କଟକରେ କରନ୍, କଳିଙ୍ଗରେ ଅର୍ଜୁନ୍ ! ଓଡ଼ିଶା ଆସିଲେ, ଓଡ଼ିଆ କହିଲେ ସଲମାନ୍ ଓ ଶାହରୁଖ୍ ।

379

କନକ ବ୍ୟୁରୋ : କମ୍ପିଲା କଳିଙ୍ଗ, କମ୍ପିଲା କଟକ ! ଟ୍ୱିନ୍ ସିଟିରେ ଜମିଲା ଷ୍ଟାରଙ୍କ ଭିଡ । ହକି ବିଶ୍ୱକପର ଉଦଘାଟନୀ ସମାରୋହ ଉଭୟ ଭୁବନେଶ୍ୱର ଏବଂ କଟକରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଶେଷ ହୋଇଛି । ବିଶେଷ କରି ଦୁଇ ମୁଖ୍ୟ ଆକର୍ଷଣ ସଲମାନ ଖାନ ଏବଂ ଶାହରୁଖ ଖାନଙ୍କୁ ଦେଖିବାକୁ ଟ୍ୱିନ୍ ସିଟିରେ ଜମିଥିଲା ପ୍ରବଳ ଭିଡ । ଗତ ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଶାହରୁଖ ଖାନଙ୍କ ଜଲୱା ଦେଖିବାକୁ ମିଳିଥିବା ବେଳେ ଗତକାଲି କଟକ ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ ମନ କିଣି ନେଇଛନ୍ତି ସଲମାନ ଖାନ ।

ସବୁଠାରୁ ବଡ କଥା ହେଉଛି, ସଲମାନ ଏବଂ ଶାହରୁଖ ଉଭୟ ଓଡିଶା ଆସି ଓଡିଆ ଭାଷାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ହକି ବିଶ୍ୱକପ ସେଲିବ୍ରେସନରେ ଯୋଗ ଦେଇ ଏହି ଦୁଇ ଷ୍ଟାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସାରେ ପୋତି ଦେଇଛନ୍ତି । ତେବେ ଗତକାଲି ସୁପରଷ୍ଟାର ସଲମାନ ଖାନ୍ ଓଡିଆରେ ଆରମ୍ଭ କରିଥିଲେ ନିଜର ଅଭିଭାଷଣ । ଓଡିଆରେ ଦର୍ଶକଙ୍କୁ କେମିତି ଅଛ ବୋଲି କହିବା କ୍ଷଣି ତାଳି ମାଡରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । ଏପରିକି ବାଲିଯାତ୍ରା କେମିତି ଚାଲିଛି ବୋଲି କହିବା ସହ ମୁଁ ତୁମକୁ ବହୁତ ଭଲପାଏ ବୋଲି କହିଥିଲେ । ଆଉ ଏହାପରେ ନବୀନଙ୍କ ହାତ ଧରି ଷ୍ଟେଜ ଉପରକୁ ଆଣିଥିଲେ ସଲମାନ ।

ସେହିପରି ଗତ ୨୭ ତାରିଖରେ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ହକି ବିଶ୍ୱକପର ଉଦଘାଟନୀ ସମାରୋହରେ ଯୋଗ ଦେଇ ଫିଲ୍ମି ଅନ୍ଦାଜରେ ଏଣ୍ଟ୍ରି ମାରିଥିଲେ ଶାହରୁଖ ଖାନ୍ । ଚକ୍ ଦେ ଇଣ୍ଡିଆର ସଂଳାପ କହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଶାହରୁଖ । ତାଙ୍କୁ ଆମନ୍ତ୍ରଣ କରିଥିବାରୁ ଓଡ଼ିଶାକୁ ଓ ମୁଖ୍ୟମନ୍ତ୍ରୀଙ୍କୁ ସେ ଓଡ଼ିଆରେ ଧନ୍ୟବାଦ ଜଣାଇଛନ୍ତି । ତେବେ ଦେଶକୁ ଓଡ଼ିଶା ସବୁଠାରୁ ହକି ଖେଳାଳି ଦେଇଛି ବୋଲି କହଛନ୍ତି କିଙ୍ଗ୍ ଖାନ୍ । ଏତେ ବର୍ଷ ପରେ ବିଶ୍ୱକପ୍ ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।