କନକ ବ୍ୟୁରୋ: ସିନେମା ହଲ ଭିତରେ ଚାଲିଥିଲା ଫିଲ୍ମ ‘ ଅନ୍ତିମ, ଦ ଫାଇନାଲ ଷ୍ଟୋରୀ’ । ହାଉସ୍ ଫୁଲ ଥିଲା । ହେଲେ ସିନେମା ଦେଖୁଦେଖୁ ଦର୍ଶକ କିଛି ଏପରି କାଣ୍ଡ ଘଟାଇଲେ ଯେ, ଯାହାକୁ ନେଇ ରାଗିଗଲେ ସଲମାନ୍ ଖାନ୍ । ଆଉ ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଅନୁରୋଧ ମଧ୍ୟ କଲେ ।
କଥା ହେଉଛି ୨୬ ତାରିଖରେ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଅନ୍ତିମ- ଦ ଫାଇନାଲ ଟ୍ରୁଥ୍’ ବଡ ପରଦାରେ ମୁକ୍ତିଲାଭ କରିବା ପରେ ପ୍ରେକ୍ଷାଳୟକୁ ତାଙ୍କ ପ୍ରଶଂସକଙ୍କ ସୁଅ ଛୁଟୁଛି । ତେବେ ଏତେ ଦିନ ପରେ ସଲମାନଙ୍କୁ ବଡ ପରଦାରେ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ଉତ୍ସାହ ବନ୍ଧବାଡ ମାନିନଥିଲା । ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ସିନେମା ହଲରେ ‘ଅନ୍ତିମ’ର ସୋ ଚାଲିଥିବାବେଳେ କିଛି ଦର୍ଶକ ହଲ ଭିତରେ ହିଁ ବାଣ ଫୁଟାଇଥିଲେ । ଫଳରେ ସେଠାରେ ବସିଥିବା ଅନ୍ୟ ଦର୍ଶକଙ୍କ ମଧ୍ୟରେ ନିଆଁ ଝୁଲ ପଡୁଥିବା ମଧ୍ୟ ଦେଖାଯାଇଥିଲା । ହେଲେ ଅଳ୍ପକେ ବର୍ତ୍ତିଯାଇଥିଲା ହଲ । କାରଣ ଏଥିଯୋଗୁଁ ହଲ ଭିତରେ ନିଆଁ ଲାଗିବାର ଆଶଙ୍କା ସୃଷ୍ଟି ହୋଇଥିଲେ ବି ଅଳ୍ପକେ ବର୍ତ୍ତିଯାଇଥିଲା ହଲ । ହେଲେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକଙ୍କ ଏଭଳି ଅନୁଚିତ କାର୍ଯ୍ୟକୁ ଦେଖି କ୍ଷୋଭ ପ୍ରକାଶ କରିଛନ୍ତି ସଲମାନ୍ ।
ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ଭିଡିଓ ସହ ନିଜ ଅନୁରୋଧକୁ ଅପଲୋଡ କରି ଏପରି ନକରିବାକୁ ଅନୁରୋଧ କରିଛନ୍ତି । ଏହାସହ ହଲ ଭିତରକୁ ଯେପରି ବାଣ ନଯାଏ ଏହାର କଡା ଯାଞ୍ଚ କରିବାକୁ ମଧ୍ୟ ସେ ହଲ ମାଲିକମାନଙ୍କୁୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଏପରି କାଣ୍ଡ ପାଇଁ ଅନେକ ସଲମାନଙ୍କୁ ହିଁ ଦାୟି କରିଛନ୍ତି । ଏଭଳି ମାନସିକ ବିକୃତ ପ୍ରଶଂସକଙ୍କୁ ସୃଷ୍ଟି କରିବାରେ ସଲମାନଙ୍କ ପ୍ରୋତ୍ସାହନ ଥିବା ମଧ୍ୟ ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି ।