୨୪ ଘଂଟାରେ କୁବେରରୁ ବନିଗଲେ କାଙ୍ଗାଳ: ନିଜକୁ ଦେବାଳିଆ ଘୋଷଣା କଲେ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫଟିଏକ୍ସର ପ୍ରତିଷ୍ଠାତା ସାମ୍ ଫ୍ରାଏଡ

475

କନକ ବ୍ୟୁରୋ: ଅର୍ଥ କମାଇବା ପାଇଁ ଲୋକେ ଦିନରାତି ଏକ କରି ଦିଅନ୍ତି । ଥରେ ଭାବନ୍ତୁ ଯଦି ସେହି ଟଙ୍କା ରାତାରାତି ଗାଏ ହୋଇଯିବ, ତେବେ କ’ଣ ହେବ? ଠିକ୍ ଏମିତି କିଛି ଘଟିଛି କ୍ରିପ୍ଟୋ ଏକ୍ସଚେଞ୍ଜ ତଥା ଏଫଟିଏକ୍ସର ପ୍ରତିଷ୍ଠାତା ସାମ ବ୍ୟାଙ୍କମ୍ୟାନ ଫ୍ରାଏଡଙ୍କ ସହ । କୋଟିପତି ଫ୍ରାଏଡଙ୍କୁ ଏବେ ବଡ଼ ଝଟକା ଲାଗିଛି । ୨୪ ଘଂଟା ଭିତରେ ପାଖାପାଖି ୧୧ଶହ ୬୭ କୋଟି ଡଲାର ଟଙ୍କାର କ୍ଷତି ହୋଇଛି । ଆଉ ୨୬ ଶହ କୋଟି ଡଲାର ତଥା ୧ ଲକ୍ଷ ୩୧ ହଜାର ୨ ଶହ କୋଟିର ମାଲିକ ଥିବା ସାମଙ୍କ ପାଖରେ ଏବେ କିଛି ନାହିଁ । ଖୋଦ୍ ଫ୍ରାଏଡ ଟ୍ୱିଟ୍ କରି ଏହା ଜଣାଇଛନ୍ତି ।

୨୪ ଘଂଟା ମଧ୍ୟରେ ଫ୍ରାଏଡଙ୍କ ସମ୍ପତିର ୯୪ ପ୍ରତିଶତ ହ୍ରାସ ପାଇଛି । ବିଶ୍ୱ ଇତିଆସରେ ଏଭଳି କୌଣସି ଧନୀ ବ୍ୟକ୍ତଙ୍କ ସମ୍ପତି ହ୍ରାସ ହେବା ଦେଖିବାକୁ ମିଳିନଥିଲା । କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇବା କାରଣରୁ ତାଙ୍କର ସମ୍ପତି ମଧ୍ୟ ହ୍ରାସ ପାଇଛି ।

ବିଟକଏନ ଭଳି ଚର୍ଚ୍ଚିତ କ୍ରିପ୍ଟୋକରେନ୍ସ ମୂଲ୍ୟରେ ବୃଦ୍ଧି ସହ ସାମଙ୍କ ସମ୍ପତି ବୃଦ୍ଧି ପାଇଥିଲା । ପରେ ବିଟ୍ କଏନ ମୂଲ୍ୟ ହ୍ରାସ ପରେ ଏଭଳି ସ୍ଥିତିକୁ ଚାଲିଆସିଛନ୍ତି ସାମ । ଏସିଆ- ଆମେରିକା ବଜାରରେ ବିଟକଏନ୍ ମୂଲ୍ୟ ଫ୍ରାଏଡାଙ୍କୁ ପ୍ରଚୁର ଲାଭ ଦେଇଥିଲା । ଏଫଟିଏକ୍ସ ବିକ୍ରି ହେବା ଖବର ସାମ୍ନାକୁ ଆସିବା ପୂର୍ବରୁ ଫ୍ରାଏଡଙ୍କ ମୋଟ ସମ୍ପତି ୧୫ ଦଶମିକ ୨ ବିଲିୟନ ଡଲାର ଥିଲା । କିନ୍ତୁ ରାତାରାତି ତାଙ୍କ ସମ୍ପତି ୧୪ ଦଶମିକ ୬ ବିଲିୟନ ଡଲାର ହ୍ରାସ ପାଇଥିଲା । କ୍ରିପ୍ଟୋ ଦୁର୍ବଳ ହେବା ପରେ ଫ୍ରାଏଡାଙ୍କ କମ୍ପାନୀ ଏଫ୍ଟିଏକ୍ସର ଆୟ ସଙ୍କୁଚିତ ହୋଇଛି । ସଂସ୍ଥା ବଂଚାଇବା ପାଇଁ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥା ବିନାନ୍ସକୁ ବିକ୍ରି ପାଇଁ ଉଦ୍ୟମ କରିଥିଲେ । ବିନାନ୍ସ ରାଜି ହୋଇଥିଲେ ମଧ୍ୟ ପରବର୍ତୀ ସମୟରେ ଏଥିରୁ ଓହରି ଯାଇଥିଲେ । ଯେଉଁଥି ପାଇଁ କିଛି ଉପାୟ ନପାଇ ନିଜକୁ ଦେବାଳିଆ ଘୋଷଣା କରିଛନ୍ତି ଫ୍ରାଏଡ୍ । ଆମେରିକୀୟ ଆଇନ ଅନୁସାରେ ଏହି ଆବେଦନ କରିଛନ୍ତି ଫ୍ରାଏଡ । ଏବେ ଆସନ୍ତୁ ନଜର ପକାଇବା ସ୍ୟାମ୍ ବ୍ୟାଙ୍କମ୍ୟାନ୍ କିଏ?

ସ୍ୟାମ୍ ବ୍ୟାଙ୍କମ୍ୟାନ୍ କିଏ?
– ଆମେରିକାର ୩୦ ବର୍ଷୀୟ ଯୁବକ ହେଉଛି ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡା
– ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ମେଧାବୀ ପୁଅ
– ଏମ୍ଆଇଟି ଭଳି ଅନୁଷ୍ଠାନରେ ସେ ପାଠ ପଢିଛନ୍ତି
– ଡିଜିଟାଲ ମୁଦ୍ରା ଦୁନିଆରେ ଚର୍ଚ୍ଚିତ ଚେହେରା ଥିଲେ
– ଅଳ୍ପ ଦିନରେ ବିପୁଳ ସମ୍ପତିର ମାଲିକ ହୋଇପାରିଥିଲେ
– ଆମେରିକାର ବିଶିଷ୍ଟ ନିବେଶକ ୱାରେନ୍ ବଫେଟ୍ଙ୍କ ସହ ତୁଳନା କରାଯାଉଥିଲା
– ବିପୁଳ ସମ୍ପତ୍ତି ଥିବାରୁ ବହୁତ କିଛି ଦାନ କରୁଥିଲେ ଫ୍ରାଏଡା

୯୪ ପ୍ରତିଶତ ସମ୍ପତି ହ୍ରାସ ପାଇବା ପରେ ଏବେ ଫ୍ରାଏଡଙ୍କ ମୋଟ ସମ୍ପତି ୯୯୧ ଦଶମିକ ୫ ମିଲିୟନ ଡଲାର ଥିବା ଜଣାପଡ଼ିଛି । ଏବେ ଏହି ମାମଲାରେ ତଦନ୍ତ ଭାର ଆମେରିକାର ଜଷ୍ଟିସ୍ ଡିପାର୍ଟମେଂଟ ଓ ସିକ୍ୟୁରିଟି ଏକ୍ସଚେଂଜକୁ ଦିଆଯାଏଛି ।