ଜୀବନଯୁଦ୍ଧରେ ହାରିଗଲେ ସାଲେପରୁର କୁନି ଝିଅ । ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ୬ବର୍ଷର ନାବାଳିକା

78

କନକ ବ୍ୟୁରୋ: ୮ ଦିନ ତଳେ ସାଲେପୁରରେ ଦୁଷ୍କର୍ମ ଉଦ୍ୟମର ଶୀକାର ହୋଇ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲରେ ପହଂଚିଥିବା ୬ ବର୍ଷର କୁନି ଝିଅ ଶେଷରେ ଜୀବନଯୁଦ୍ଧରେ ହାରିଯାଇଛି । ଦୁଷ୍କର୍ମ ହୋଇଛି କି ନାହିଁ ସେନେଇ ସରକାରୀ ରିପୋର୍ଟ ଆସିବା ପୂର୍ବରୁ ଆଖି ବୁଜି ଦେଇଛି କୁନି ଝିଅ । ଅତି ଜଘନ୍ୟ ଭାବରେ ଦୁଷ୍କର୍ମ ଉଦ୍ୟମ କରି କ୍ଷତାକ୍ତ କରିଦେଇଥିଲେ ଦୁବୃର୍ତ୍ତ ।

ଗତ ଅପ୍ରେଲ ୨୧ ତାରିଖରେ ଏହି କାହାଣୀର ଏଭଳି ଦୁଃଖଦ ଅନ୍ତ ଘଟିବ ତାହା ବୋଧେ କେହି ଭାବି ନଥିଲେ । ୬ ବର୍ଷର ଏହି କୁନି ଝିଅକୁ ପରିବାର ଲୋକେ ହସ୍ପିଟାଲକୁ ଆଣିଥିଲେ ଅତି ଗୁରୁତର ଅବସ୍ଥାରେ । ଦେହସାରା ଖଣ୍ଡିଆ ଖାବରା ହୋଇ ରକ୍ତ ଝରୁଥିଲା, ମୁହଁକୁ ବାରମ୍ବାର ମୁଥ ମରାଯାଇଥିବାରୁ ସିଝି ଯାଇଥିଲା, ବେକକୁ ଜୋରରେ ଚିପି ଧରିବା ଫଳରେ ଭାଙ୍ଗିଯାଇଥିଲା ବେକହାଡ । ଏଭଳି ଦରମରା ଅବସ୍ଥାରେ ହସ୍ପିଟାଲକୁ ଧରି ଧାଇଁଥିଲେ ପରିବାର ଓ ପାଖ ପଡୋଶୀ । ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ଏହି କୁନିଝିଅ ।

ତେବେ କଟକ ଏସସିବି ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି ଶିଶୁଟିକୁ ଚିକିତ୍ସା କରୁଥିଲେ ଏକ ୧୩ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ । କିନ୍ତୁ ତାର ଶରୀରକୁ ଏତେ ସାଂଘାତିକ ଭାବରେ ଆକ୍ରମଣ କରାଯାଇଥିଲା ଯେ ବଡ଼ ଡ଼ାକ୍ତରଖାନାର ଚିକିତ୍ସା ବି କୁନି ଝିଅଟିକୁ ଆଉ ସ୍ୱାଭାବିକ ଅବସ୍ଥାକୁ ଆଣି ପାରିନଥିଲା । ଦୁଷ୍କର୍ମ ହୋଇଛି କି ନାହିଁ ତାର ରିପୋର୍ଟ ଆସିବା ପୂର୍ବରୁ ଆଖି ବୁଜି ଦେଲା ସାଲେପୁରର ଏହି କୁନି ଝିଅ ।