ଓଡିଶାକୁ ପୋଲିସକୁ ଶହେ ସଲାମ । ବାଧା ସାଜିନଥିଲା ବର୍ଷା, ଅନ୍ଧାର କିଟିମିଟି ରାସ୍ତାରେ ଦେଖାଇଥିଲେ ଅଦମ୍ୟ ସାହସ । ଫୋନି ବାତ୍ୟାରେ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ ଓଡିଶା ପୋଲିସ

226

କନକ ବ୍ୟୁରୋ : ଫୋନି ଯେଉଁ ତାଣ୍ଡବ ରଚିଛି ସେଥିରୁ ଏଯାଏଁ ମୁକୁଳିପାରିନି ଓଡିଶା । ଫୋନିର ବିଦାୟ ପରେ ରାସ୍ତାକୁ ଦ୍ୱାରପାଳ ଭଳି ବନ୍ଦ କରି ରଖିଛନ୍ତି ବଡ ବଡ ମହାଦ୍ରୁମ । କେଉଁଠି ବିଦ୍ୟୁତ ଖୁଣ୍ଟ ରାସ୍ତାର ଏ ପାରିରୁ ସେପାରି ପର୍ଯ୍ୟନ୍ତ ଶୋଇ ରହିଛି ତ ପୁଣି କେଉଁଠି ବଡ ବଡ ଟାୱାର ରାସ୍ତାକୁ ଅବରୋଧ କରି ରଖିଛି । ଯେଉଁଥିପାଇଁ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଆଉ ଏଭଳି ସମୟରେ ସାଧାରଣ ଲୋକଙ୍କ ପାଇଁ ଦେବଦୂତ ଭାବେ ଓହ୍ଲାଇ ଆସିଛନ୍ତି ଓଡିଶା ପୋଲିସ । ଫୋନି ପୂର୍ବରୁ ହେଉ ଅବା ପରେ ଓଡିଶା ପୋଲିସ ଯେଉଁ ଅଦମ୍ୟ ସାହସ ଦେଖାଇଛି ତାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।

ଫୋନି ଲ୍ୟାଣ୍ଡଫଲ କରିବା ପୂର୍ବରୁ ଓଡିଶାର ପୋଲିସ ଯେଉଁ ଫର୍ମୁଲା ଆପଣାଇଥିଲା ସେଥିପାଇଁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା । ପ୍ରତି ଘର ବୁଲି ଲୋକଙ୍କୁ ନିରାପଦ ସ୍ଥାନକୁ ନେଇଥିଲା ପୋଲିସ । ଏପରିକି ଯେଉଁ ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ରାଜି ହେଉନଥିଲେ ସେମାନଙ୍କୁ ଚିରାଚରିତ ଢଙ୍ଗରେ ନାଲିଆଖି ଦେଖାଇ ନୁହେଁ ବରଂ ହାତ ଯୋଡି ସାଙ୍ଗରେ ଯିବାକୁ ଅନୁରୋଧ କରିଥିଲେ ପୋଲିସ ଅଧିକାରୀ ।

ଏ ତ ଥିଲା ଫୋନି ଆସିବା ପୂର୍ବର ଚିତ୍ର । କିନ୍ତୁ ଫୋନି ଆରମ୍ଭ ହେବା ପରେ ମଧ୍ୟ ନିଜ ଦାୟିତ୍ୱରୁ ଦୂରେଇ ନଥିଲେ ଓଡିଶା ପୋଲିସ ସାହସୀ ଅଫିସର । ଫୋନି ଭୟରେ ଯେତେବେଳେ ଲୋକେ ଘରର ଚାରିକାନ୍ଥ ମଧ୍ୟରେ ନିଜକୁ ବନ୍ଦ କରି ରଖିଥିଲେ ସେତେବେଳେ ଫୋନିକୁ ମୁକାବିଲା କରିବାକୁ ରାସ୍ତାକୁ ଓହ୍ଲାଇଥିଲେ ପୋଲିସ ଅଫିସର । ନିର୍ଭୟର ସହ ଫୋନିକୁ ସାମ୍ନା କରିଥିଲେ ଓଡିଶାର ଏହି ବୀର ପୋଲିସ ଅଫିସର । ଏପରିକି କିଛି ପୋଲିସ ଅଫିସର ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚି ଲୋକଙ୍କର ମନୋବଳ ବଢାଇବା ସହ ସମସ୍ୟାର ସମାଧାନ କରିବାକୁ କୌଣସି ସୁଯୋଗ ହାତଛଡା କରିନଥିଲେ ।

ଫୋନି ପ୍ରଳୟରେ ଅଧା ରାଜ୍ୟ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ ଓଡିଶା ପୋଲିସ ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । କାରଣ ରାସ୍ତାରେ ପଡି ରହିଥିଲା ହଜାର ହଜାର ଗଛ ଓ ବିଦ୍ୟୁତ୍ ଖୁଣ୍ଟ । ଯେତେବେଳେ ଲୋକେ ନିଜ ପରିବାରର ପାଖେ ପାଖେ ରହିବାକୁ ଉଚିତ୍ ମଣିଥାନ୍ତି ଠିକ୍ ସେତିକିବେଳେ ଜନସାଧାରଣଙ୍କ ଦୁଖ,ଦୁର୍ଦିନରେ ପାଖରେ ଠିଆ ହୋଇ ବିନା ଡାଇଲଗବାଜି, ବିନା ସ୍ୱାର୍ଥରେ,ବିନା ଦ୍ୱିଧାରେ, ନିଜର ଦୁଃଖଦ ସମୟକୁ,ନିଜ ପରିବାରକୁ, ନିଜ କୁନିକୁନି ପିଲାମାନଂକର ଆଖିର ଲୁହକୁ, ନିଜର ସବୁ ସମସ୍ୟାକୁ ଭାଗ୍ୟ ଓ ଭଗବାନଂକ ହାତରେ ଟେକି ଦେଇ ନିଜର ଦାୟୀତ୍ୱ କୁ ସମ୍ପାଦନ କରିବାକୁ ଆଗେଇ ଆସିଥିଲେ ।

ଆଇପିଏସ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନେଷ୍ଟବଳଙ୍କ ପର୍ଯ୍ୟନ୍ତ ରାସ୍ତାକୁ ଓହ୍ଲାଇଥିଲେ ସମସ୍ତେ । କିଏ ରାସ୍ତାରୁ ଗଛ ଟାଣି ସଫା କରୁଥିଲା ତ ପୁଣି କିଏ ରାସ୍ତାରୁ ବିଦ୍ୟୁତ୍ ଖୁଣ୍ଟ ଉଠାଇବାକୁ ମଧ୍ୟ ପଛାଇନଥିଲେ । ଯେଉଁଥିପାଇଁ କେବଳ ପୁରୀକୁ ଛାଡିଦେଲେ ବାକି ଅନ୍ୟ ସ୍ଥାନରେ ଖୁବ କମ ସମୟ ମଧ୍ୟରେ ସଫା ହୋଇଯାଇଥିଲା ମୁଖ୍ୟ ରାସ୍ତା । ଏପରିକି କିଛି ପୋଲିସ ଅଫିସର ବାତ୍ୟାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଛାଡିବା ସହ ଲୋକଙ୍କ ମନ ଜିଣି ନେଇଥିଲେ । ଆଉ ବାତ୍ୟା ଫୋନି ବେଳେ ପୋଲିସ କର୍ମଚାରୀଙ୍କ ଏଭଳି ପ୍ରୟାସ ଏବେ ଲୋକଙ୍କ ମନରେ ପୋଲିସ ପ୍ରତି ଥିବା ଧାରଣାକୁ ବଦଳାଇବାକୁ ବାଧ୍ୟ କରିଛି । ଓଡିଶା ପୋଲିସର ଏଭଳି ସାହସିକ କାମ ପାଇଁ ଏବେ ପୂରା ରାଜ୍ୟବାସୀ ପୋଲିସ ବିଭାଗକୁ ସଲାମ କରୁଛନ୍ତି ।