ଆଜି ସମ୍ବାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଦିବସ । ଓଡିଶାର ନମ୍ବର ୱାନ ଦୈନିକ ଖବର କାଗଜ ସମ୍ବାଦକୁ ଚାଲିଲା ୩୭ ବର୍ଷ । କନକ ନ୍ୟୁଜର ୧୧ ବର୍ଷର ସଫଳ ଯାତ୍ରା ।

251

କନକ ବ୍ୟୁରୋ: ଆଜି ରାଜ୍ୟର ଏକ ନମ୍ବର ଦୈନିକ ଖବରକାଗଜ ସମ୍ବାଦ ଓ ଅଗ୍ରଣୀ ନ୍ୟୁଜ ଚ୍ୟାନେଲ କନକ ନ୍ୟୁଜର ସ୍ୱନକ୍ଷତ୍ର ଉତ୍ସବ । ସମ୍ବାଦକୁ ୩୭ ବର୍ଷ ଚାଲିଥିବା ବେଳେ ୧୧ ବର୍ଷ ଅତିକ୍ରମ କରିଛି କନକ ନ୍ୟୁଜ୍ । ଅନେକ ସଂଘର୍ଷ ଓ ପ୍ରତିଦ୍ୱନ୍ଦିତାକୁ ପଛରେ ପକାଇ ଓଡ଼ିଶା ଗଣମାଧ୍ୟମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ।

୧୯୮୪ ଅକ୍ଟୋବର ୪ ତାରିଖ । ଓଡ଼ିଶା ଗଣମାଧ୍ୟମ ଇତିହାସରେ ଏହି ଦିନର ବିଶେଷ ଗୁରୁତ୍ୱ ରହିଛି । କାରଣ ଆଜିକୁ ୩୬ ବର୍ଷ ତଳେ ଅର୍ଥାତ ୧୯୮୪ ମସିହା ଅକ୍ଟୋବର ୪ ତାରିଖ ଦିନ ଆତ୍ମପ୍ରକାଶ କରିଥିଲା ଦୈନିକ ଖବରକାଗଜ ‘ସମ୍ବାଦ’ । ପ୍ରଥମ ଥର ପାଇଁ ଖବରକାଗଜକୁ ଏକ ଶିଳ୍ପର ମାନ୍ୟତା ଦେବା ଲକ୍ଷ୍ୟ ସହ ପେସାଦାର ମନବୃତି ନେଇ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉଦ୍ୟମରେ ଆତ୍ମପ୍ରକାଶ କରିଥିଲା ଏହି ଦୈନିକ ଖବରକାଗଜ । ସମ୍ବାଦକୁ ଆଜି ୩୬ ବର୍ଷ ପୂରି ୩୭ ବର୍ଷ ଚାଲିଛି । ୩୬ ବର୍ଷର ଏହି ସଫଳ ଯାତ୍ରାରେ ସମ୍ବାଦ ହିଁ ଓଡ଼ିଶାର ଗଣମାଧ୍ୟମ ଆଗରେ ଆଦର୍ଶ ସୃଷ୍ଟି କରିଛି । ଅନେକ ସଂଘର୍ଷ ଓ ପ୍ରତିଦ୍ୱନ୍ଦିତାକୁ ପଛରେ ପକାଇ ରାଜ୍ୟର ଏକ ନମ୍ବର ଖବରକାଗଜ ଭାବେ ପ୍ରତିଷ୍ଠିତ ହୋଇଛି ସମ୍ବାଦ । ସମୟ ସହ ତାଳ ଦେଇ ପରିପାଟି ବଦଳିଛି । ଅତ୍ୟାଧୁନିକ ମୁଦ୍ରଣ ସାଙ୍ଗକୁ ଖବର ପରିବେଷଣରେ ନିଆରା ଶୈଳୀ ଯୋଗୁଁ ଦିନକୁ ଦିନ ଅଧିକ ଲୋକପ୍ରିୟ ହୋଇଚାଲିଛି ସମ୍ବାଦ ।

୨୦୦୯ ଅକ୍ଟୋବର ୪ ତାରିଖ । ଏହି ଦିନ ଓଡ଼ିଶାର ବୈଦ୍ୟୁତିକ ଗଣମାଧ୍ୟମ ଇତିହାସରେ ଯୋଡି ହୋଇଥିଲା ଆଉ ଏକ ବଡ଼ ଅଧ୍ୟାୟ । ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉଦ୍ୟମରେ ଆତ୍ମପ୍ରକାଶ କରିଥିଲା କନକ ନ୍ୟୁଜ୍ । ଏହାରି ଭିତରେ ଅନେକ ଚ୍ୟାଲେଂଜକୁ ସାମ୍ନା କରି ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମର ଖବର ପରିବେଷଣ ଶୈଳୀରେ ପରିବର୍ତନ ଆଣିଛି କନକ ନ୍ୟୁଜ୍ । ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ନିର୍ବାଚନର ଗୋଲକ ଧନ୍ଦା, ସବୁଠି ଆଗରେ ରହି ଖବର ପରିବେଷଣ କରି ଆଜି ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । କନକ ନ୍ୟୁଜ୍ ଆଜି ଯେଉଁ ଟ୍ରେଣ୍ଡ୍ ସେଟ୍ କରୁଛି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ସ୍ୱନକ୍ଷତ୍ର ଦିବସରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଆଜିର ଦିନରେ ବଜାରର ଚାପରେ ବିବେକକୁ ଜଂଳାଜଂଳି ଦେଉଛି ଗଣମାଧ୍ୟମ । ଏହାର ପ୍ରାୟଶ୍ଚିତ ପାଇଁ ପ୍ରକୃତ ସମୟ ଆସିଛି ।