ଟାଇଗରଙ୍କୁ ବେଲ ଗ୍ରାଣ୍ଟେଡ଼ ! ଦୁଇ ରାତି କାଟିବା ପରେ ଯୋଧପୁର ସେଣ୍ଟ୍ରାଲ ଜେଲରୁ ବାହାରିଲେ ସଲମାନ

21

କନକ ବ୍ୟୁରୋ : ଜେଲରୁ ମୁକୁଳିଲେ ଅଭିନେତା ସଲମାନ ଖାନ୍ । ଯୋଧପୁର କେନ୍ଦ୍ରୀୟ କାରାଗାରରେ କଷ୍ଟଦାୟକ ଦୁଇ ରାତି କାଟିବା ପରେ ମୁକ୍ତ ହୋଇଛନ୍ତି ବଲିଉଡ ଭାଇଜାନ । ସେସନ୍ସ କୋର୍ଟରୁ ଜାମିନ ଦସ୍ତାବିଜ ପାଇ ତାଙ୍କୁ ମୁକ୍ତ କରିଛନ୍ତି ଜେଲ କର୍ତୃପକ୍ଷ । ଅପରାହ୍ନ ସାଢେ ୫ଟାରେ ଜେଲରୁ ସଲମାନଙ୍କୁ ନେବାପାଇଁ ପହଁଚିଥିଲେ ତାଙ୍କ ଦୁଇ ଭଉଣୀ । ପରେ ଏକ ଚାଟାର୍ଡ ପ୍ଲେନରେ ଏୟାରପୋର୍ଟରୁ ମୁମ୍ବାଇ ଅଭିମୁଖେ ବାହାରିଥିଲେ ସଲମାନ । ୧୯୯୮ରେ ଦୁଇଟି ବିରଳ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନଙ୍କୁ ଗୁରୁବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । କୋର୍ଟ ୫ବର୍ଷର ସଜା ଶୁଣାଇବା ସହ ଯୋଧପୁର ଜେଲକୁ ପଠାଇ ଦେଇଥିଲେ । ୨୦ବର୍ଷ ଧରି ଚାଲିଥିବା ଏହି ମାମଲାରେ ମୋଟ ୨୦ଦିନ ଜେଲରେ କାଟିଛନ୍ତି ସଲମାନ ଖାନ ।

ବଲିଉଡ ଭାଇଜାନଙ୍କୁ ବେଲ ମିଳିବା ପରେ ଫ୍ୟାନମାନଙ୍କ ଭିତରେ ନାହିଁନଥିବା ଖୁସି । ଯେଉଁ ସଲମାନ ଖାନଙ୍କ ଫିଲ୍ମ ହଲରେ ଚାଲିଲେ ସପ୍ତାହବ୍ୟାପୀ ଥିଏଟର ଭର୍ତି ହୋଇଯାଏ । ସେହି ସଲମାନ ଖାନ ଯେତେବେଳେ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଗଲା ଠିକ୍ ସେତିକିବେଳେ ଯୋଧପୁରରୁ ଆରମ୍ଭ କରି ମୁମ୍ବାଇ ବାନ୍ଦ୍ରାରେ ଥିବା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଂଟ ସାମ୍ନାରେ ବି ଆରମ୍ଭ ହୋଇଗଲା ପ୍ରଶଂସକଙ୍କ ଉତ୍ସବ ।

ବିରଳ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନଙ୍କୁ ଜାମିନରେ ମୁକ୍ତ କଲେ ରାଜସ୍ଥାନର ଯୋଧପୁର ସେସନ୍ସ କୋର୍ଟ । ଦୁଇଦିନର ଶୁଣାଣି ପରେ ଶନିବାର ମଧ୍ୟାହ୍ନଭୋଜନ ପରେ ଜଜ୍ ଶୁଣାଇଲେ ଧାଡିକିଆ ରାୟ । ବେଲ ଗ୍ରାଂଟେଡ୍ ଅର୍ଥାତ ଜାମିନ ମଞ୍ଜୁର । ଆଉ ସର୍ତ ରଖିଲେ..
– ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଯିବେ ସଲମାନ୍
– ଦୁଇଜଣ ବ୍ୟକ୍ତି ୨୫ ହଜାର ଟଙ୍କା ଲେଖାଏଁ କୋର୍ଟଙ୍କୁ ଦେବେ ସିଓରିଟି
– ଅର୍ଥାତ ସଲମାନ ଜାମିନ ନିୟମ ପାଳନ କରିବେ ବୋଲି ଏମାନେ ଉତ୍ତରଦାୟୀ
– ମେ’ ୭ ପୂର୍ବରୁ ପୁଣିଥରେ କୋର୍ଟରେ ସଲମାନ ଖାନ ହାଜର ହେବେ
– ମାମଲାର ବିଚାର ଚାଲିଥିବାବେଳେ ଦେଶ ବାହାରକୁ ଯାଇପାରିବେନି

salman khanସଲମାନଙ୍କ ଜାମିନ ଆବେଦନ ଉପରେ ଶୁକ୍ରବାର ଶୁଣାଣି କରିଥିଲେ ଯୋଧପୁର ସେସନ୍ସ କୋର୍ଟ । ରାୟ ଦେବା ପୂର୍ବରୁ ତଳକୋର୍ଟଙ୍କ ରେକର୍ଡ ତଲବ କରି ବାଦି-ପ୍ରତିବାଦୀଙ୍କ ଯୁକ୍ତି ଶୁଣିଥିଲେ । ଆଜିଥିଲା ଜାମିନ ନେଇ ନିଷ୍ପତି । ଏହାରି ଭିତରେ ସେସନ୍ସ କୋର୍ଟ ଜଜ୍ ରବିନ୍ଦ୍ର କୁମାର ଜୋଶୀଙ୍କ ବଦଳି ହୋଇସାରିଥିଲେ ମଧ୍ୟ ଶନିବାର ଦିନ ସାଢେ ୧୦ଟାରେ ପୁଣି ଉଭୟ ପକ୍ଷର ଯୁକ୍ତି ସେ ଶୁଣିଥିଲେ । ଆଉ ମଧ୍ୟାହ୍ନଭୋଜନ ପରେ ରାୟ ଶୁଣାଇବେ ବୋଲି କହିଥିଲେ ଜଷ୍ଟିସ ଯୋଶୀ । ଏହାପରେ ଅପରାହ୍ନ ୩ଟାରେ ସଲମାନଙ୍କ ଜାମିନ ମଞ୍ଜୁର କରିଥିଲେ ।

ପ୍ରମୁଖ ଜାତୀୟ ଗଣମାଧ୍ୟମ ଗୁଡିକରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଅପରାହ୍ନରେ ଜଜ କୋର୍ଟ ରୁମକୁ ଆସିବା ପରେ ବ୍ୟସ୍ତ ଜଣାପଡୁଥିଲେ । ପ୍ରାୟ ଅଧଘଂଟା ଧରି ଚୁପଚାପ ବସିରହିବା ସହ କୋର୍ଟରୁମର ଦରଜା, କାନ୍ଥ ଓ ଛାତକୁ ବାରମ୍ବାର ଚାହୁଁଥିଲେ । ଏତିକିବେଳେ କୋର୍ଟରେ ଉପସ୍ଥିତ ଥିଲେ ସଲମାନ ଖାନଙ୍କ ଓକିଲ ଓ ସରକାରୀ ଓକିଲ । ଆଉ ଅସମ୍ଭବ ନୀରବତା ଭିତରେ ଶୁଣାଇଥିଲେ ଧାଡିକିଆ ରାୟ । ବେଲ ଗ୍ରାଂଟେଡ ଅର୍ଥାତ ଜାମିନ ମଞ୍ଜୁର ।