ଟାର୍ଗେଟରେ ‘ଟାଇଗର୍’ । ସିଦ୍ଧୁ ମୁସେୱାଲାଙ୍କ ପରି ସଲମାନଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିଲା ଷଡଯନ୍ତ୍ର

105

କନକ ବ୍ୟୁରୋ : ଟାର୍ଗେଟରେ ଟାଇଗର୍ । ବଲିଉଡ୍ ଷ୍ଟାର୍ ସଲମାନ୍ ଖାନଙ୍କୁ ହତ୍ୟା କରାଯିବା ନେଇ ବାରମ୍ବାର ଧମକ ମିଳିଛି । ଏହାରି ଭିତରେ ଏପ୍ରିଲ ୧୪ରେ ସଲମାନଙ୍କ ଘର ବାହାରେ ହୋଇଥିବା ଫାଏରିଂ ସମସ୍ତଙ୍କୁ ଚମକାଇଦେଇଛି । ଏହି ମାମଲାରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରି ଚାର୍ଜସିଟ୍ ଫାଇଲ୍ କରିଛି । ଆଉ ତଦନ୍ତରୁ ଜଣାପଡିଛି, ସିଦ୍ଧୁ ମୁସେୱାଲାଙ୍କ ଭଳି ସଲମାନଙ୍କୁ ବି ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା ।
ସଲମାନଙ୍କ ହତ୍ୟା ପାଇଁ ୨୫ଲକ୍ଷର ସୁପାରୀ

ପୁଲିସ ଫାଇଲ କରିଥିବା ଚାର୍ଜସିଟ୍ ଅନୁସାରେ, ସଲମାନ ଖାନକୁ ମାରିବା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ୨୫ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା । ପାକିସ୍ତାନର ଅତ୍ୟାଧୁନିକ ହତିଆର୍ ଏକେ ୪୭, ଏକେ ୯୨, ଏବଂ ଏମ୍ ୧୬ ସମେତ ତୁର୍କୀ ନିର୍ମୀତ ଜିଗାନା ପିସ୍ତଲ ବି କିଣିବାର ପ୍ରସ୍ତୁତି କରୁଥିଲେ । ଜିଗାନା ସେହି ପିସ୍ତଲ ଯେଉଁଥିରେ ସିଂଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା କରାଯାଇଥିଲା । ଆଉ ଏହି ହତିଆରକୁ ବ୍ୟବହାର କରି ସଲମାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା । ପୋଲିସ ଚାର୍ଜସିଟ ଅନୁସାରେ, ସଲମାନଙ୍କୁ ମାରିବା ପାଇଁ ଅଗଷ୍ଟ ୨୦୨୩ରୁ ଏପ୍ରିଲ ୨୦୨୪ ମଧ୍ୟରେ ଷଡଯନ୍ତ୍ର ରଚାଯାଇଥିଲା । ୬୦ରୁ ୭୦ ଲୋକ ସଲମାନଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଥିଲେ । ସବୁଠୁ ବଡ କଥା ହେଲା, ସଲମାନଙ୍କ ଉପରେ ନଜର ରଖିବା ପାଇଁ ୧୮ବର୍ଷରୁ କମ୍ ବୟଷ୍କ ଯୁବକଙ୍କୁ ଏଥିରେ ସାମିଲ କରାଯାଇଥିଲା ।