ୟୁପି ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ବଡ ଘୋଷଣା । ଅଖିଳେଶ କହିଲେ ଛୋଟ ଛୋଟ ଦଳମାନଙ୍କ ସହ ହେବ ମେଣ୍ଟ

210

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ରାଜ୍ୟ କୁହାଯାଉଥିବା ଉତ୍ତରପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ଏବେଠାରୁ ନେତା ମାନଙ୍କ ଭିତରେ ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ଏହି କ୍ରମରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ଛୋଟ ଛୋଟ ରାଜନୈତିକ ଦଳମାନଙ୍କ ସହ ମେଣ୍ଟ କରିବ । କେବଳ ସେତିକି ନୁହେଁ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରୁନାହିଁ । ଦେଶରେ ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗ ଆସିଲେ ବିଜେପି ପଛଘୁଞ୍ଚା ଦେଉଛି ।

କହିରଖୁ କି ୟୁପିରେ ବିଧାନସଭା ନିର୍ବାଚନକୁ ଆଉ ୧ ବର୍ଷରୁ କମ ସମୟ ରହିଛି । ହେଲେ ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଥିଲା । ଏଭଳି ପ୍ରଦର୍ଶନ ପରେ ଅଖିଳେଶ ଯାଦବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ବୁଧବାର ଦିନ ଅଖିଳେଶ ଯାଦବ ଏକ ଟ୍ୱିଟ୍ ମାଧ୍ୟମରେ ବିଧାନସଭା ନିର୍ବାଚନକୁ ନେଇ ନୀତି ସ୍ପଷ୍ଟ କରିଛନ୍ତି । ସେ ଏବେକାର ସରକାର ଉପରେ ପ୍ରଶ୍ନ ଉଠାଇ କହିଥିଲେ କି ଆଜିର ହିଂସା ଉଦ୍ରେକକାରୀ, ରୂଢୀବାଦି ନକରାତ୍ମକ ରାଜନୀତି କରୁଥିବା କ୍ଷମତାଧାରୀଙ୍କ ବିରୋଧରେ ମହିଳା ଓ ଯୁବକଙ୍କ ମଧ୍ୟରେ ନୂଆ ରାଜନୀତି ଜନ୍ମ ନେଉଛି । ଏହାସହ ଆସନ୍ତା ବର୍ଷ ୟୁପିରେ ନିର୍ବାଚନ ନୁହେଁ ଲୋକତାନ୍ତ୍ରିକ କ୍ରାନ୍ତି ହେବ ବୋଲି ସେ କହିଥିଲେ ।