କ ବାପା ଘର ଘର ବୁଲି ଫେରି କରନ୍ତି । ହେଲେ ମାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୫ ପ୍ରତିଶତ ନମ୍ବର ରଖିଛନ୍ତି ସୌମ୍ୟ । ପରିବାରର ଆର୍ଥିକ ଦୂରାବସ୍ଥା ତାଙ୍କ ମନବଳ ଆଗରେ ହାର ମାନିଛି । ଏବେ ତାଙ୍କର ସ୍ୱପ୍ନ, ଡାକ୍ତର ହୋଇ ଦୁର୍ଗମ ଅଂଚଳର ଲୋକଙ୍କୁ ସେବା କରିବେ । ସ୍ୱଳ୍ପ ରୋଜଗାରରେ ପୁଅର ଡାକ୍ତର ହେବା ଅଭିଳାଷକୁ ପୂରଣ କରିବାକୁ ଅଂଟା ଭିଡିଛନ୍ତି ବାପା ମନମୋହନ ।

ରାଜଧାନୀର ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରୀ ସୋନାଲିସା ପଣ୍ଡା । ୫୫୩ ମାର୍କ ରଖି ଏ-ୱାନ ଗ୍ରେଡରେ ପାସ କରିଛନ୍ତି ସୋନାଲିସା । ବାପା ନିରଂଜନ ପଣ୍ଡା, ବୃତିରେ ଇଲେକ୍ଟ୍ରିସିଆନ । ୪ ପ୍ରାଣୀ କୁଟୁମ୍ବ ଚଳାଇବା ପାଇଁ ଢେର ପରିଶ୍ରମ କରନ୍ତି ନିରଂଜନ । ଆଜି ଝିଅର ସଫଳତାରେ ସେ ଖୁସିରେ ଗଦଗଦ ହୋଇପଡୁଛନ୍ତି ।

ଆଉ ଜଣେ କୃତି ଛାତ୍ର ସୌମ୍ୟରଂଜନ ସାହୁ । ମାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୬ ପ୍ରତିଶତରୁ ଅଧିକ ନମ୍ବର । ସାରା ଓଡ଼ିଶାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସୌମ୍ୟ । ବାପା ବ୍ରଜ କିଶୋର ମୋଟର ପାର୍ଟ୍ସ ଦୋକାନରେ କର୍ମଚାରୀ । ପରିବାରର ସ୍ୱଳ୍ପ ରୋଜଗାର ଅଟକାଇପାରିନାହିଁ ସୌମ୍ୟରଂଜନଙ୍କ ଏକାଗ୍ରତାକୁ । ଏବେ ତାଙ୍କର ଇଚ୍ଛା ଆଇଆଇଟି ଇଂଜିନିୟର ହେବେ ।

 

ଉଲ୍ଲେଖଥାଉ କି, ସମ୍ବାଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ୧୫ ବର୍ଷ ଧରି ଆୟୋଜିତ ହୋଇଆସୁଛି । କୃତି ଛାତ୍ର-ଛାତ୍ରୀଙ୍କ ସହ ସ୍କୁଲର ପ୍ରଧାନଶିକ୍ଷକ ଓ ଅଭିଭାବକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।