କୋର୍ଟ ରୁମରେ ସଲମାନଙ୍କୁ କଣ ପଚାରିଥିଲେ ବିଚାରପତି ! କଣ ପାଇଁ ସଲମାନଙ୍କୁ ୫ବର୍ଷର ଜେଲଦଣ୍ଡ ଦେଲେ ବିଚାରପତି

60

କନକ ବ୍ୟୁରୋ : ବିଚାରପତି ସଲମାନଙ୍କୁ କଣ ପଚାରିଥିଲେ ଏବଂ ଏହାର କଣ ଉତର ଦେଇଥିଲେ ବଲିଉଡର ଟାଇଗର । ଏବଂ ସେପଟେ କଣ ଯୁକ୍ତି ବାଢିଥିଲେ, ଉଭୟ ପକ୍ଷର ଓକିଲ । କୃଷ୍ଣସାର ମୃଗ ହତ୍ୟା ମାମଲାରେ ବଲିଉଡ୍ ଅଭିନେତ୍ରୀ ସୈଫ୍ ଅଲ୍ଲୀ, ତବୁ, ନୀଲମଙ୍କ ସମେତ ୫ଜଣଙ୍କୁ ଦୋଷମୁକ୍ତ ହୋଇଥିବା ବେଳେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସଲମାନ । ଏହାପରେ ଦଣ୍ଡବିଧାନ ନେଇ ଯୋଧପୁର ସିଜେଏମ୍ କୋର୍ଟରେ ଆରମ୍ଭ ହୋଇଥିଲା ଜବାବ ସୁଆଲ ।

ଦଣ୍ଡବିଧାନ କରିବା ପୂର୍ବରୁ ଚିଫ୍ ଜୁଡିସିଆଲ୍ ମାଜିଷ୍ଟେଟ୍ ଜଷ୍ଟିସ୍ ଦେବକୁମାର ଖତ୍ରୀ ସଲମାନଙ୍କୁ ପଚାରିଲେ – ଯେଉଁ ଅଭିଯୋଗ ଆପଣଙ୍କ ଉପରେ ଲାଗିଛି, ସେ ନେଇ ଆପଣ କ’ଣ କହୁଛନ୍ତି? ସଲମାନ ପୂର୍ବ ଭଳି ଦୋହରାଇଲେ – ମୋ ଉପରେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ଏହି ଅପରାଧ ସହ ମୋର କୌଣସି ସଂପୃକ୍ତି ନାହିଁ । ତେବେ ଏହାକୁ ନେଇ ଜଷ୍ଟିସ ଖତ୍ରୀ କହିଥିଲେ ପ୍ରମାଣ ଅଭାବରୁ ଅନ୍ୟ ଅଭିଯୁକ୍ତଙ୍କୁ ଖଲାସ କରିଦିଆଇଛି । ହେଲେ ଆପଣ ଦୋଷୀସାବ୍ୟସ୍ତ ହୋଇଛନ୍ତି ।

ଏହାପରେ ସରକାରୀ ଓକିଲ ଭବାନୀ ସିଂହ ସଲମାନଙ୍କ ଦୋଷକୁ କୋର୍ଟକୁ ଜଣାଇବା ସହ, ବିରଳ ପ୍ରଜାତିର କୃଷ୍ଣସାର ମୃଗ ଶିକାର କରିବା ଏକ ସଂଗୀନ ଅପରାଧ । ଏଥିପାଇଁ ଅତି କମରେ ୬ ବର୍ଷ ଜେଲ ଦଣ୍ଡ ଦିଆଯାଇ ଉଦାହରଣ ସୃଷ୍ଟି କରାଯାଉ ବୋଲି କହିଥିଲେ । କିନ୍ତୁ ଏଥିରେ ପ୍ରତିବାଦ କରିଥିଲେ ସଲମାନଙ୍କ ଓକିଲ । ତାଙ୍କ ଯୁକ୍ତି ଥିଲା, ସଲମାନ ଜଣେ ଭଲ ମଣିଷ, ଯେତେ ସମ୍ଭବ କମ୍ ଦଣ୍ଡ ବିଧାନ କରାଯାଉ । କିନ୍ତୁ ଏହାକୁ ବିରୋଧ କରିଥିଲେ ସରକାରୀ ଓକିଲ । ସେ ତୁରନ୍ତ କହିଲେ – ସଲମାନ ଜଣେ ଅଭ୍ୟାସଗତ ଅପରାଧୀ । ତେଣୁ ତାଙ୍କୁ କଡ଼ା ଦଣ୍ଡ ଦିଆଯାଉ ।

ତେବେ ଏହି କଥାରେ ଆପତ୍ତି ଉଠାଇ ସଲମାନଙ୍କ ଓକିଲ କହିଥିଲେ, ସେ ଜଣେ ଅଭ୍ୟାସଗତ ଅପରାଧୀ ନୁହଁନ୍ତି, ସଲମାନ ଜଣେ ସମାଜ ସେବୀ । ଗରିବ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସହାୟତା ପାଇଁ ସେ ଅନେକ କିଛି କାର୍ଯ୍ୟ ହାତକୁ ନେଇଛନ୍ତି । ଏହାପରେ ସଲମାନଙ୍କ ପୁରୁଣା ରେକର୍ଡର ପୋଥୀ ଖୋଲିଥିଲେ ସରକାରୀ ଓକିଲ ଭବାନୀ ସିଂହ । ତାଙ୍କ କହିବା ଅନୁଯାୟୀ, ଦୁଇଟି ମାମଲାରେ ତଳ କୋର୍ଟରେ ପୂର୍ବରୁ ସେ ଦଣ୍ଡିତ ହୋଇଛନ୍ତି । ଏପରିକି ଗୋଟିଏ ମାମଲାରେ ତାଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ତେଣୁ ତାଙ୍କୁ କଡ଼ା ଦଣ୍ଡ ଦିଆଯାଉ । କିନ୍ତୁ ଏଥିରେ ଆପତ୍ତି ଉଠାଇ ସଲମାନଙ୍କ ଓକିଲ କହିଥିଲେ ତଳ କୋର୍ଟ ଯେଉଁ ଦଣ୍ଡ ବିଧାନ କରିଥିଲେ, ତାହା ଉପର କୋର୍ଟରେ ଖାରଜ ହୋଇ ଯାଇଛି । ତେଣୁ ତାଙ୍କୁ କମ୍ ସଜା ଦିଆଯାଉ । ଆଉ ଏହା ଭିତରେ ପ୍ରାୟ ଅଧ ଘଂଟାର ଜବାବ ସୁଆଲ ଓ ଦୁଇ ପକ୍ଷର ଦଲିଲ ଦେଖିବା ପରେ ସଲମାନଙ୍କୁ ୫ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଶୁଣାଇଥିଲେ ସିଜେଏମ୍ ।