ଦାରୁପୀଠରେ ନିର୍ମାଣ ହୋଇପାରିନି ମନ୍ଦିର । ୧୯୯୬ରୁ ଖୋଲାମେଲାରେ ପୂଜା ପାଉଛନ୍ତି ଶ୍ରୀଜିଉ,ତଳେ ଅଛନ୍ତି ଦାରୁ ଦିଅଁ

227

କନକ ବ୍ୟୁରୋ : ଭଙ୍ଗା ଦଦରା ଘରଟିଏ । ଏହି ସ୍ଥାନଟିକୁ ଦେଖିଲେ ଆପଣମାନେ ଭାବୁଥିବେ ଏଠି ଏମିତି କଣ ଅଛି ଯେ, ଆଜି ଖବର ପାଲଟିଯାଇଛି । ହଁ ଆଜ୍ଞା ଏହି ସ୍ଥାନର ରହିଛି ଆଧ୍ୟାତ୍ମିକ ମହତ୍ୱ । ଦିନ ଏଠାରେ ଉଠିଥିବା ନିମ୍ବ ଗଛ ବଡଠାକୁର ବଳଭଦ୍ରଙ୍କ ଦାରୁ ଭାବେ ଚିହ୍ନଟ ହୋଇଥିଲା, ବଡଦେଉଳରେ ରତ୍ନସିଂହାସନରେ ପୂଜା ପାଉଥିଲା । ସେବେ ଠାରୁ ଏହି ଭଙ୍ଗା ଘରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ବିଗ୍ରହ । ମନ୍ଦିରର ଉନ୍ନତିକରଣ କରାଯାଉଛି । ସୌନ୍ଦର୍ଯ୍ୟକରଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ପ୍ରଶାସନର ନଜରକୁ ଆସୁନାହିଁ ସାଲେପୁର ନଡିଆମାଳର ଶୁଭଲକ୍ଷ୍ମୀଙ୍କ ବାଡି଼ରେ ଥିବା ବଳଭଦ୍ରଙ୍କ ଦାରୁପୀଠ ।

୧୯୯୬ରେ ନବକଳେବର ପାଇଁ ଶୁଭଲକ୍ଷ୍ମୀଙ୍କ ବାଡିରେ ବଳଭଦ୍ରଙ୍କ ଦାରୁ ଚିହ୍ନଟ ହୋଇଥିଲା । ସେବାୟତମାନେ ଦାରୁ ଚିହ୍ନଟ କରିବା ପରେ ହୋମଯଜ୍ଞ କରି ଦାରୁ ଛେଦନ କରିଥିଲେ । ଶଗଡ଼ ଗାଡିରେ ଦାରୁ ଯିବା ପରେ ବଳକା ଦାରୁରେ ଦାରୁ ଦିଅଁ ତିଆରି କରିଥିଲେ । ସେବେ ଠାରୁ ଏହି ଭଙ୍ଗା ଘରେ ତଳେ ଥୁଆ ହୋଇ ପୂଜା ପାଉଛନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ । ଆଉଏକ ଭଙ୍ଗା ଘରେ ରହୁଛନ୍ତି ଶୁଭଲକ୍ଷ୍ମୀ ଓ ତାଙ୍କ ଦୁଇ ପୁଅ । ସ୍ୱାମୀ, ବଡପୁଅ ଓ ବୋହୂଙ୍କ ଦେହାନ୍ତ ପରେ ବହୁ କଷ୍ଟରେ ରହୁଛନ୍ତି ଏହି ଅଭାବୀ ପରିବାର । ନିଜେ ରହିବା ଓ ପେଟପୁରା ଖାଇବାକୁ ପାଉନଥିବା ବେଳେ ଦିଅଁଙ୍କ ପୂଜାର୍ଚ୍ଚନା କରିବାରେ ଅସୁବିଧା ହେଉଥିବା ଦୁଃଖର ସହ କହିଛନ୍ତି ।

ଦାରୁ ଛେଦନ୍ ବଳେ ଶୁଭଲକ୍ଷ୍ମୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ସହ ବଳଭଦ୍ରଙ୍କ ଦାରୁ ପୀଠରେ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ । ହେଲେ ଆଜି ଯାଏଁ ଟଙ୍କାଟିଏ ସହାୟତା ଦିଆଯାଇ ନାହିଁ କି ମନ୍ଦିର ତୋଳା ଯାଇନାହିଁ ।