ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ସଲମାନ । ସିଲଭର ସିଟି ଦେଖିବ ସୁଲତାନଙ୍କ ଜଲୱା

380

କନକ ବ୍ୟୁରୋ : ହକି ବିଶ୍ୱକପ ସେଲିବ୍ରେସନ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ସଲମାନ୍ ଖାନ୍ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ୬.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କାର ଯୋଗେ ବାରବାଟୀ ଷ୍ଟାଡିୟମ ଯାଇଥିଲେ ସଲମାନ୍ । ସଡକପଥରେ ଯାଉଥିବାରୁ ସଲମାନଙ୍କୁ ଦେଖିବାକୁ ବିମାନବନ୍ଦର ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଲୋକ ମାନେ ଅପେକ୍ଷା କରି ରହିଥିଲେ । ଏପରିକି ସଲମାନଙ୍କ ଝଲକ ଟିକିଏ ପାଇବାକୁ ରାସ୍ତାକଡରେ ଶହ ଶହ ପ୍ରଂଶସକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ବାରବାଟୀରେ ସଲମାନ ପହଞ୍ଚିବା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ନବୀନଙ୍କ ଉପସ୍ଥିତିରେ ଏ.ଆର ରେହମାନ ନିଜ ସଙ୍ଗୀତ ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ରଖିଛନ୍ତି । ଆଉ ଏସବୁ ଭି୍ତରେ ସଲମାନଙ୍କ ସୋ’କୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଲାଇଭ ସୋ’ ଦେଖିବାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଧାଇଁ ଆସିଛନ୍ତି ହଜାର ହଜାର ପ୍ରଂଶସକ । ତେବେ ଏଥିପାଇଁ ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଭିତରେ ଓ ବାହାରେ କଡା ପହରା ଦେଉଛନ୍ତି ପୋଲିସ ।