କନକ ବ୍ୟୁରୋ : ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ରାଜଧାନୀରେ ତେଜିଛି ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇ ଗର୍ଜ୍ଜନ କରିଛନ୍ତି ଭୁବନେଶ୍ୱର ସାଲିଆ ସାହି ବସ୍ତିବାସିନ୍ଦା । ଶହ ଶହ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ବିଧାନସଭା ଘେରାଉ ପାଇଁ ବିଶାଳ ଶୋଭାଯାତ୍ରା କରି ଯାଉଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ପୋଲିସ ଅଟକାଇବାରୁ ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଥିଲେ । ଆଉ ବେଶ କିଛି ସମୟ ମୁହାଁମୁହିଁ ହେବା ପରେ ବିକ୍ଷୋଭପ୍ରଦର୍ଶନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ ।

Advertisment

ବସ୍ତିବାସିନ୍ଦା କହିିବା କଥା, ରାଜଧାନୀରେ ବସ୍ତିକୁ ସର୍ଭେ କରାଯାଇ ଜମି ପଟ୍ଟା ପ୍ରଦାନ କରାଯାଉଛି । କିନ୍ତୁ ସାଲିଆସାହିକୁ ସର୍ଭେରୁ ବାଦ ଦିଆଯାଇଛି । ସାଲିଆ ସାହି ଜଙ୍ଗଲ ଜମିରେ ଥିବାରୁ ୨୦୧୭ ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନରେ ଜମି ଦିଆଯାଇ ପାରିବ ନାହିଁ ବୋଲି କୁହାଯାଉଛି । ଏଥିସହ ବସ୍ତି ଭିତରେ ୨ଶହ ଫୁଟର ରାସ୍ତା ନାମରେ ସର୍ଭେ କରାଯାଇ ବସ୍ତି ବାସିନ୍ଦାଙ୍କୁ ଟ୍ରାଂଜିଟ କ୍ୟାମ୍ପକୁ ଠେଲି ଦେବାକୁ ଚକ୍ରାନ୍ତ କରଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ସାଲିଆସାହି ବସ୍ତିବାସିନ୍ଦାଙ୍କୁ ୬ଶହ ବର୍ଗ ଫୁଟର ଜମିପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାକୁ ଦାବି କରିଛନ୍ତି । ତେବେ ନିୟମ ଅନୁସାରେ ସବୁକିଛି କରାଯାଉଛି ବୋଲି କହିଛନ୍ତି ବିଏମସି କମିସନର ।

ଭୁବନେଶ୍ୱରର ସବୁଠାରୁ ବଡ ବସ୍ତି ସାଲିଆ ସାହି । ଏହି ବସ୍ତିରେ ହଜାର ହଜାର ଲୋକ ରହୁଛନ୍ତି । ତେଣୁ ଆଗକୁ ନିର୍ବାଚନ ଥିବାରୁ, ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।