ମାହାଙ୍ଗା ଡବଲ ମର୍ଡର ମାମଲା । ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ ।

445

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ କରିବାକୁ ନିର୍ଦ୍ଦେଶ । ସାଲେପୁର ଜେଏମଏଫସି କୋର୍ଟ ମାହାଙ୍ଗା ପୋଲିସକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ପୁଣିଥରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢିଛି ।

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ମୃତକ କୁଳମଣି ବରାଳଙ୍କ ପରିବାର ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଥିଲେ । ଏପରିକି ଥାନାରେ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ମନ୍ତ୍ରୀଙ୍କ ନାଁ ମଧ୍ୟ ଉଲ୍ଲେଖ ଥିଲା । କିନ୍ତୁ ପୋଲିସ ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା ସେଥିରେ ମନ୍ତ୍ରୀଙ୍କ ନାଁ ବାଦ୍ ଦିଆଯାଇଥିଲା । ପରେ ଏନେଇ କୁଳମଣିଙ୍କ ପରିବାର ଲୋକେ କୋର୍ଟରେ ପିଟିସନ ଦାଖଲ କରିଥିଲେ । ଆଉ ଏହାର ଶୁଣାଣି କରି ଆଜି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଗତ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ଡବଲ ମର୍ଡର ହୋଇଥିଲା । ଆଉ ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଦର୍ଶାଇ ରାସ୍ତାକୁ ଓହ୍ଲାଇଥିଲା ବିଜେପି । ସେତେବେଳେ ମୃତ କୁଳମଣିଙ୍କ ପରିବାର ପକ୍ଷରୁ ୧୪ ଜଣଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କର ମଧ୍ୟ ମାସକ ପରେ ମୃତ୍ୟୁ ହୋଇଥିଲା । ପ୍ରାଥମିକ ତଦନ୍ତ ପରେ ପୋଲିସ ପକ୍ଷରୁ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ କୁହାଯାଉଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିଜେପି ସଙ୍ଗୀନ ଅଭିଯୋଗ ଆଣିଥିଲା । ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ନେଇ ବିଜେପି ଅଭିଯୋଗ ବାଢିଥିଲା ।