ମତ୍ସ୍ୟଜୀବୀଙ୍କୁ ରୋଜଗାର ଯୋଗାଇଛି ଗଂଜାମର ଶାଳିଆ ଡ଼୍ୟାମ୍ । ସରକାରଙ୍କ ପକ୍ଷରୁ ଡ଼୍ୟାମରେ ହେଉଛି ଜଳଙ୍ଗ ମାଛ ଚାଷ ।

364

କନକ ବ୍ୟୁରୋ: ଜୀବିକା ଯୋଗାଇଛି ଶାଳିଆ ଡ଼୍ୟାମ । ଗଂଜାମ ଜିଲ୍ଲାର ଶାଳିଆ ଡ଼୍ୟାମରେ ଗତ ୫ ବର୍ଷ ହେଲା ଜଳଙ୍ଗ ମାଛ ଚାଷ କରାଯାଉଛି । ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫୮ଟି କେଜରେ ଏହି ମାଛ ଚାଷ କରାଯାଉଛି । ୨୦୧୫-୧୬ରେ ଡ୍ୟାମର ମଧ୍ୟ ଭାଗରେ ୨୮ଟି ଭାସମାନ କେଜରେ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ ହୋଇଥିଲା । ଏବେ ପରବର୍ତୀ ସମୟରେ ଆଉ ୩୦ଟି କେଜରେ ମାଛ ଚାଷ କରାଯାଉଛି ।

ମାଛ କେଜକୁ ଜଗିବା ପାଇଁ ଶାଳିଆ ଡ୍ୟାମରେ ୩ଟି ଭାସମାନ ଘର କରାଯାଇଛି  । ନ୍ୟାସନାଲ  ମିଶନ ଫର ପ୍ରୋଟିନ ସପ୍ଲିମେଂଟ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ କରାଯାଇଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ଏକ ସୋସାଇଟ ଗଠନ କରାଯାଇଛି  । ୨୮ଟି କେଜକୁ ସମ୍ପୃକ୍ତ ସଂସ୍ଥା ତଦାରଖ କରୁଥିବା ବେଳେ ଅନ୍ୟ ୩୦ଟି କେଜକୁ ଇଫକୋ ନାମକ ଏକ ସଂସ୍ଥା ତଦାରଖ କରୁଛି । ଆଉ ଏବେ ଏହି ଜଳଙ୍ଗ ମାଛ ଚାଷ ଉପରେ ଏକ ଟିମ ଗବେଷଣା ଆରମ୍ଭ କରିଛି  ।

ଜଳଙ୍ଗ ମାଛକୁ କିଲୋ ପ୍ରତି ୭୦ରୁ ୮୦ ଟଙ୍କାରେ ବିକ୍ରି କରାଯାଉଛି । ବଜାରରେ ବ୍ୟବସାୟୀ ଏହାକୁ କିଲୋ ପ୍ରତି ୧୦୦ରୁ ୧୨୦ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ଜଳଙ୍ଗ ଯାଆଁଳ ଛାଡିବାର ୭ରୁ ୮ ମାସ ପରେ ଏହା ବିକ୍ରି ଉପଯୋଗୀ  ହୋଇଥାଏ । ଡ୍ୟାମ କୂଳରୁ ଡଙ୍ଗା ସାହାଯ୍ୟରେ କେଜକୁ ଯାଇ ମାଛଙ୍କୁ ଖାଦ୍ୟ ଦିଆଯାଏ । ସାଧାରଣତଃ ଶାଳିଆ ଡ୍ୟାମରେ ରୋହି, ଭାକୁର, ବାଉଁଶପାତି, କାଞ୍ଜିଆ, କଉ ଓ ବାଲିଆ ଆଦି ମାଛ ଚାଷ କରାଯାଉଥିବା ବେଳେ ଡ୍ୟାମର ଗଭୀର ଜଳରେ କେବଳ ଜଳଙ୍ଗ ମାଛ ଚାଷ କରାଯାଉଛି । ଆଉ ସରକାରଙ୍କ ଏହି ପଦକ୍ଷେପ ମାଛ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ବୃଦ୍ଧି କରଛି ।