ସମ୍ବାଦ ଭବନରେ ଲେଖକ ମାନସ ରଞ୍ଜନଙ୍କ ଶିଶୁ ପତ୍ରକା ଉନ୍ମୋଚିତ 

84

କନକ ବ୍ୟୁରୋ : ସମ୍ବାଦ ଭବନରେ ଲେଖକ ମାନସ ରଞ୍ଜନ ସାମଲଙ୍କର ଚାରୋଟି ଅନୁବାଦିତ ଶିଶୁ ପତ୍ରିକା ଉନ୍ମୋଚିତ ହୋଇଛି । ଏହି ପୁସ୍ତକରେ ଦୁଇଟି ଭାଷାରେ ଲେଖାଯାଇଛି । ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ୪ଟି ପୁସ୍ତକ ‘ଦିନେ’, ‘ଲାଲୁ ଓ ଲାଲ ଗୁଡ଼ି’, ‘ଭକ୍ତ ସାଲବେଗ’ ଓ ‘ମୁଁ ତୁମଠୁ ଭଲ’ ଆଦିକୁ ଲୋକାର୍ପଣ କରିଥିଲେ । ଏହି ଭଳି ଶିଶୁ ସାହିତ୍ୟ ଓ ପୁସ୍ତକ ୩୦/୪୦ବର୍ଷ ତଳୁ ପ୍ରକାଶ ପାଇଥିଲେ ଖୁବ୍‌ ଭଲ ହୋଇଥା’ନ୍ତା ଓ ଏହାଦ୍ବାରା ଆମ ଶିଶୁମାନେ ବହୁମାତ୍ରାରେ ଉପକୃତ ହୋଇଥା’ନ୍ତେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏକ ଜାତି ତା’ର ମାତୃଭାଷା ଓ ସାହିତ୍ୟକୁ ଶିଶୁମାନଙ୍କ ନିକଟରେ ପରିଚିତ କରିବା ପାଇଁ ଯେତିକି ଉଦ୍ୟମ କରେ, ହୁଏତ ଆମ ଓଡ଼ିଆ ଜାତି ସେ ଉଦ୍ୟମ କରିନାହିଁ । ଭଲ ପୃଷ୍ଠା, ସୁନ୍ଦର ଛବି ସହ ସୁନ୍ଦର ଚକ୍‌ଚକ୍‌ ଶିଶୁ ପୁସ୍ତକ କରି ଆମେ ଶିଶୁମାନଙ୍କୁ ନିଜ ଭାଷା ପ୍ରତି ଆକର୍ଷିତ କରି ନାହେଁ । ଫଳରେ ଆମ ଉତ୍ତରପିଢ଼ି ଇଂରାଜୀ ପୁସ୍ତକ ଓ ଇଂରାଜୀ ସ୍କୁଲ ଆଡ଼କୁ ଆକର୍ଷିତ ହୋଇଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ବହୁଭାଷୀ ପୁସ୍ତକର ଆବଶ୍ୟକତାକୁ ଉଲ୍ଲେଖ କରିବାକୁ ଯାଇ କହିଥିଲେ, ବହୁଭାଷୀ ପୁସ୍ତକ ହେଉଛି ଭାରତରେ ବଞ୍ଚି ରହିବାର ଏକମାତ୍ର ବାଟ । ଆମ ଶିଶୁମାନେ ବହୁ ଭାଷାରେ ଦକ୍ଷ ନ ହେଲେ ସେମାନେ ପ୍ରକୃତ ଭାରତୀୟ ହୋଇ ବଞ୍ଚିପାରିବେ ନାହିଁ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗଦେଇ କହିଥିଲେ, ପିଲାମାନଙ୍କୁ ଏବେ ହଲିଉଡ୍‌ର ସ୍ପାଇଡର୍‌ ମ୍ୟାନ୍‌, ହ୍ୟାରି ପୋର୍ଟର୍‌ ଆଦି କାହାଣୀ ଆକର୍ଷିତ କରୁଛି । ଏହା ଜରିଆରେ ଚଳଚ୍ଚିତ୍ର ନିର୍ମାତାମାନେ କୋଟିକୋଟି ଟଙ୍କା ରୋଜଗାର ବି କରୁଛନ୍ତି। କିନ୍ତୁ ଭାରତୀୟ ସାହିତ୍ୟରେ ରାମାୟଣ, ମହାଭାରତ ଆଦି‌ରେ ରୋଚକ ଶିଶୁ କାହାଣୀମାନ ମହଜୁଦ ରହିଛି । ରାମାୟଣ‌ରେ କୁନି ହନୁମାନ ସୂର୍ଯ୍ୟଙ୍କୁ ଗିଳି ଦେବା ଓ କୃଷ୍ଣଙ୍କ ବାଲ୍ୟ ଜୀବନର ଗାଥା ବେଶ୍‌ ରୋଚକ ଭାବେ ଆମ ପୁରାଣରେ ବର୍ଣ୍ଣିତ ହୋଇଛି । ଏସବୁକୁ ଭଲ ଭାବେ ଶିଶୁ ସାହିତ୍ୟ, ଚଳଚ୍ଚିତ୍ର କିମ୍ବା ଧାରାବାହିକରେ ବହୁ ଆଗରୁ ସ୍ଥାନ ଦିଆଯାଇପାରିଥା’ନ୍ତ‌ା । ବହୁ ଆଗରୁ ଶିଶୁମାନଙ୍କ ପାଇଁ ବହୁତ କିଛି ଶିଶୁ ସାହିତ୍ୟ ରହିଥିବା ବେଳେ ଓଡ଼ିଆ ସାହିତ୍ୟ ଜଗତରେ ଶିଶୁ ସାହିତ୍ୟର ଚାହିଦା ଓ ଧାରା ବଢ଼ିଛି ବୋଲି ଶ୍ରୀ ଦାସ କହିଥିଲେ ।