କନକ ବ୍ୟୁରୋ: ଦୈନିକ ସମ୍ବାଦପତ୍ର ସମ୍ବାଦରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଲେଖିଥିବା ଏକ ଆଲେଖ୍ୟକୁ ନେଇ ଜୋରଦାର ହୋଇଛି ରାଜନୈତିକ ବୟାନବାଜି । ଜନ୍ମଦିନ ଅବସରରେ ସମ୍ବାଦରେ ସମ୍ପାଦକୀୟ ଲେଖି କେତେକ ମୌଳିକ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ ପଟ୍ଟନାୟକ । ଯାହା ବିରୋଧୀ ଶିବିରକୁ ବେସ ଉତ୍ସାହିତ କରିଛି । ଫାଇବ-ଟି ସଚିବଙ୍କ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ପ୍ରସଙ୍ଗରେ ପୁଣିଥରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଅପରାଜିତା କହିଛନ୍ତି- ଲୋକମାନେ ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ କିଏ? ଜଣେ ସଚିବସ୍ତରର କର୍ମଚାରୀ ହେଲିକପ୍ଟରରେ ଯିବା ଶୋଭା ଦେଉନି । ଏପରିକି ବିଜେଡି ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କ ପ୍ରତି ଦୟାଭାବ ଆସୁଛି ବୋଲି କହିଛନ୍ତି ଅପରାଜିତା ।

Advertisment

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସୌମ୍ୟଙ୍କ ଆଲେଖ୍ୟକୁ ସ୍ୱାଗତ କରି ମତାମତ ରଖିଛନ୍ତି । ଫାଇବ-ଟି ସଚିବଙ୍କ ଗସ୍ତରେ ବହୁ ଟଙ୍କା ଖର୍ଚ୍ଚ ହେଉଛି ଏଥିରେ ସନ୍ଦେହ ନାହିଁ । ଲୋକଙ୍କୁ ଖାଇବାକୁ ଦେବା ସହ ଗାଡି଼ ପଠାଇ ଜିଲ୍ଲା ବାହାରୁ ଅଣାଯାଉଛି । ଏଥିପାଇଁ ମନ୍ତ୍ରୀ, ବିଧାୟକ ଲୋକ ଯୋଗାଡ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର । ଏପଟେ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ବିଜେଡି ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇବ-ଟି ସଚିବ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି । ବିଧାୟକ ପାଣ୍ଠିରେ ମିଳୁଥିବା ୩ କୋଟି ଟଙ୍କାରେ ସବୁ କାମ ହୋଇପାରୁ ନାହିଁ । ତେଣୁ ଫାଇଭ-ଟି ସଚିବ ତାଙ୍କ ଗସ୍ତ ସମୟରେ କିଛି ସମସ୍ୟା ଦେଖିଲେ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

ସମ୍ବାଦର ସମ୍ପାଦକ ଭାବେ ଆମ ଘର ହାଲଚାଲରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯେଉଁ ମୌଳିକ ପ୍ରଶ୍ନଟି ଉଠାଇଛନ୍ତି ତାହା ହେଉଛି- ମାଟି ନା ପାର୍ଟି କେଉଁଟି ବଡ଼? ଏହି ପ୍ରଶ୍ନଟି ଦ୍ୱନ୍ଦ୍ୱ ତିଆରି କରୁଥିବାବେଳେ ସୌମ୍ୟଙ୍କ ମତରେ ମାଟିର ଟେକ ରଖିବା ପାଇଁ ପାର୍ଟି ସବୁବେଳେ ପ୍ରସ୍ତୁତ ରହିବା ଉଚିତ୍ । ଏଥିପାଇଁ ଯେତେ ମୂଲ୍ୟ ଦେବାକୁ ପଡିଲେ ମଧ୍ୟ ସଂକୋଚ କରିବା କଥା ନୁହେଁ ।