ଭୁଶୁଡିବ ସମଯାଜପୁର ଓଭରବ୍ରିଜ!

24

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଯେକୌଣସି ସମୟରେ ଭୁଶୁଡିପଡିବ ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ୍ । ଏଭଳି ଆଶଙ୍କା କରିଛି ଏନ୍ଏଚ୍ଏଆଇ । ବର୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଓଭରବ୍ରିଜ୍ । ଅତିଶୀଘ୍ର ଏହାର ମରାମତି ଆବଶ୍ୟକ । ନହେଲେ ବଡ ଦୁର୍ଘଟଣା ଘଟିପାରେ । ଏଭଳି ଆଶଙ୍କା କରି ପୁରୀ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛି ଜାତୀୟ ରାଜପଥ ପ୍ରାଧୀକରଣ । ଏହା ପରେ ତତ୍ପର ହୋଇଉଠିଛି ପ୍ରଶାସନ । ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ନବକଳେବର ଭିତିଭୂମି ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସହ ଜିଲ୍ଲାପାଳ, ଏନ୍ଏଚ୍ଏଆଇ ଆଂଚଳିକ ଅଧିକାରୀ, ପିଡି ଓ ଠିକା ସଂସ୍ଥା କେଏସଏସର ଅଧିକାରୀ ସାମିଲ ହୋଇଥିଲେ ।

ସ୍ନାନଯାତ୍ରା ଥିବାରୁ ଜୁନ୍ ୩୦ ସୁଦ୍ଧା ଓଭରବ୍ରିଜ୍ ମରାମତି ସାରିବାକୁ ନିର୍ଦେଶ ହୋଇଛି । ନବକଳେବର ସମୟରେ ତିଆରି ହୋଇଥିଲା ଏହି ଓଭରବ୍ରିଜ୍ । ହେଲେ ବର୍ଷେ ନପୁରୁଣୁ ବ୍ରିଜର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କିଛି ସ୍ଥାନରେ ରାସ୍ତା ଦବି ଯାଇଛି । କିଛି ଦିନ ତଳେ ଏହାର ସମୀକ୍ଷା କରିଥିଲେ ଏନଏଚ୍ ଅଧିକାରୀ । କେଏସଏସ ଠାରୁ ଠିକା କାମ ନେଇଥିବା ଭୁବନେଶ୍ୱର ଏକ୍ରପ୍ରେସ୍ ୱେକୁ ଜଣାଇଥିଲା ମରାମତି କରିବାକୁ । ଏବେ ମରାମତି ପାଇଁ ସମୟ ମାଗିଛି ଏନ୍ଏଚ୍ଏଆଇ । ତେବେ ଆଗକୁ ରଥଯାତ୍ରା ଥିବାରୁ କାମ କେମିତି ହେବ ଏବଂ କେତେ ଶୀଘ୍ର ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

ସେପଟେ ପୁରୀ ସଚେତନ ନାଗରିକ ମଂଚ ପକ୍ଷରୁ ଏନେଇ ଆଜି ରାସ୍ତା ଅବରୋଧ କରାଯାଇଥିଲା । ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ମଂଚ ପକ୍ଷରୁ ଦାବି ହୋଇଛି ।

ଏବେ ଏନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବ୍ରିଜର ଏହି ଅବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଓ ମହେଶ୍ୱର ମହାନ୍ତିଙ୍କୁ ଦାୟି କରିଛନ୍ତି ପ୍ରସାଦ ।