କନକ ବ୍ୟୁରୋ: ଲୋକସଭା ନିର୍ବାଚନ ରେଜଲ୍ଟକୁ ନେଇ ଉତ୍ତରପ୍ରଦେଶ ବିଜେପିରେ ତୁ ତୁ ମେଁ ମେଁ ସାମ୍ନାକୁ ଆସିଥିବାବେଳେ, ଏହି ଖବର ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କର ଟେନସନ୍ ବଢେଇଛି । ଆଉ ବିଜେପିର ଏହି କନ୍ଦଳ ଭିତରେ ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପୋଷ୍ଟକୁ ନେଇ ବଢିଛି ଚର୍ଚ୍ଚା । ଅଖିଳେଶ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି – ଶହେ ଆଣ, ସରକାର ବନାଅ!

Advertisment

ଚର୍ଚ୍ଚା ହେଉଛି ଏପରି ପୋଷ୍ଟ କରି ଅଖିଳେଶ ଯାଦବ ବିଜେପି ନେତା କେଶବ ପ୍ରସାଦ ମୋର୍ଯ୍ୟଙ୍କୁ ଅଫର୍ ଦେଇଛନ୍ତି । ରାଜନୈତିକ ପଣ୍ଡିତମାନେ ଅଖିଳେଶଙ୍କ ଏହି ପୋଷ୍ଟର ପୋଷ୍ଟମର୍ଟମ କରି କହୁଛନ୍ତି ଯେ, ଯଦି କେଶବ ପ୍ରସାଦ ମୌର୍ଯ୍ୟ ଶହେ ବିଧାୟକଙ୍କ ସମର୍ଥନ ନିଜ ସପକ୍ଷରେ ଆଣନ୍ତି, ତେବେ ଅଖିଳେଶ ତାଙ୍କୁ ସମର୍ଥନ ଦେବା ସହିତ ସରକାର ଗଠନ କରିବାରେ ସାହାଯ୍ୟ କରିବେ ।

ସୂଚନାଯୋଗ୍ୟ ଯେ, ଯେତେବେଳେ ବିଜେପିର ଅନ୍ତଃକନ୍ଦଳ ସାମ୍ନାକୁ ଆସିଲା, ସେତେବେଳେ ଅଖିଳେଶ କହିଥିଲେ, ବିଜେପିରେ ଚୌକି ପାଇଁ ଲଢେଇ ଚାଲିଛି । ବିଜେପି ପୂର୍ବରୁ ଅନ୍ୟ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା । ହେଲେ ଏବେ ତାଙ୍କ ନିଜ ଦଳରେ ସେହି କଥା ଚାଲିଛି ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ୟୁପିରେ ସବୁକିଛି ଠିକ୍ ଚାଲିନି । ଗୋଟିଏ ପଟେ କେଶବ ପ୍ରସାଦ ମୌର୍ଯ୍ୟ, ସଙ୍ଗଠନକୁ ସରକାର ଉପରେ ବୋଲି କହିଥିବାବେଳେ, ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅତ୍ୟଧିକ ଆତ୍ମବିଶ୍ୱାସ କାରଣରୁ ବିଜେପି ନିର୍ବାଚନରେ ପଛରେ ପଡିଲା ବୋଲି କହିଛନ୍ତି । ଯାହାକୁ ନେଇ ଏବେ ୟୁପି ରାଜନୀତି ସରଗରମ ହେଇଛି ।