କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ । କହିଲେ, ପାକିସ୍ତାନ ଆକାଶରେ ଭାରତୀୟ ଯୁଦ୍ଧ ବିମାନ ଉଡାଇବା ଠିକ୍ ନଥିଲା

କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ

353

କନକ ବ୍ୟୁରୋ : କଂଗ୍ରେସ ନେତା ସାମ ପିଟ୍ରୋଡା ପୁଲୱାମାକୁ ନେଇ  ବିବାଦୀୟ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ଯେ, ଆକ୍ରମଣ ଗୁଡିକ ସମ୍ପର୍କରେ ତାଙ୍କର ଅଧିକ ଧାରଣା ନାହିଁ କିନ୍ତୁ ଏପରି ଆକ୍ରମଣ ସବୁବେଳେ ହୁଏ । ମୁମ୍ବାଇରେ ମଧ୍ୟ ଆକ୍ରମଣ ହୋଇଥିଲା ଏବଂ ସେହି ସମୟରେ ବି ପାକିସ୍ତାନକୁ ବିମାନ ପଠାଯାଇଥାନ୍ତା କିନ୍ତୁ ତାହା କରାଗଲା ନାହିଁ । ଏବଂ ପାକିସ୍ତାନକୁ ଯୁଦ୍ଧ ବିମାନ ପଠାଇବା ଅନୁଚିତ ବୋଲି ସାମ ପିଟ୍ରୋଡା କହିଛନ୍ତି । କିଛି ଲୋକଙ୍କ ପାଇଁ ସମଗ୍ର ପାକିସ୍ତାନକୁ ଦାୟୀ କରିବା ଭୁଲ ବୋଲି ମଧ୍ୟ ନିଜ ବୟାନରେ କହିଛନ୍ତି ସାମ ପିଟ୍ରୋଡା ।

ଏହାସହ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମ ପିଟ୍ରୋଡା । ସେ କହିଛନ୍ତି ଯେ, ବାଲାକୋଟରେ ଭାରତୀୟ ସେନା ଯଦି ଆକ୍ରମଣ କରିଛି ଓ ୩ ଶହ ଆତଙ୍କବାଦୀକୁ ନିହତ କରାଯାଇଛି ତେବେ ଭାରତ ସରକାର ଏହାର ତଥ୍ୟ ପ୍ରମାଣ ଦିଅନ୍ତୁ । ଏହାସହ ପାକିସ୍ତାନ ସୀମାରେ ଭାରତୀୟ ଯୁଦ୍ଧ ବିମାନ ଉଡାଇବ ଅନୁଚିତ ଥିଲା ବେଲି ପିଟ୍ରୋଡା କହିଛନ୍ତି । ତେବେ ପୁଲୱାମା ଆକ୍ରମଣକୁ ନେଇ କଂଗ୍ରେସର ଅନେକ ନେତା ପୂର୍ବରୁ ବିବାଦୀୟ ବୟାନ ଦେଇଛନ୍ତି । ତେବେ ଆଜି ପୁଣି ଥରେ କଂଗ୍ରେସ ନେତାଙ୍କ ଏପରି  ବିବାଦୀୟ ବୟାନ ଦେବାପରେ ରାଜନୀତି ଜୋର ଧରିଛି ।