ଲକ୍ଷେ ଟପିଲାଣି ବାଇକ୍ ଦାମ୍ । ବିଏସ-୬ ଏବଂ ଓବିଡି-୨ ଗାଡିର ଦାମ ୨୫% ବୃଦ୍ଧି । କମିବାରେ ଲାଗିଛି ଦୁଇ ଚକିଆ ଗାଡ଼ିର ବିକ୍ରି

580

କନକ ବ୍ୟୁରୋ: ଅଧିକାଂଶ ଦୁଇ ଚକିଆ ଗାଡିର ଦାମ ଲକ୍ଷେ ଟଙ୍କା ଟପିଲାଣି । ବିଶେଷକରି ବିଏସ-୬ ଏବଂ ଓବିଡି-୨ ଗାଡିର ଦାମ ୨୫% ବୃଦ୍ଧି ପାଇବା ପରେ ଗାଡିର ମୂଲ୍ୟ ବଢ଼ିଯାଇଛି । ଆଉ ଦାମ ବଢ଼ିବା ପରେ କମିବାରେ ଲାଗିଛି ଦୁଇ ଚକିଆ ଗାଡ଼ିର ବିକ୍ରି । ଅନ୍ୟପଟେ ମଧ୍ୟବିତ ପରିବାରଙ୍କ ମଧ୍ୟରେ କାର କିଣିବା ନେଇ ଆଗ୍ରହ ବଢ଼ୁଥିବା ସାମନାକୁ ଆସିଛି ।

  • ଲକ୍ଷେ ଟପିଲାଣି ବାଇକ୍ ଦାମ୍
  • କାର କଣିବାକୁ ବଢୁଛି ଆଗ୍ରହ

ଗରିବ ହୁଅନ୍ତୁ ଅବା ମଧ୍ୟବିତ୍ତ ପରିବାର, ଦୁଇ ଚକିଆ ଗାଡି ଉପରେ ଦୈନଦିନ କାର୍ଯ୍ୟ ନିର୍ଭର କରେ । କିନ୍ତୁ ଏହାରି ଭିତରେ ନୂଆ ଟେକ୍ନୋଲୋଜି ଓ ସରକାରଙ୍କ ନୂଆ ନିୟମ ପାଇଁ ଅପଗ୍ରେଡ ହେଉଛି ବାଇକ, ଆଉ ବଢିଛି ଦାମ୍ । ଯେତେବେଳେ ନୂଆ ବାଇକ ଦାମରୁ ଆଉ କିଛି ଅଧିକ ପଇସା ବାନ୍ଧିଲେ ପୁରୁଣା କାରଟେ ମିଳିଯାଉଛି । ଗୋଟିଏ ନୂଆ ବାଇକ କିଣିବାକୁ ହେଲେ ଦେବାକୁ ପଡୁଛି ଲକ୍ଷେ ଟଙ୍କାରୁ ଅଧିକ । ସେତିକିବେଳେ ଅଧିକାଂଶ ଲୋକେ ପ୍ରବଳ ଖରା ଓ ବର୍ଷା କଥା ଚିନ୍ତା କରି ବାଇକ କିଣିବା ଅପେକ୍ଷା ପୁରୁଣା ହେଉ ପଛେ ପରିବାର ପାଇଁ କାରଟିଏ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି ।

  • ଗାଡି କିଣିବାକୁ ବଜେଟ୍ ଉପରେ ପଡୁଛି ପ୍ରଭାବ
  • ବିଏସ- ୬ ଏବଂ ଓବିଡି-୨ ଗାଡିର ଦାମ ୨୫% ବୃଦ୍ଧି

ଟେକ୍ନୋଲୋଜିର ଚାହିଦା ଓ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଗାଡି ବଜାରକୁ ଆସୁଛି । ପୂର୍ବରୁ ଆସୁଥିବା ଗାଡି ତଳୁନାରେ ଏବେର ଗାଡିରେ ଅନେକ ସୁବିଧା ସୁଯୋଗ ରହିଛି । ଆଉ ସେପଟେ ଗାଡି ଧୂଆଁରେ କାର୍ବନ କମ୍ କରିବାକୁ ଯାଇ ନୂଆ ନୂଆ ଇଞ୍ଜିନର ଗାଡି ଆସୁଛି । ଯେଉଁଥିପାଇଁ ଗୋଟିଏ ବାଇକ କିଣିବାକୁ ହେଲେ ଲକ୍ଷେ ଟଙ୍କାରୁ ଅଧିକ ଦେବାକୁ ପଡୁଛି । ନୂଆ ଡାଟା ଅନୁସାରେ ବିଏସ-୬ ଏବଂ ଓବିଡି-୨ ଗାଡିର ଦାମ ଏବେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି ଓ ବାଇକ କିଣିବା ସଂଖ୍ୟା ମଧ୍ୟ କମିଛି ।

ନଜର ପକାନ୍ତୁ ୨୦୨୨ର ଦୁଇଚକିଆ ଗାଡି ବିକ୍ରି ରିପୋର୍ଟ ଉପରେ । ୧ କୋଟି ୩୪ ଲକ୍ଷ ୬୬ ହଜାର ୪୧୨ଟି ଦୁଇ ଚକିଆ ଗାଡି ସାରାଦେଶରେ ବିକ୍ରି ହୋଇଥିଲା । ଆଉ ୨୦୨୧ରେ ଏହା ଥିଲା ୧ କୋଟି ୪୮ ଲକ୍ଷ ୬ ହଜାର ୭୭୮ । ଅନ୍ୟପଟେ ପୂର୍ବରୁ ଗାଡି କିଣିଲେ ସୁଧ ହାର ୬ରୁ ୭ ପ୍ରତିଶତ ରହୁଥିଲା ଏବେ କିନ୍ତୁ ଏହା ୧୦ରୁ ୧୧ ପ୍ରତିଶତ ହୋଇଛି । ଯାହାକି ଦର ବୃଦ୍ଧିର ଅନ୍ୟତମ କାରଣ । ତେଣୁ ମହଙ୍ଗା ବାଇକ ଏବେ କାରଟିଏ ପ୍ରତି ଆଗ୍ରହ ବଢାଇ ଦେଇଥିବା କୁହାଯାଉଛି ।