ନବରଙ୍ଗପୁରରେ ଲୁଣ ପାଇଁ ଲମ୍ବା ଲାଇନ । କିଲୋ ପିଛା ୪୦ରୁ ୫୦ ଟଙ୍କା ଦେଇ ବୋହି ନେଉଛନ୍ତି ଲୋକେ । ବଜାରରେ ଲୁଣ ମିଳୁନଥିବା ଗୁଜବ

ଗୁଜବ ପ୍ରତି ଆଦୌ ଧ୍ୟାନ ଦିଅନ୍ତୁ ନାହିଁ

1,943

କନକ ବ୍ୟୁରୋ: ଲୁଣ ପାଇଁ ଲମ୍ବା ଲାଇନ୍ । କରୋନା କଟକଣା ଭିତରେ ଲୁଣ ଗୁଜବର ଖବର । ବଜାରରେ ଲୁଣ ଅଭାବର ଗୁଜବ ପ୍ରଚାର ହେବା ପରେ ଲୁଣ କିଣିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ । ନବରଙ୍ଗପୁର ଆସିଛି ଏଭଳି ଖବର । ଲୁଣ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକିି୍ରି ହେଉଛି । ଲୁଣ ଆସୁଥିବା ଟ୍ରକରୁ ଲୋକେ ଲୁଣ ଟାଣି ନେଉଛନ୍ତି ।

ଲକଡାଉନ ହେତୁ ଗୋଟିଏ ପଟେ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ପାଉଥିବା ବେଳେ ବଜାରରେ ଲୁଣର ଅଭାବ ନେଇ ଗୁଜବ ପ୍ରଚାର ହେବା ପରେ ଦୋକାନ ସାମନାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହା ସଂପୂର୍ଣ୍ଣ ଗୁଜବ । ଲୋକମାନେ ଏଥିରୁ ଦୂରେଇ ରହିବା ଦରକାର । ଲୁଣ ଅଭାବ ନେଇ ଜିଲ୍ଲା ପ୍ରଶାସନ ନେଇ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ଗୁଜବ ପ୍ରତି ଲୋକମାନେ ଆଦୌ ଧ୍ୟାନ ନଦିଅନ୍ତୁ ।

ଅନ୍ୟପଟେ, ବଜାରରେ ଲୁଣ ମିଳୁନଥିବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଜିଲ୍ଲାରେ ପର୍ୟ୍ୟାପ୍ତ ପରିମାଣର ଲୁଣ ମହଜୁଦ ଅଛି । ୧୦ଟି ବ୍ଲକ ଓ ମ୍ୟୁନିସିପାଲଟିରେ ମହଜୁଦ ଅଛି । ତେବେ ଲୁଣ ନମିଳିବା ନେଇ ଖବରର କୌଣସି ସତ୍ୟତା ନାହିଁ । ତେଣୁ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର କହିଛନ୍ତି । ଗୁଜବ ପ୍ରତି ଲୋକମାନେ ଆଦୌ ଧ୍ୟାନ ନଦିଅନ୍ତୁ ।