ବେଆଇନ ନିଶା କାରବାରର ପେଣ୍ଠସ୍ଥଳୀ ସାଲିଆ ସାହି। ଖୁଲମଖୁଲା ଚାଲୁଛି ଦେଶୀ ମଦ ପ୍ରସ୍ତୁତି

143

କନକ ବ୍ୟୁରୋ: ସାଲିଆ ସାହି । ବେଆଇନ ନିଶା କାରବାରର ପେଣ୍ଠସ୍ଥଳୀ । ନା ଅଛି ଲୋକ ଲଜ୍ୟା,ନା ଅଛି ଜେଲ୍ ଯିବାର ଭୟ । ଖୁଲମଖୁଲା ଚାଲୁଛି ଦେଶୀ ମଦ ପ୍ରସ୍ତୁତି । ଘର ଭିତରେ ଖୁଲମ ଖୁଲା ପ୍ରସ୍ତୁତ ହେଉଛି ଦେଶି ମଦ । ହାଣ୍ଡିଆଠୁ ଆରମ୍ଭ କରି ପୋଚ ପର୍ଯ୍ୟନ୍ତ,ସମସ୍ତ ପ୍ରକାର ବେଆଇନ ମଦର ପେଣ୍ଠସ୍ଥଳି ପାଲଟିଛି ଭୁବନେଶ୍ୱର ସ୍ଥିତ ସାଲିଆ ସାହି ବସ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶରେ ଆଜି ଅବକାରୀ ବିଭାଗ,ଫ୍ଲାଇଂ ସ୍କ୍ୱାର୍ଡ ଓ ମୈତ୍ରି ବିହାର ଥାନାର ମିଳିତ ଚଢାଉ ସମୟରେ ଏଠାରୁ ଜବତ ହୋଇଛି ପାଞ୍ଚ ହଜାର ଲିଟର ଦେଶୀ ମଦ ଓ ପୋଚ । ଏହି ମାମଲାରେ ୧୦ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯିବା ସହ ଜବତ ମଦକୁ ନଷ୍ଟ କରିଛି ଅବକାରୀ ବିଭାଗ ।

ନିୟମିତ ବ୍ୟବଧାନରେ କମିଶନରେଟ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ସାଲିଆ ସାହିରେ କରାଯାଉଛି ଚଢାଉ । ସବୁବେଳେ ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ଦେଶୀ ମଦ,ପୋଚ,ହାଣ୍ଡିଆ,ବ୍ରାଉନ ସୁଗାର ଜବତ କରାଯାଉଛି । ସମ୍ପୁୃକ୍ତ ଥିବା ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଉଛି । ହେଲେ ଏହାର କୌଣସି ପ୍ରଭାବ ସେମାଙ୍କ ଉପରେ ପଡୁଥିବାର ଦେଖିବାକୁ ମିଳୁନାହି । ଜେଲରୁ ଫେରି ସେମାନେ ପୁଣଥରେ ଆରମ୍ଭ କରିଦେଉଛନ୍ତି ସେଇ ସମାନ ବେପାର ।

ସାଲିଆ ସାହିରେ ରୁହନ୍ତି ପାଖାପାଖି ଦୁଇ ଲକ୍ଷ ଲୋକ । ଏହି ସାହି ଭିତରେ ଅଛି ପାଖାପାଖି ୫୦ଟି ବସ୍ତି । ଏଠାରେ ନିଶା କାରବାର ଓ ଅପରାଧକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ନିଆ ଯାଉଛି ଅନେକ ପଦକ୍ଷେପ । ବସ୍ତିକୁ ଚାଲ,ବସ୍ତି ମିତ୍ର ଭଳି ଅଭିଯାନ କରାଯାଉଛି । ହେଲେ ଏହା ବାଦ ମଧ୍ୟ ବେଧଡକ ନିଶା କାରବାର ଓ ଅପରାଧରେ ସଂଶ୍ଲିଷ୍ଟ ରହୁଛନ୍ତି ଏହି ସାହି ଲୋକ ଯାହାକି ବର୍ତମାନ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।