ମୁଁ ବି କମ୍ ନୁହେଁ ! କବିତାଙ୍କ ହାତରେ ଷ୍ଟିଅରିଂ; ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଳାଇ ଚଳାଉଛନ୍ତି ଅଟୋ

417

କନକ ବ୍ୟୁରୋ: ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇନାହାନ୍ତି ନାରୀ। ସମାଜରେ ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଭିନ୍ନ ବାଧାବିଘ୍ନ ଭିତରେ ବି ନିଜକୁ ପ୍ରତିଷ୍ଠିତ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା।  ଗୋଟିଏ ରକ୍ଷଣଶୀଳ ସମାଜରେ ବିବାହ କରି କାହା ଘରର ବୋହୂ ହେବା ପରେ ସମ୍ପୃକ୍ତ ମହିଳାଙ୍କ ପାଇଁ ଶାଶୂଘର ଏରୁଣ୍ଡି ଡେଇଁବା କଷ୍ଟକର। ହାଣ୍ଡିଶାଳ ଓ ସ୍ବାମୀ-ଶ୍ବଶୁରଙ୍କ କଥା ବୁଝୁବୁଝୁ ଦିନ ସରିଯାଇଥାଏ। ଏଭଳି ସ୍ଥିତିରେ ପରିବାର ଓ ପେଟପାଟଣା ପାଇଁ ଘରୁ ଗୋଡ଼କାଢ଼ି ଅଟୋ ଚଳାଉଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ନହବେଡ଼ା ଗ୍ରାମର କବିତା ପ୍ରଧାନ। ଅଟୋ ଚଳାଇ କବିତା ପରିବାର ପ୍ରତିପୋଷଣରେ ସ୍ବାମୀ ଓ ଶ୍ବଶୁରଙ୍କୁ ସହଯୋଗ କରିବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ନହବେଡ଼ା ଗାଁକୁ ପ୍ରାୟ ୧୧ ବର୍ଷ ତଳେ ବୋହୂ ହୋଇ ଆସିଥିଲେ କବିତା। ଗ୍ରାମର ଶଙ୍କର୍ଷଣ ପ୍ରଧାନଙ୍କୁ ବିବାହ କରିଥିଲେ। ଶଙ୍କର୍ଷଣଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। ଇତିମଧ୍ୟରେ କବିତାଙ୍କ ଦୁଇ ଝିଅ ଜନ୍ମ ହୋଇଥିଲେ। ଏବେ ବଡ଼ ଝିଅର ବୟସ ୯ ବର୍ଷ ହୋଇଥିବାବେଳେ ସାନଝିଅକୁ ୭ ବର୍ଷ। ସ୍ବାମୀ ଶଙ୍କଷର୍ଣ ଓ ଶାଶୂ-ଶ୍ବଶୁରଙ୍କ ରୋଜଗାରରେ ଘର ଚଳିବା ସହ ପିଲାଙ୍କୁ ପାଠ ପଢ଼ାଇବା ଅତ୍ୟନ୍ତ କଷ୍ଟକର ହେବାରୁ ନିଜେ କିଛି କରିବା ପାଇଁ ଚିନ୍ତା କରିଥିଲେ କବିତା। କ’ଣ କରିବେ ନ କରିବେ ସେନେଇ ଚିନ୍ତା କରୁକରୁ ଅଟୋ ଚଳାଇ ପରିବାର ପୋଷିବାକୁ ନିଷ୍ପତ୍ତି ନେଇଥିଲେ। ବୋହୂଟିଏ ଘର ଏରୁଣ୍ଡି ଡେଇଁ ଅଟୋ ଚଳାଇବା କଥା ପ୍ରଥମେ ସମସ୍ତଙ୍କୁ ବିସ୍ମିତ କରିଥିଲା। କିନ୍ତୁ ଏ ଦିଗରେ ସ୍ବାମୀ ଶଙ୍କର୍ଷଣ ତାଙ୍କୁ ସହଯୋଗ ଓ ସାହସ ଦେଇଥିଲେ। ପ୍ରାୟ ବର୍ଷେ ହେଲା କବିତା ଏକ ଡାଲା ଅଟୋ ଚଳାଉଛନ୍ତି। ପ୍ରତିଦିନ ନିଜ ଅଞ୍ଚଳରେ ଥିବା ହାଟକୁ ସେ ବିଭିନ୍ନ ରାସନ ସାମଗ୍ରୀ ଅଟୋରେ ନେଇ ବିକ୍ରି କରୁଛନ୍ତି। ଏଥିରେ ସ୍ବାମୀ ଶଙ୍କର୍ଷଣ ତାଙ୍କୁ ସହଯୋଗ କରୁଛନ୍ତି।

ଅଟୋ ଚଳାଇବା ପରେ କବିତାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି। ଦୁଇଝିଅଙ୍କୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ାଇବା ସହ ପ୍ରତି ମାସରେ ଅଟୋ କିସ୍ତି ମଧ୍ୟ ଶୁଝୁଛନ୍ତି। ଗାଁ ପୋଷ୍ଟ ଅଫିସରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଦୁଇଝିଅଙ୍କ ଆକାଉଣ୍ଟ ଖୋଲି କିଛି କିଛି ସଞ୍ଚୟ କରିବାରେ ସଫଳ ହୋଇଛନ୍ତି। କବିତା କୁହନ୍ତି, ଦୁଃଖକଷ୍ଟରେ ଚଳିବା ଅପେକ୍ଷା ପରିଶ୍ରମ କରି ରୋଜଗାର କରିବା ଭଲ। ସେଇଥିପାଇଁ ଅଟୋ ଚଳାଇବା ଶିଖିଲି। ପ୍ରଥମେ ମୋ ଅଟୋ ଚଳାଇବାକୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। କିନ୍ତୁ ମୋ ସ୍ବାମୀ ଏହି କ୍ଷେତ୍ରରେ ବେଶ୍ ସହଯୋଗ କଲେ ବୋଲି କବିତା କହିଛନ୍ତି।

Comments are closed.