ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ଭାତ, ଲୁଣ । ଭିଡିଓ ଭାଇରାଲ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

250

କନକ ବ୍ୟୁରୋ: ପିଲାଙ୍କୁ ସ୍କୁଲ ମୁହାଁ କରିବା ସହ ସେମାନଙ୍କୁ ସୁଷମ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସ୍କୁଲ ମାନଙ୍କରେ ଦିଆଯାଉଛି ମଧ୍ୟାହ୍ନ ଭୋଜନ । ହେଲେ କିଛି ସ୍ଥାନରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଦେଖିବା ପରେ ଏହି ଯୋଜନା କେତେ ସଫଳ ସେନେଇ ସୃଷ୍ଟି ହେଉଛି ପ୍ରଶ୍ନ ।

ଅଯୋଧ୍ୟାର ଏକ ସ୍କୁଲରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣ ପରସା ଯାଇଥିଲା । ଯାହାକୁ ପିଲାମାନେ ମଧ୍ୟ ଖାଉଥିବାର ଦେଖାଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି ।

ଅଯୋଧ୍ୟା ଜନପଦର ବିକାପୁର ଅଞ୍ଚଳରେ ଥିବା ପରିଷଦୀୟ ପ୍ରାଥମିକ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାଧିକାରୀ । ପ୍ରମାଣ ଆଧାରରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ନ କରାଯାଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କହିଛନ୍ତି ।

କିଛି ଅଭିଭାବକ ଏନେଇ ପୂର୍ବରୁ ଅନେକ ଥର ଅଭିଯୋଗ କରିଥିବାବେଳେ ସ୍କୁଲରେ ଆସି ହଙ୍ଗାମା କରିଥିଲେ । ତାଙ୍କ ମଧ୍ୟରୁ କେହି ପିଲାମାନେ ମଧ୍ୟହ୍ନ ଭୋଜନ ଖାଉଥିବାର ଦୃଶ୍ୟକୁ ରେକଡିଙ୍ଗ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ କେହି ଶିକ୍ଷକଙ୍କୁ ରାଗିଯାଇ ଗାଳି କରୁଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି ।ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।