ସୁନ୍ଦର ଦିଶୁଛି ମା’ ସମଲେଇଙ୍କ ପୀଠ । ରୂପାନ୍ତରଣ ପରେ ଶୋଭା ପାଉଛି ଭବ୍ୟ ପ୍ରକଳ୍ପ, ଯଜ୍ଞ ପାଇଁ ସରିଲା କଳସଯାତ୍ରା ଓ ଅଧିବାସ

183

କନକ ବ୍ୟୁରୋ : ନୂଆ ରୂପରେ ଝଟକୁଛି ମା’ ସମଲେଇ ପୀଠ । ଭବ୍ୟ ରୂପରେ ଝଲସି ଉଠୁଛି ସମଲେଇ ମନ୍ଦିର ପରିସର । ଆଉ କିଛି ଘଂଟାର ଅପେକ୍ଷା । ପଶ୍ଚିମଓଡିଶାର ଆଧାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଏକ ଆଧାତ୍ମିକ ବିସ୍ମୟର ପ୍ରତୀକ ସାଜିବାକୁ ଯାଉଥିବା ମା’ ସମଲେଇ ପ୍ରକଳ୍ପ ଯଜ୍ଞ ପାଇଁ ପୂଜା ବିଧି ଆରମ୍ଭ ହୋଇଛି । ମହାନଦୀ ମାରୱାଡି ଘାଟରୁ କଳସ ଉଠିଛି । ଶହ ଶହ ମହିଳା ସ୍ୱତଃପ୍ରବୃତ ଭାବେ ମାଙ୍କ ଏହି ଶୁଭ କଳସଯାତ୍ରାରେ ସାମିଲ ହୋଇଛନ୍ତି । ନଗର ପରିକ୍ରମା କରି ମନ୍ଦିରରେ ପହଂଚିବା ପରେ ମା ସମଲେଇ ପାଖରେ ଉପବାସ ଭାଙ୍ଗିଛନ୍ତି । ଏହି ଦିବ୍ୟ ଉତ୍ସବରେ ସାମିଲ ହୋଇ ବେଶ ଖୁସୀ ଶ୍ରଦ୍ଧାଳୁ ।

କଳସଯାତ୍ରା ପରେ ଯଜ୍ଞ ଅଧିବାସ ହୋଇଛି । ମୁଖ୍ୟ ଯଜ୍ଞ ମଣ୍ଡପରେ ସର୍ବୋତ ଭବ୍ୟ ମଣ୍ଡଳ, ବାସ୍ତୁ ମଣ୍ଡଳ, ଯୋଗିନୀ ମଣ୍ଡଳ, ଲକ୍ଷ୍ମୀନାରାୟଣ ମଣ୍ଡଳ, ନବଗ୍ରହ ପୂଜା, କ୍ଷେତ୍ରପାଳ ପୂଜା ଓ ଅଷ୍ଟାଦଶ ମାତୃଗଣ ମଣ୍ଡଳ ପୂଜା ହୋଇଛି । ବିଧି ଅନୁସାରେ ଅନ୍ୟାନ୍ୟ ପୂଜାନୀତି କରାଯାଇଛି ।

ଶନିବାର ସକାଳ ୬ଟାରୁ ଯଜ୍ଞ ପୂଜା ଆରମ୍ଭ ହେବ । ପୁରୋହିତଙ୍କ ମନ୍ତୋଚାରଣ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେବ ସମଗ୍ର ସମ୍ବଲପୁର ସହର । ତା ଭିତରେ ମାଙ୍କ ଆର୍ଶୀବାଦ ନେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସନ୍ଧ୍ୟାରେ ମହାନଦୀ ଆରତି କରିବାର କାର୍ଯ୍ୟକ୍ରମ ରହିଛି ।

କେବଳ ସମ୍ବଲପୁର ନୁହେଁ, ସାରାରାଜ୍ୟରେ ଆଧାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସରକାରଙ୍କ ପାଇଁ ପଦକ୍ଷେପ ନିଆଯାଇଛି । ବିଦ୍ୟାଳୟକୁ ବନ୍ଦ କରାଯିବା ସହ ଟେଲିଭିଜିନ ମାଧ୍ୟମରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ସମ୍ବଲପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ ।