କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ଏହା ପ୍ରଥମଥର ନଥିଲା ବରଂ ଏଭଳି ହତ୍ୟା ଧମକ ସଲମାନଙ୍କୁ ବାରମ୍ବାର ମିଳୁଛି । ଆଉ ଏଭଳି ହତ୍ୟା ଧମକ ଭିତରେ ସଲମାନଙ୍କ ନୂଆ ଗାଡିକୁ ନେଇ ବି ଟାଉନରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସଲମାନ ଏବେ ବୁଲେଟପ୍ରୁଫ୍ ଏସୟୁଭି ଗାଡି କିଣିଛନ୍ତି । ନିଜର ସୁରକ୍ଷା ପାଇଁ ସଲମାନ ଏହି ବୁଲେଟପ୍ରୁଫ୍ ଗାଡି କିଣିଥିବା ନେଇ ବି ଟାଉନରେ ଚର୍ଚ୍ଚା ।

Advertisment

ସଲମାନ ଖାନଙ୍କୁ ପୂର୍ବରୁ ହିଁ ୱାଇ-ପ୍ଲସ ସୁରକ୍ଷା ମିଳିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନହେବ ସେଥିପାଇଁ ନିସାନ କମ୍ପାନିର ପାଟ୍ରୋଲ ମଡେଲର ଏସୟୁଭି ଗାଡି ବିଦେଶରୁ ଇମ୍ପୋଟ କରିଛନ୍ତି । ଏହି ଗାଡି ଭାରତରେ ବିକ୍ରି ହେଉନାହିଁ । ତେଣୁ ଏହାକୁ ବିଦେଶରୁ ମଗାଇଛନ୍ତି ସଲମାନ । ଯାହାଦ୍ୱାରା ଏହି ଗାଡିରେ ମୁମ୍ବାଇ ରାସ୍ତାରେ ବିନା ଭୟରେ ଯାତାୟତ କରିପାରିବେ ସଲମାନ । ନିସାନ ପାଟ୍ରୋଲର ଏହି ସ୍ୱତନ୍ତ୍ର ଏଡିସନ ଖାସକରି ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହି ଗାଡିର ଚତୁଃପାଶ୍ୱର୍ରେ ବୁଲେଟପ୍ରୁଫ୍ ଗ୍ଲାସ ରହିଛି । ଯାହା ଗାଡି ପାଇଁ ସୁରକ୍ଷାବଳୟ ତିଆରି କରିଛି । କେବଳ ଏତିକି ନୁହେଁ ଏହି ଗାଡିକୁ ଏମିତି ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଯେ, ଅତି ପାଖରୁ ଗୁଳି କଲେ କିମ୍ବା ସ୍ନାଇପର ବନ୍ଧୁକର ଗୁଳି ମଧ୍ୟ ଏହାର କାଚକୁ ଭେଦ କରିପାରିବ ନାହିଁ । ସଲମାନ କିଣିଥିବା କାରଟି ଧଳାରଙ୍ଗର ହୋଇଥିବା ବେଳେ ବେଶ ଷ୍ଟାଇଲିସ ମଧ୍ୟ । ଏହି ଗାଡିରେ ସଲମାନଙ୍କୁ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିଛି । ସଲମାନଙ୍କ ସୁରକ୍ଷାକୁ କଡାକଡି କରାଯିବା ସହ କାରକେଡ କରି ତାଙ୍କୁ ନିଆଯାଉଛି । ଯେଉଁ କାରକେଡରେ ପୋଲିସ ଅଧିକାରୀ ମଧ୍ୟ ରହୁଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଗାଡି ବଡ ବଡ ସେଲିବ୍ରିଟିଙ୍କର ପ୍ରଥମ ପସନ୍ଦ ।

ସଲମାନ କିଣିଥିବା ଗାଡିରେ ୫.୬ ଲିଟର ଭି-୮ ପେଟ୍ରୋଲର ଅତ୍ୟାଧୁନିକ ଇଞ୍ଜିନ ରହିଛି । ଏହାବାଦ୍ ସୁରକ୍ଷା ପାଇଁ ବିଭିନ୍ନ ଫିଚର୍ସ ରହିଛି । ଭାରତୀୟ ବଜାରରେ ଏହି ଗାଡି ବିକ୍ରି ହେଉନଥିଲେ ମଧ୍ୟ ଏହି ଗାଡିର ଦାମ ବିଦେଶରେ ପାଖାପାଖି ୨ କୋଟି ଟଙ୍କା ରହିଛି । ପୂର୍ବରୁ ସଲମାନ ଖାନ୍ ନିଜର ସୁରକ୍ଷା ପାଇଁ ଟୋଏଟା ଲ୍ୟାଣ୍ଡ କ୍ରୁଜର ୨୦୦ର ବ୍ୟବହାର କରୁଥିଲେ । ସଲମାନ କେବଳ ନୂଆ ଏସୟୁଭି ବୁଲେଟପ୍ରୁଫ୍ ଗାଡି ଆଣିନାହାନ୍ତି ବରଂ କିଛି ଦିନ ପୂର୍ବରୁ ନିଜର ସୁରକ୍ଷା ପାଇଁ ଲାଇସେନ୍ସପ୍ରାପ୍ତ ବନ୍ଧୁକ ପାଇଁ ଆବେଦନ କରିଥିଲେ । ଯେଉଁ ବନ୍ଧୁକ ଏବେ ସଲମାନଙ୍କୁ ମିଳିଛି ।

ଆଗାମୀ ଇଦରେ ସଲମାନଙ୍କ ନୂଆ ଫିଲ୍ମ କିସି କା ଭାଇ କିସି କା ଜାନ୍ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହାପରେ ଟାଇଗର-୩ ଫିଲ୍ମରେ ସଲମାନଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ ଶେଷ ହେବା ପରେ ଶାହାରୁଖ ଖାନଙ୍କ ସହ ସଲମାନ ଟାଇଗର ଭର୍ସେସ ପଠାନ୍ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିବେ ।