ବିଜେପି ଛାଡିଲେ, ଶଙ୍ଖ ଫୁଙ୍କିଲେ । ବିଜେଡିରେ ସାମିଲ ହେଲେ ସାଲେପୁର ନେତା ପ୍ରକାଶ ବେହେରା । ଏବେ ଚର୍ଚ୍ଚା, ପ୍ରଶାନ୍ତ ନା ପ୍ରକାଶ; କାହାକୁ ମିଳିବ ସାଲେପୁର ଟିକେଟ୍?

576

କନକ ବ୍ୟୁରୋ: ଶଙ୍ଖ ଫୁଙ୍କିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେବା ପରେ ବୁଧବାର ସେ ବିଜେଡିରେ ସାମିଲ ହେଇଛନ୍ତି । ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ସେ ଶଙ୍ଖ ଫୁଙ୍କିଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଜେନା, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଉପସ୍ଥିତି ପ୍ରକାଶ ବେହେରା ବୁଧବାର ବିଜେଡିରେ ସାମିଲ ହେଇଛନ୍ତି ।

ତେବେ ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହେବା ପରେ, ସାଲେପୁର ରାଜନୀତି ଏବେ ରୋଚକ ମୋଡ ନେଇଛି । ଏହି ଆସନରୁ ବିଜେଡି ଏବେ କାହାକୁ ଟିକେଟ୍ ଦେଉଛି ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା । କାହିଁକି ନା, କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଭିତରେ ଆସୁଥିବା ଏହି ବିଧାନସଭା କ୍ଷେତ୍ର ଏବେ ବିଜେଡି ଅଧୀନରେ ଅଛି । ୨୦୧୯ ସାଧାରଣ ନିର୍ବାଚନରେ ପ୍ରଶାନ୍ତ ବେହେରା ଏଠାରୁ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ । ତେଣୁ ଏଥର ବିଜେପି ଛାଡି ପ୍ରକାଶ ବିଜେଡିରେ ସାମିଲ ହେବା ପରେ, ଏବେ ପ୍ରଶାନ୍ତ ନା ପ୍ରକାଶ କାହାକୁ ସାଲେପୁର ଟିକେଟ୍ ମିଳୁଛି ତାହା ଆଲୋଚନାର ବିଷୟ ।ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରକାଶ ବେହେରା ବିଜେପି ଜିଲ୍ଲା ସଭାପତି ପଦ ଛାଡି ବିଜେଡିରେ ସାମିଲ ହେଇଛନ୍ତି । ଗତଥର ସେ ଏହି ଆସନରୁ ବିଜେପି ଟିକେଟରେ ଲଢି ପରାଜୟ ବରଣ କରିଥିଲେ । ଖାଲି ସେତିକି ନୁହେଁ, ସାଲେପୁର ରାଜନୀତିରେ ପ୍ରକାଶଙ୍କର ଭଲ ଜନ ସମର୍ଥନ ମଧ୍ୟ ରହିଛି । ତେଣୁ ତାଙ୍କୁ ପ୍ରାର୍ଥୀ କରି ସାଲେପୁର ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେଡି । ଅନ୍ୟପଟେ ବର୍ତ୍ତମାନ ବିଧାୟକ ଥିବା ପ୍ରଶାନ୍ତ ବେହେରା ମଧ୍ୟ ଟିକେଟ୍ ପାଇବାକୁ ଜୋରଦାର ଲବି ଚଳାଇଛନ୍ତି । ତେଣୁ ଏହି ଦୁଇ ନେତାଙ୍କ ଭିତରୁ କାହାକୁ ବିଜେଡି ସୁପ୍ରିମୋ ଭରସା କରୁଛନ୍ତି ତାହା ଏବେ ସବୁଠୁ ବଡ ପ୍ରଶ୍ନ ।

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢି ସାଲେପୁର ବିଧାୟକ ହେଇଥିଲେ ପ୍ରକାଶ ବେହେରା । ହେଲେ ଏହାପରେ ୨୦୧୯ ବେଳକୁ ସେ ପଟ୍ଟ ପରିବର୍ତ୍ତନ କରିବା ସହ ପଦ୍ମ ଶିବିରରେ ସାମିଲ ହେଇଥିଲେ । ୨୦୧୯ ନିର୍ବାଚନରେ ବିଜେପି ପ୍ରକାଶଙ୍କୁ ସାଲେପୁରରୁ ଟିକେଟ୍ ମଧ୍ୟ ଦେଇଥିଲା । ହେଲେ ପୂର୍ବ ଭଳି କିନ୍ତୁ ବିଜୟର ବାନା ଉଡାଇ ପାରିନଥିଲେ ପ୍ରକାଶ । ୨୦୧୯ରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ପାଖାପାଖି ୩୦ ହଜାରରୁ ଅଧିକ ଭୋଟରେ ସେ ପରାସ୍ତ ହେଇଥିଲେ । ଆଉ ଏବେ ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ । ଆଉ ନିର୍ବାଚନର ଠିକ୍ ପୂର୍ବରୁ ପୁଣିଥରେ ଦଳ ପରିବର୍ତ୍ତନ କରି ଶଙ୍ଖ ଫୁଙ୍କିଛନ୍ତି ପ୍ରକାଶ ବେହେରା । ତେଣୁ ଏଥର ନୂଆ ଦଳ, ତାଙ୍କ ପାଇଁ କେତେ ଶୁଭଙ୍କର ସାବ୍ୟସ୍ତ ହେଉଛି ତାହା ଦେଖିବାକୁ ବାକି ରହିଲା ।