ଚମକାଇ ଦେଲା ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍! କେନ୍ଦୁଝର ଲୋକସଭା ଆସନରେ ବିଜେଡିକୁ ଚିତ୍ କରି ପଦ୍ମ ଫୁଟାଇପାରେ ବିଜେପି?

334

କନକ ବ୍ୟୁରୋ: ଶେଷ ହେଲା ୧୯ ପରୀକ୍ଷା । ୨୩ରେ ମତଗଣନା ପୂର୍ବରୁ ମତଦାତାଙ୍କ ମୁଡ୍ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍ । ଏହି ରିପୋର୍ଟ ଆଧାରରେ କେନ୍ଦୁଝର ଲୋକସଭା ଆସନକୁ ଦଖଲ କରିପାରେ ବିଜେପି । କାରଣ ବିଜେଡି ତରଫରୁ ରାଜନୀତିରେ ନବାଗତ ଭାବେ ପାଦ ଥାପିଥିବା ଚନ୍ଦ୍ରାଣୀ ମୁର୍ମୁଙ୍କୁ ବିଜେପିର ଅଭିଜ୍ଞ ନେତା ଅନନ୍ତ ନାଏକ ଚେକ୍ ଦେବେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । ସେହିଭଳି କଂଗ୍ରେସ ତରଫରୁ ମୋହନ ହେମ୍ବ୍ରମଙ୍କ ‘ହାତ’ ଏଥର ଟାଣ ହୋଇ ପାରିବ ନାହିଁ ବୋଲି ମତଦାତାଙ୍କ ମୁଡ୍ କହୁଛି ।

ଅନ୍ୟପଟେ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍ କରିପାରେ । ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୫ଟି ଏବଂ କଂଗ୍ରେସ ଖାତାକୁ ମାତ୍ର ଗୋଟିଏ ବିଧାନସଭା ସିଟ୍ ଯାଇପାରେ ବୋଲି ରିପୋର୍ଟ କହୁଛି ।

ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ପୂର୍ବଭଳି ଗତ ୪ଟି ନିର୍ବାଚନରେ ବିଜେଡିର ଗଡ଼ ହୋଇ ରହିଥିବା ତେଲକୋଇରେ ପଞ୍ଚମ ଥର ପାଇଁ ବିଜେଡି କ୍ଷମତା ଜାହିର କରିବ । ଆଉ ବିଜେଡିର ପ୍ରେମାନନ୍ଦ ନାୟକ ଏଥର ବିଜେପି ଓ କଂଗ୍ରେସର ନୂଆ ପ୍ରାର୍ଥୀଙ୍କୁ ଚେକ୍ ଦେଇ ଶଙ୍ଖ ଦୁର୍ଗକୁ ସୁରକ୍ଷିତ ରଖିବାରେ ସମର୍ଥ ହୋଇପାରନ୍ତି ବୋଲି ରିପୋର୍ଟ କହୁଛି ।

ସେହିଭଳି ଚଳିତ ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ଘଷିପୁରାରେ କଂଗ୍ରେସ କମାଲ କରିବ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । କାରଣ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ବିଜେଡି ଲଗାତାର ଏଠାରେ ଦୁଇ ବିଜୟ ଟୀକା ପିନ୍ଧିଥିଛି । ହେଲେ ଏଥର ବିଜେଡିର ହେଭିୱେଟ୍ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ବାଦ୍ ଦେଇ ଘଷିପୁରାବାସୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାଥ୍ ଦେଇଛନ୍ତି ବୋଲି ଭୋଟରଙ୍କ ରିପୋର୍ଟ କହୁଛି ।

ଅନ୍ୟପଟେ ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏଥର ଏଥର ପୁଣି ୨୦୦୯ ଏବଂ ୨୦୧୪ର ଫଳାଫଳ ରିପିଟ୍ ହେବ ବୋଲି ରିପୋର୍ଟ କହୁଛି । କାରଣ ବିଜେପି ଛାଡ଼ି ବିଜେଡି ଘର ବାହୁଡ଼ା କରିଥିବା ଭାଗିରଥୀ ସେଠିଙ୍କୁ ଆନନ୍ଦପୁରବାସୀ ଭରସିଛନ୍ତି ବୋଲି ଏକଜିଟ୍ ପୋଲ ରିପୋର୍ଟ କହୁଛି । ଆଉ କଂଗ୍ରେସର ଜୟଦେବ ଜେନାଙ୍କୁ ପୁର୍ନବାର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିପାରେ ବୋଲି ରିପୋର୍ଟ କହୁଛି ।

ସେହିଭଳି ପାଟଣା ବିଧାନସଭା ଆସନ ପାଇଁ ଏଥର ପୁଣିଥରେ ବିଜେଡିକ ଭରସିଛନ୍ତି ପାଟଣାବାସୀ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପଟେ ବିଜେପିର ଭବାନୀ ଶଙ୍କର ନାଏକ ଓ କଂଗ୍ରେସର ବିନୋଦ ବିହାରୀ ନାଏକଙ୍କୁ ପରାଜୟର ଦ୍ୱାରା ଦେଖିବାକୁ ପଡ଼ିପାରେ ବୋଲି ରିପୋର୍ଟ କହୁଛି ।

ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ କେନ୍ଦୁଝର ବିଧାନସଭା ଆସନରେ ହ୍ୟାଟ୍ରିକ୍ ମାରିବ ବିଜେଡି । ତେବେ ବିଜେଡିର ମାଧବ ସର୍ଦ୍ଦାରଙ୍କୁ କେନ୍ଦୁଝର ବିଧାନସଭା କ୍ଷେତ୍ରର ସର୍ଦ୍ଦାର ଭାବେ ବାଛି ଉଭୟ ବିଜେପି ଓ କଂଗ୍ରେସ ସ୍ୱପ୍ନକୁ ଭାଙ୍ଗି ଦେଇ ପାରନ୍ତି ଭୋଟର ବୋଲି ରିପୋର୍ଟ କହୁଛି ।

ଏହି ଲୋକସଭା ଆସନର ସବୁଠାରୁ ହାଇଭୋଲଟେଜ୍ ଆସନ ଚମ୍ପୁଆ କ୍ଷେତ୍ରରେ ଏଥର କଡ଼ା ମୁକାବିଲା ହୋଇପାରେ ବୋଲି ଭୋଟରଙ୍କ ମୁଡ୍ କହୁଛି । କାରଣ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ଏଯାବତ୍ ବିଜେଡି-ବିଜେପି କେହି ବିଜୟର ସ୍ୱାଦ ଚାଖି ନଥିବାବେଳେ ଏଠାରେ ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ରହି ଆସିଛି । ହେଲେ ଚଳିତ ଥର ବିଜେଡି ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ, ବିଜେପିର ମୁରଲୀ ଶର୍ମା ଓ କଂଗ୍ରେସର ଯଦୁମଣୀ ବାରିକଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରିପୋର୍ଟ କହୁଛି ।

ଅନ୍ୟପଟେ ବିଜେଡିର ଦୁର୍ଗ ବୋଲାଉଥିବା କରଞ୍ଜିଆ ଆସନକୁ ଏଥର ବିରୋଧୀ ଭେଦ କରିପାରିବେ ନାହିଁ ବୋଲି ରିପୋର୍ଟ କହୁଛି । ଚତୁର୍ଥ ଥର ପାଇଁ ବିଜେଡ଼ି ଏଠାରେ ବିଜୟ ବାନା ଉଡ଼ାଇ ଉଭୟ ବିଜେପି ଓ କଂଗ୍ରେସକୁ ଚେକ୍ ଦେବାକୁ ସକ୍ଷମ ହୋଇପାରେ ବୋଲି ରାଜ୍ୟ ଇିତିହାସର ବଡ଼ ଏକଜିଟ୍ ପୋଲ ସମ୍ବାଦ-କନକ ନ୍ୟୁଜ୍ ରିପୋର୍ଟ ଆଧାରରରେ ଜନତା ନିଜର ମତ ରଖିଛନ୍ତି ।