ସୂର୍ଯ୍ୟ ଭାଗ୍ୟବାନ ଯେ ଭାରତୀୟ, ପାକିସ୍ତାନର ହୋଇଥିଲେ… । କାହିଁକି ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର ସଲମାନ ବଟ୍ଟ ।

1,000

କନକ ବ୍ୟୁରୋ : ବିଶ୍ୱ କ୍ରିକେଟ ଜଗତରେ ଏବେ ସୂର୍ଯ୍ୟ କୁମାର ଯାଦବଙ୍କୁ ନେଇ ଜୋରଦାର ଚର୍ଚ୍ଚା । ସୂର୍ଯ୍ୟ ନିଜ ବ୍ୟାଟିଂ ଚମକ ବଳରେ ବିଶ୍ୱ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି । ଗ୍ରାଉଣ୍ଡରେ ଭିନ୍ନ ଭିନ୍ନ ଶୈଳୀରେ ସଟ୍ ଖେଳି ସୂର୍ଯ୍ୟ ନିଜର ବଡ ଫ୍ୟାନ ବେଶ ବନାଇଛନ୍ତି । ଯେଉଁଥିରେ କେବଳ କ୍ରିକେଟପ୍ରେମୀ ନାହାନ୍ତି ବରଂ ପ୍ରତିପକ୍ଷ ଦଳର ଖେଳାଳୀ ଓ ପୂର୍ବତନ କ୍ରିକେଟର ମଧ୍ୟ ରହିଛନ୍ତି । ଯେଉଁମାନେ ସୂର୍ଯ୍ୟଙ୍କ ବ୍ୟାଟିଂକୁ ପ୍ରଶଂସା କରିବାରେ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ । ଆଉ ସେହି ତାଲିକାରେ ଅନେକ ପାକିସ୍ତାନ କ୍ରିକେଟର ମଧ୍ୟ ରହିଛନ୍ତି । ପୂର୍ବତନ ପାକିସ୍ତାନ କ୍ରିକେଟର ସଲମାନ ବଟ୍ଟ ସୂର୍ଯ୍ୟଙ୍କୁ ପ୍ରଶଂସା କରିବା ସହ ବଡ ବୟାନ ଦେଇଛନ୍ତି । ଯାହା ପାକିସ୍ତାନ କ୍ରିକେଟର ବାସ୍ତବତା ଉପରୁ ପରଦା ହଟାଇଛି । ସଲମାନ ବଟ୍ଟ କହିଛନ୍ତି, ଯଦି ସୂର୍ଯ୍ୟକୁମାର ପାକିସ୍ତାନର ହୋଇଥାନ୍ତେ ତେବେ କଣ ହୋଇଥାନ୍ତା । ଆଉ ଏହାର ରୋଚକ ଜବାବ ମଧ୍ୟ ରଖିଛନ୍ତି ସୂର୍ଯ୍ୟ ।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିବା ପରେ ସୂର୍ଯ୍ୟଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଥିଲା । ଆଉ ଏହି ଶତକ ହାସଲ ସହ ଟି-୨୦ ଫର୍ମାଟରେ ୩ଟି ଶତକ ହାସଲ କରିଛନ୍ତି ସୂର୍ଯ୍ୟ । ଯାହାକୁ ନେଇ ବଟ୍ଟ ସୂର୍ଯ୍ୟଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ଯଦି ସୂର୍ଯ୍ୟକୁମାର ପାକିସ୍ତାନର ହୋଇଥାନ୍ତେ ତେବେ ଜାତୀୟ ଦଳରେ ଖେଳିବାର ସୁଯୋଗ ମଧ୍ୟ ପାଇନଥାନ୍ତେ । କାରଣ ପାକିସ୍ତାନ ଜାତୀୟ ଟିମର ବାସ୍ତବତା ହିଁ ସେମିତି । ନିଜ ୟୁଟ୍ୟୁବ ଚ୍ୟାନେଲରେ ସଲମାନ ବଟ୍ଟ କହିଛନ୍ତି, ସୂର୍ଯ୍ୟ ୩୦ ବର୍ଷ ପରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କଲେ । ଆଉ ସୂର୍ଯ୍ୟ ବହୁତ ଭାଗ୍ୟବାନ ଯେ, ସେ ଭାରତୀୟ । କାରଣ ଯଦି ପାକିସ୍ତାନୀ ହୋଇଥାନ୍ତେ ତେବେ ତାଙ୍କୁ ଜାତୀୟ ଦଳରେ ଡେବ୍ୟୁ କରିବାକୁ ସୁଯୋଗ ମିଳିନଥାନ୍ତା । କାରଣ ୩୦ ବର୍ଷ ପରେ ପାକିସ୍ତାନ ଟିମରେ ଡେବ୍ୟୁ କରିବାକୁ ସୁଯୋଗ ମିଳେନାହିଁ ।

ସଲମାନ ବଟ୍ଟ କହିଛନ୍ତି, ପାକିସ୍ତାନ ଟିମରେ ଏଣ୍ଟ୍ରି କରିବା ପରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ନାହିଁ । କିନ୍ତୁ ୩୦ ବର୍ଷ ପରେ ଟିମରେ ଡେବ୍ୟୁ କରିବା ଏକପ୍ରକାର ଅସମ୍ଭବ । ଏହାବାଦ୍ ବଟ୍ଟ କହିଛନ୍ତି, ସୂର୍ଯ୍ୟକୁମାର ଫିଟନେସ ଓ ବୁଦ୍ଧିରେ ବେଶ ଆଗରେ । ପ୍ରତି ବୋଲରଙ୍କୁ ପଢିବାର କଳା ଜାଣିଛନ୍ତି ସୂର୍ଯ୍ୟକୁମାର । ଏବେ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆ ପାଇଁ ନିର୍ଭରଯୋଗ୍ୟ ବ୍ୟାଟର ସାଜିଛନ୍ତି । ପ୍ରତି ମ୍ୟାଚରେ ସ୍କୋର କରିବା ସହ ଟିମର ଆବଶ୍ୟକତା ଅନୁଯାୟୀ ନିଜର କ୍ରିକେଟ ଖେଳୁଛନ୍ତି ।

ସୂର୍ଯ୍ୟକୁମାର ଯାଦବ ୩୦ ବର୍ଷ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ତେବେ ଏହା ପୂର୍ବରୁ ସୂର୍ଯ୍ୟଙ୍କ ବିଧ୍ୱଂସୀ ଇନିଂସ ଆଇପିଏଲରେ ଦେଖିବାକୁ ମିଳିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦମଦାର ପ୍ରଦର୍ଶନ ପରେ ସୂର୍ଯ୍ୟଙ୍କୁ ଟିମ୍ ଇଣ୍ଡିଆରୁ ଡାକରା ଆସିଥିଲା । ଆଉ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିବା ପରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ସର୍ଯ୍ୟକୁମାର । ସବୁଠୁ ବଡ କଥା ହେଲା ସୂର୍ଯ୍ୟକୁମାର ଚଳିତବର୍ଷ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ।