ଲୁଣା ଘେରି ବନ୍ଧରେ ଘାଈ : ଚାଷ ଜମିରେ ମାଡିଗଲା ଲୁଣା ଜୁଆର; ପାଚିଲା ଧାନ ଫସଲ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ

36

କନକ ବ୍ୟୁରୋ : ଲୁଣା ଘେରି ବନ୍ଧରେ ଘାଈ । ଜୁଆର ଉଠି ଚାଷ ଜମିରେ ମାଡିଗଲା ଲୁଣା ଜୁଆର । ପାଚିଲା ଧାନ ଫସଲ ନଷ୍ଟ ଆଶଙ୍କା । ଲୁଣା ପାଣି ମାଡିଯିବାରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖରିନାସି ପଂଚାୟତର ୮ ଶହ ଏକର ଏବଂ ହରିଆବାଙ୍କ ପାଟରେ ଥିବା ହଜାର ହଜାର ହେକ୍ଟର ଚାଷଜମିରେ ଲୁଣା ଜୁଆର ମାଡି ଫସଲ ନଷ୍ଟ ହେବାର ଆଶଙ୍କ ସୃଷ୍ଟି ହୋଇଛି ।

ସମୁଦ୍ରରୁ ଉଠୁଥିବା ଲୁଣା ଜୁଆର ସ୍ଥାନୀୟ ଅଂଚଳରେ ପ୍ରବାହିତ ହେଉଥିବା ନଦୀରେ ପ୍ରବେଶ କରି ଯେମିତି ଚାଷ କମିକୁ ନମାଡିବ ସେଥିପାଇଁ ନିର୍ମାଣ ହୋଇଛି ପ୍ରାୟ ୯ କିଲୋମିଟର ଲମ୍ବର ଲୁଣା ଘେରି ବନ୍ଧ । କିନ୍ତୁ ଏହି ବନ୍ଧରେ ଦୁଇଟି ଘାଈ ସୃଷ୍ଟି ହେବା ଦ୍ୱାରା ଲୁଣା ପାଣି ଚାଷ ଜମିକୁ ମାଡି ଯାଇଛି । ଘେରି ବନ୍ଧର ବେନାମି ସ୍ଲୁଇସ୍ ନିକଟରେ ପ୍ରାୟ ୨୦ ଫୁଟର ଘାଈ ସୃଷ୍ଟି ହୋଇଥିବା ବେଳେ ଆଉ କିଛି ଦୂରରେ ଅନ୍ୟ ଏକ ୧୦ ଫୁଟର ଘାଈ ସୃଷ୍ଟି ହୋଇଛି । ମାତ୍ର ୪ମାସ ତଳେ ତଟବନ୍ଧ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି ଘାଇ ମରାମତି କାର୍ଯ୍ୟ ହୋଇଥିଲା । କିନ୍ତୁ ଏବେ ପୁଣି ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।