କନକ ବ୍ୟୁରୋ: ୧୯ ପରୀକ୍ଷାର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍ । ଆଉ ରାଜ୍ୟ ଇତିହାସର ସବୁଠାରୁ ବଡ଼ ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ ବାଲେଶ୍ୱର ଲୋକସଭା ଆସନକୁ ପୁଣି କବଜାକୁ ନେଇପାରେ ବିଜେଡି । ପୁଣି ଏଠାରେ ବିଜେଡିର ଶଙ୍ଖ ନାଦ କରିପାରନ୍ତି ରବୀନ୍ଦ୍ର ଜେନା । ଆଉ ନିରାଶ ହୋଇ ପାରନ୍ତି ଅଭିଜ୍ଞ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ।
ସମ୍ବାଦ-କନକ ନ୍ୟୁଜ ତରଫରୁ ହୋଇଥିବା ୨୦୧୯ ମହାଯୁଦ୍ଧର ବଡ଼ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇପାରେ । ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୩ଟି ଏବଂ ବିଜେପି ଖାତାକୁ ୩ଟି ଆସନ ଆସିପାରେ ବୋଲି ରିାପୋର୍ଟ କହୁଛି । ସେହିଭଳି କଂଗ୍ରେସକୁ ମିଳିପାରେ ମାତ୍ର ଗୋଟିଏ ବିଧାନସଭା ସିଟ୍ ।
ଚଳିତ ନିର୍ବାଚନରେ ଏହି ସସଂଦୀୟ କ୍ଷେତ୍ର ଅଧିନରେ ଥିବା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଚିତ୍ କରି ବିଜେପି ଏଥର କ୍ଷମତା ଭାର ସମ୍ଭାଳିପାରେ ବୋଲି ମତଦାତାଙ୍କ ମୁଡ କହୁଛି । ଆଉ ବିଜେଡି ଓ କଂଗ୍ରେସକୁ ଏଠାରେ ଲୋକମାନେ ପ୍ରତ୍ୟାଖାନ କରିପାରନ୍ତି ବୋଲି ସମ୍ବାଦ-କନକ ନ୍ୟୁଜରେ ହୋଇଥିବା ସବୁଠାରୁ ବଡ଼ ଏକଜିଟ୍ ପୋଲ୍ ରିପୋର୍ଟରେ ମତ ରଖିଛନ୍ତି ମତଦାତା ।
ଅନ୍ୟପଟେ ଜଳେଶ୍ୱର ବିଧାନସଭା ଆସନକୁ ଏଥର ବିଜେଡି ପୁଣି ଦଖଲ କରିପାରେ । ଆଉ ଉଭୟ କଂଗ୍ରେସ-ବିଜେପିକୁ ମାତ୍ ଦେଇ ୨୦୧୪ର ଫଳାଫଳକୁ ରିପିଟ୍ କରିପାରନ୍ତି ବିଜେଡି ପ୍ରାର୍ଥୀ ଅଶ୍ୱିନୀ ପାତ୍ର ବୋଲି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ କହୁଛି ।
ସେପଟେ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଭୋଗରାଇ ବିଧାନସଭା ଆସନରେ ପୁର୍ନବାର ବିଜେଡି ଗଡ଼ ଅଭେଦ ରହିପାରେ । କାରଣ ବିଜେଡି ଜନ୍ମ ପରଠାରୁ ଭୋଗରାଇବାସୀଙ୍କ ଭରସା ମନ୍ତ୍ରୀ ତଥା ବିଜେଡି ବରିଷ୍ଠ ନେତା ଅନନ୍ତ ଦାସ ଜିତିଆସିଛନ୍ତି । ତେଣୁ ଏଥର ମଧ୍ୟ ଉଭୟ ବିଜେପି ଓ କଂଗ୍ରେସକୁ ପଛରରେ ପକାଇ ପାରନ୍ତି ବୋଲ ରିପୋର୍ଟ କହୁଛି ।
ଅପରପକ୍ଷେ ବସ୍ତା ନିର୍ବାଚନ ମଣ୍ଡଳୀରେ ଗତ ୪ଟି ନିର୍ବାଚନରେ ବିଜୟ ବାନା ଉଡ଼ାଇ ଆସୁଥିବା ବିଜେଡି ବିଜୟ ରଥରେ ବ୍ରେକ୍ ଲାଗିପାରେ । ଆଉ ବସ୍ତାରେ ଏଥର କଂଗ୍ରେସ ‘ହାତ’କୁ ମଜଭୁତ କରି ବିଜୟ ତିଳକ ପିନ୍ଧିପାରେ ବୋଲି ବୁଥ୍ ଫେରନ୍ତା ମତ ବା ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।
ସେହିଭଳି ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବାଜିମାତ୍ କରିପାରେ ବିଜେପି । ୧୯ ଯୁଦ୍ଧରେ ଜିତିବା ପାଇଁ ଯେଉଁ ପୁରୁଣା ଚେହେରାଙ୍କ ନେଇ ନୂଆ ଲଢ଼େଇ ଆରମ୍ଭ କରିଥିଲେ ତିନି ଦଳ ସେଥିରେ ବିଜେପିର ପଲା ଭାରି ରହିପାରେ ବୋଲି ବୁଥ୍ ଫେରନ୍ତା ମତ କହୁଛି । ଆଉ ବିଜେଡିର ହ୍ୟାଟ୍ରିକ୍ ବିଜୟ ସ୍ୱପ୍ନକୁ ଭାଙ୍ଗି ଧୂଳିସାତ୍ କରିପାରେ ବିଜେପି ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।
ସମ୍ବାଦ-କନକ ନ୍ୟୁଜ ତରଫରୁ ହୋଇଥିବା ୧୯ ମହାଯୁଦ୍ଧର ବଡ଼ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ, ରେମୁଣା ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡିର ବିଜୟ ପଥକୁ ରୋକି ବିଜେପି ଏହି ଆସନକୁ ଦଖଲ କରିପାରେ । ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ଏଠାରେ ଉଭୟ ବିଜେପି ଓ ବିଜେପି ଥରେ ଲେଖାଏଁ କ୍ଷମତା ଭାର ସମ୍ଭାଳିଛନ୍ତି । କିନ୍ତୁ ଏଥର ଏକଜିଟ୍ ପୋଲ୍ ବିଜେପି ସପକ୍ଷରେ ଯାଇପାରେ ବୋଲି ରିପୋର୍ଟ କହୁଛି ।
ଅନ୍ୟପଟେ ନୀଳଗିରି ବିଧାନସଭା ଆସନରେ ଏଥର ୨୦୧୪ର ଫଳାଫଳକୁ ରିପିଟ୍ କରିପାରେ ବିଜେଡି ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ନିଜର ନେତା ବାଛିପାରନ୍ତି ନୀଳଗିରିବାସୀ ବୋଲି ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟରୁ ଅନୁମାନ କରାଯାଉଛି ।