ପଦ ଗଲା ପରେ ହତାଦର ପୂର୍ବତନ କାଉନସିଲର: ଅଭାବ ଭିତରେ ଶଯ୍ୟାଶାୟୀ ଜଳେଶ୍ୱରର ପୂର୍ବତନ କାଉନସିଲର ସାମରାୟ ହେମ୍ବ୍ରମ

118

କନକ ବ୍ୟୁରୋ: ପଦ ଗଲାପରେ ଭୁଲିଗଲେ ସମସ୍ତେ । ଦନି ଥିଲା ଘର ଘର ବୁଲି ବୁଲି ଲୋକଙ୍କୁ ସାହାଯ୍ୟ ଯୋଗାଉଥିଲେ । ଲୋକମାନଙ୍କ ସମସ୍ତ ସମସ୍ୟା ଦୂର କରୁଥିଲେ । ଗାଁର ସମସ୍ତ ବିକାଶମୂଳକ କାମ କରୁଥିଲେ । ହେଲେ ଏବେ ନିଜେ ଅସହାୟ ହୋଇପଡିଛନ୍ତି ଜଳେଶ୍ୱରର ପୂର୍ବତନ କାଉନସିଲର ସାମରାୟ ହେମ୍ବ୍ର୍ରମ । ରାତି ପାହିଲେ ଯାହା ପାଖରେ ଲୋକଙ୍କ ଭିଡ ଲାଗୁଥିଲା ତାଙ୍କ ପାଖର ଆଜି କେହି ନାହିଁ । ଭଙ୍ଗାରୁଜା ଘରେ ରୋଗ ଶଯ୍ୟାରେ ପଡିଛନ୍ତି ସାମରାୟ । ଦିନକୁ ଓଳିଏ ଖାଇବାକୁ ମିଳୁନଥିବା ବେଳେ ରୋଗ ଶଯ୍ୟାରେ ମେଡିସିନ୍ ଟିକେ ମିଳିବା କଷ୍ଟକର ହୋଇପଡିଛି । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ବି ନାହିଁ । ଭତାରୁ ନେଇ ଅନ୍ୟ ସରକାରୀ ସହାୟତା ସବୁ ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଲୋକଙ୍କୁ ଘର ଓ ଭତା ବାଂଟୁଥିବା କାଉନସିଲର ଆଜି ନିଜେ ଘର ପାଇଁ ହାତଯୋଡି ଅନୁରାଧ କରିଛନ୍ତି ।

ଲୋକଙ୍କ ସେବାକରି ଦୁଃଖ ଦୂର କରୁଥିବା ଲୋକ ଆଜି ସମସ୍ତଙ୍କ ପାଇଁ ଅଲୋଡା ହୋଇପଡିଛି । ପଲିଥିନ୍ ଟଣା ଛପର ଘରେ ବୁଢି ମା ଓ ପୁଅ ସହ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଦୁଇ ବର୍ଷ ହେଲା ଯକ୍ଷ୍ମାରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ବୃଦ୍ଧା ମାଆ ପୁଅକୁ ଜଗି ବସିଥିବା ବେଳେ ଘର ରୁ ନେଇ ଭତା ଗଣ୍ଡାକ ପାଇଁ ଅନୁରାଧ କରିଛି ମାଆ । ପୁଅକୁ ସୁସ୍ଥ କରିବାକୁ କିଛି ସାହାଯ୍ୟ ସହଯୋଗ ପାଇଁ ମାଆ ଆକୁଳ ଅନୁରୋଧ କରିଛି । ଦୁର୍ଦ୍ଦିନରେ ଦିନ କାଟୁଥିବା ପୂର୍ବତନ କାଉନସିଲରଙ୍କୁ କିଛି ସାହାଯ୍ୟ ସହଯୋଗ କରାଗଲେ ତାଙ୍କର ଆର୍ଥିକ ସ୍ଥିିତି ସ୍ୱଚ୍ଛଳ ହୋଇପାରିବ ।