ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଲେ ସଲମାନ ଖାନ୍ । ପୋଲିସକୁ କହିଲେ, ମୋତେ କୌଣସି ପ୍ରକାର ଧମକପୂର୍ଣ୍ଣ କଲ୍ ଆସିନି ।

159

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନିଜେ ସଲମାନ ଖାନ । ପୋଲିସକୁ ନିଜର ଷ୍ଟେଟମେଣ୍ଟ ଦେଇ ସଲମାନ୍ କହିଛନ୍ତି, ତାଙ୍କୁ କୌଣସି ପ୍ରକାର ଧମକପୂର୍ଣ୍ଣ କଲ୍ ଆସିନି । ଏଥିସହିତ ଅତୀତରେ ମଧ୍ୟ କାହା ସହ ତାଙ୍କର କିଛି ବି ତିକ୍ତତା ନାହିଁ ବୋଲି ସଲମାନ୍ ପୋଲିସକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

ସୂଚନାଯୋଗ୍ୟ ଯେ, ବଲିଉଡ ଅଭିନେତା ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଏକ ହତ୍ୟା ଧମକ ମିଳିଥିଲା । ହତ୍ୟା ପାଇଁ ଲେଖାଯାଇଥିବା ଏକ ଚିଠିରେ ଲେଖା ଯାଇଥିଲା, ସଲମାନ ଓ ତାଙ୍କ ପିତା ସଲିମ ଖାନଙ୍କ ହତ୍ୟା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ହେବ । ଏଭଳି ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଖାଲି ସେତିକି ନୁହେଁ, ହତ୍ୟା ଧମକ ମିଳିବା ପରେ ଆକ୍ସନ ମୋଡରେ କାମ କରିଥିଲା ମୁମ୍ବାଇ ପୁଲିସ । ମୁମ୍ବାଇ ପୁଲିସ ଓ ସିବିଆଇ ଏକ ଟିମ ସୋମବାର ସକାଳୁ ସଲମାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟରେ ପହଁଚଥିଲା ଆଉ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।

ତେବେ ରବିବାର କିଛି ଅଜ୍ଞାତ ବ୍ୟକ୍ତି ସଲମାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଚିଠି ଦେଇଥିଲେ । ହେଲେ ସଲମାନ୍ ଖାନ୍ ଆଜି ପୋଲିସକୁ ନିଜର ପ୍ରତିକ୍ରିୟା ଦେଇ ଏଭଳି ଧମକପୂର୍ଣ୍ଣ ଚିଠି ଲେଖା ଯିବା କଥାକୁ ଅସ୍ୱୀକାର କରିଛନ୍ତି । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି ।