ଅତରରେ ମହକିବ ନିର୍ବାଚନ ପରିବେଶ । ଅଖିଳେଶ ଆଣିଲେ ‘ସମାଜବାଦୀ ପରଫ୍ୟୁମ୍’ 

75

କନକ ବ୍ୟୁରୋ: ଆଉ ରହିବନି ମତଭେଦ । ମହକିବ ନିର୍ବାଚନ ପରିବେଶ । ଆଉ ଏଥିପାଇଁ ସ୍ୱତନ୍ତ୍ର ଅତର ପ୍ରସ୍ତୁତ କରିଛି ସମାଜବାଦୀ ପାର୍ଟି । କଥା ହେଉଛି ୨୦୨୨ରେ ହେବ ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ଆଉ ଏଥିପାଇଁ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଉ ଏହି ପ୍ରସ୍ତୁତିକୁ ନୂଆ ଢଙ୍ଗରେ ଆରମ୍ଭ  କରୁଛନ୍ତି ପାର୍ଟି ସଦସ୍ୟ ।

ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ନିର୍ବାଚନୀ ପ୍ରସ୍ତୁତିକୁ ନେଇ ବେଶ ଚଳଚଞ୍ଚଳ ହୋଇଉଠିଛନ୍ତି । ଏଥର କିଛି ନୂଆ ଢଙ୍ଗରେ କରିବେ ନିର୍ବାଚନ ରଣନୀତି । ଦଳରେ ରହିବନି କିଛି ମତଭେଦ  । ମହକିବ ନିର୍ବାଚନୀ ପରିବେଶ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ପରଫ୍ୟୁମ୍ ।  ଏହାର ପୃଷ୍ଠପୋଷକ ଦଳର ଏମଏଲସି ପୁଷ୍ପରାଜ ଜୈନ୍ । ଏହାର ଉଦ୍ଦେଶ୍ୟ ହେଉଛି ଦଳକୁ ମଜବୁତ କରିବା । ଏଥିରେ ୨୦୨୨ରେ ହେବାକୁ ଥିବା ନିର୍ବାଚନ ବେଳକୁ ଦଳରେ ଥିବା ସମସ୍ତ ବାଦବିବାଦ ଉଭେଇ ଯାଇ ଅତର ପରି ଏକତାର ବାସ ମହକିବ ।

ଏହି ପରଫ୍ୟୁମକୁ ପ୍ରସ୍ତୁତ କରିବାକୁ ୪ ମାସ ସମୟ ଲାଗିଛି । ଏହାର ସ୍ୱତନ୍ତ୍ରତା ହେଉଛି ଏହି ପରଫ୍ୟୁମରେ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ମିଳୁଥିବା ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ମିଶିଛି । ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟକୁ ବ୍ୟବହାର କରି ୨୦୨୨ବର୍ଷରେ ଦଳୀୟ ମତଭେଦକୁ ଦୂରେଇବାକୁ ଚେଷ୍ଟା କରାଯାଉଛି ।ଏହାକୁ ବ୍ୟବହାର କଲେ ସମାଜବାଦର ସୁଗନ୍ଧ ହେବ । ଏହା ଦ୍ୱରା ଭାଇଚାରା ମଧ୍ୟ ଅନୁଭବ ହେବ ବୋଲି କହିଛନ୍ତି ଅଖିଳେଶ ଓ ପୁଷ୍ପରାଜ ଜୈନ୍ ।