କଥା ଦେଇ କଥା ରଖିଲେ ଅଭିନେତା ସଲମାନ୍ ଖାନ୍ । ୨୫ ହଜାର ଚଳଚିତ୍ର କାର୍ଯ୍ୟକର୍ତ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କଲା ସହାୟତା ରାଶି

416

କନକ ବ୍ୟୁରୋ : ଅଭିନେତା ସଲମାନ ଖାନଙ୍କ ତରଫରୁ ଦିଆଯାଇଥିବା ଆର୍ଥିକ ସହାୟତା ଏବେ ଚଳଚିତ୍ର କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଆସିବା ଆରମ୍ଭ କରିଛି । ଏନେଇ ଏଫଡବ୍ଲ୍ୟୁଆଇସିଇ ର ପ୍ରେସିଡେଣ୍ଟ ବି.ଏନ ତିୱାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି କରୋନା ମହାମାରୀ ସମୟରେ ସବୁ ବର୍ଗର ଲୋକେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି । ଏଥିରୁ ବି ବାଦ ପଡିନାହାନ୍ତି ଚଳଚିତ୍ର ସହ ସଂପୃକ୍ତ କର୍ମଚାରୀ ମାନେ । ଏହାକୁ ନଜରରେ ରଖି ଚଳଚିତ୍ର ଅଭିନେତା ସଲମାନ ଖାନ୍ ଦେଶର ୨୫ ହଜାର ଚଳଚିତ୍ର କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲେ । ଏହି ଅର୍ଥ ଏବେ ଧିରେ ଧିରେ ସିନେମା ସହିତ ଜଡିତ ଥିବା ଲୋକଙ୍କ ଖାତାକୁ ଟ୍ରାନ୍ସଫର ହେଉଛି ବୋଲି ସେ କହିଛନ୍ତି । ଏହାସହ ବି.ଏନ ତିୱାରୀ କହିଛନ୍ତି କି ଅନ୍ୟ ୩ ଜଣ ଲୋକଙ୍କ ସହାୟତାରେ ଏବେ ସିନେମା ସହିତ ଜଡିତ ଥିବା ୫୦ ହଜାର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ।

ଏକ ସାକ୍ଷାତକାରରେ ବି.ଏନ୍ ତିୱାରୀ କହିଛନ୍ତି କି ସିନେମା ଜଗତ ସହିତ ଜଡିତ ଲୋକ, ଯେଉଁମାନେ କି ଦୈନିକ ରୋଜଗାର ଉପରେ ନିର୍ଭର କରନ୍ତି ସେଭଳି ଲୋକଙ୍କ ପାଇଁ ସଲମାନ ସବୁବେଳେ କିଛି ନା କିଛି ସହାୟତା ଯୋଗାଇ ଦେଇଥାନ୍ତି । ଏବେ ଯେଉଁ ସହାୟତା ଦେଇଛନ୍ତି ତାହା ବ୍ୟତୀତ ଆଗାମୀ ଦିନରେ ବି ଅଧିକ ସହାୟତା ଯୋଗାଦେବାକୁ ସଲମାନ କହିଥିବା କଥା ବିଏନ ତିୱାରୀ କହିଛନ୍ତି ।

ଅନ୍ୟପଟେ ଚଳିତ ମାସ ୧୦ ତାରିଖରୁ ୫୦ ହଜାର ସିନେ କର୍ମଚାରୀଙ୍କୁ ମାଗଣାରେ ଟିକା ଦିଆଯିବ । ଏନେଇ ୟସରାଜ୍ ଫିଲ୍ମସ୍, ପ୍ରଯୋଜକ ସଂଘ ଓ ପ୍ରଯୋଜକ ଆନନ୍ଦ ଶର୍ମା ସହାୟତା ଯୋଗାଇ ଦେଉଛନ୍ତି ବୋଲି ବିଏନ ତିୱାରୀ କହିଛନ୍ତି ।
କେବଳ ଏତିକି ନୁହେଁ ଫେଡେରେସନ ଅଫ୍ ୱେଷ୍ଟର୍ନ ଇଣ୍ଡିଆନ ସିନେ ଏମ୍ପେ୍ଲାଇଜି ଦ୍ୱାରା ନେଟଫ୍ଲିକ୍ସକୁ କର୍ମଚାରୀ ମାନଙ୍କର ଚିଠା ଦିଆଯାଇଥିଲା । ଏହି ଚିଠା ପାଇବା ପରେ ନେଟଫ୍ଲିକ୍ସ ସାଢେ ୭ ହଜାର ସିନେ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଛି ।