ବ୍ରହ୍ମପୁରରେ ଅଭେଦ୍ୟ ରହିପାରେ ବିଜେଡି ଗଡ଼? ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ଦେଖାଇଲା ୨୩ ପୂର୍ବରୁ ସମ୍ଭାବ୍ୟ ଫଳାଫଳ ।

205

କନକ ବ୍ୟୁରୋ: ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍ । ଏହି ରିପୋର୍ଟ ଆଧାରରେ ବ୍ରହ୍ମପୁର ଲୋକସଭା ଆସନରେ ପୁଣି ଉଡ଼ିପାରେ ବିଜେଡିର ବିଜୟ ବାନା । କାରଣ ତିନି ପ୍ରମୁଖ ଦଳ ଏଥର ପ୍ରାର୍ଥୀ ବଦଳାଇ ଥିଲେ ମଧ୍ୟ ବିଜେଡିର ଅଭିଜ୍ଞ ଚନ୍ଦ୍ର ସେଖର ସାହୁ ବିଜେଡି ପାଇଁ ବିଜୟର ସ୍ୱାଦ ଆଣିପାରନ୍ତି ବୋଲି ସର୍ଭେ ରିପୋର୍ଟ କହୁଛି ।

ସେହିପରି ୧୯ ଯୁଦ୍ଧର ଫଳଫଳ ପୂର୍ବରୁ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍ କରିପାରେ ଏବଂ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୨ଟି, ଉଭୟ ବିଜେପି ଓ କଂଗ୍ରେସ ଖାତାକୁ ଗୋଟିଏ ଲେଖାଏଁ ଆସନ ଯାଇପାରେ ବୋଲି ସମ୍ଭାବନା ରହିଛି । ଆଉ ୩ଟି ବିଧାନସଭା ଆସନରେ କଡ଼ା ମୁକାବିଲା ହୋଇପାରେ ବୋଲି ରିପୋର୍ଟ କହୁଛି ।

ଏହି ରିପୋର୍ଟ ମୁତାବକ ଛତ୍ରପୁର ବିଧାନସଭା ଆସନରେ ଏଥର ୩ ଦଳ ମଧ୍ୟରେ କ୍ଲୋଜ ଫାଇଟ୍ ଦେଖିବାକୁ ମିଳିପାରେ । ଗତ ନିର୍ବାଚନରେ ବିଜେଡି ଏଠାରେ ବିଜୟୀ ହୋଇଥିବାବେଳେ ଏଥର ତିନି ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ ବୋଲି ଏକଜିଟ୍ ପୋଲ ରିପୋର୍ଟରୁ ସମ୍ଭାବନା କରାଯାଉଛି ।

ଅନ୍ୟପଟେ ଗୋପାଳପୁର ବିଧାନସଭା କ୍ଷେତ୍ରରେ ଗତ ଦୁଇଟି ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ପାଇଁ ଏଥର ବିଜୟ ସହଜ ହେବନାହିଁ । କାରଣ ଏଥର ଏହି ନିର୍ବାଚନ ମଣ୍ଡଳୀରେ କଡ଼ା ମୁକାବିଲା ହୋଇପାରେ ବୋଲି ଏକଜିଟ୍ ପୋଲରେ ମତଦାତା ମତ ରଖିଛନ୍ତି ।

ସମ୍ବାଦ ଓ କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ଅନୁସାରେ, ବ୍ରହ୍ମପୁର ବିଧାନସଭା ଆସନରେ ବିଜେଡି ଦୁର୍ଗକୁ ପୁଣି ସୁରକ୍ଷିତ ରଖିପାରେ ବିଜେଡି । ଉଭୟ ବିଜେପି-କଂଗ୍ରେସ ପୁର୍ନବାର ନିରାଶ ହୋଇପାରନ୍ତି ବୋଲି ସର୍ଭେ ରିପୋର୍ଟରୁ ଅନୁମାନ କରାଯାଉଛି ।

ସେହିଭଳି ଦିଗପହଣ୍ଡି ବିଧାନସଭା ଆସନରେ ମଧ୍ୟ ବିଜେଡି ନିଜ ଦବଦବା ଜାହିର କରିପାରେ । ଏଥର ବିଜେଡିର ବିଜୟ ରଥରେ ବ୍ରେକ୍ ଲଗାଇବା ପାଇଁ ଅଶାବାନ୍ଧଥିବା ବିରୋଧୀ ଶିବିରକୁ ଝଟକା ଲାଗିପାରେ ବୋଲି ଏକଜିଟ୍ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି ।

ଅନ୍ୟପଟେ ଚିକିଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଜୟ ରଥରେ ବ୍ରେକ୍ ଲଗାଇପାରେ ବିଜେପି ବୋଲି ଏକଜିଟ୍ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି । ଗତ ୪ଟି ନିର୍ବାଚନରେ ଏହି ଆସନର ବିଜେଡି ବିଜୟ ବାନା ଉଡ଼ାଇ ଆସିଥିବାବେଳ ଏଥର ବିଜେପି ଚେକ୍ ଦେଇପାରେ ବୋଲି ସର୍ଭେ ରିପୋର୍ଟରୁ ଆକଳନ କରାଯାଉଛି ।

ଚଳିତ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ କମାଲ କରିପାରେ କଂଗ୍ରେସ । ଆଉ ବିଜେଡି ହାତରୁ କ୍ଷମତା ଭାର ଛଡ଼ାଇ ନେଇ କଂଗ୍ରେସ ଏଥର ଏହି ଆସନକୁ କବଜା କରିପାରେ ବୋଲି ଏକଜିଟ୍ ପୋଲରୁ ପୂର୍ବାନୁମାନ କରାଯାଉଛି ।

ସେହିପରି ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ବୁଥ୍ ବାହୁଡ଼ା ମତ ଅନୁସାରେ, ପାରାଳାଖେମୁଣ୍ଡି ଆସନରେ ତ୍ରିମୁଖୀ ଲଢ଼େଇ ହୋଇପାରେ । ଗତ ଦୁଇଟି ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ଓ କଂଗ୍ରେସ । କିନ୍ତୁ ଏଥର ଏହି ଆସନକୁ କିଏ ଦଖଲ କରିବ ସେନେଇ ସସପେନ୍ସ ରହିଛି ।