୨୩ ବର୍ଷ ହେଲା ବନ୍ଦ ପଡିଛି ସାଲେପୁର ବାପୁଜୀ ଶୀତଳ ଭଣ୍ଡାର । ୨୦୦୧ ମସିହାରୁ ଲାଗୁନି ଚାଷୀଙ୍କ କାମରେ

46

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଵିଭିନ୍ନ ଯୋଜନା କରିଛନ୍ତି ସରକାର। ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ସେ ସବୁକୁ ସଂରକ୍ଷିତ କରି ରଖିବା ପାଇଁ ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର କୌଣସି ସୁବିଧା ନାହିଁ। ନୂତନ କଥା ତ ଛାଡ଼ନ୍ତୁ ପୁରାତନ ଶୀତଳ ଭଣ୍ଡାରର ମଧ୍ୟ ପୁନଃ ଉଦ୍ଧାର ହୋଇପାରୁନି। ବନ୍ଦ ହୋଇ କୋମାରେ ପଡ଼ିଛି କଟକ ସାଲେପୁର ବ୍ଲକ ବହୁ ଗ୍ରାମର ବାପୁଜି ସମବାୟ ଶୀତଳ ଭଣ୍ଡାର ଶୀତଳ ଭଣ୍ଡାର।

  • କୋମାରେ ଶୀତଳ ଭଣ୍ଡାର
  • ଚିନ୍ତାରେ ସାଲେପୁର ଚାଷୀ

ମହାତ୍ମାଗାନ୍ଧୀଙ୍କ ସ୍ମୃତିରେ ୧୯୩୬ରେ ସାଲେପୁର ବହୁ ଗ୍ରାମରେ ତିଆରି ହୋଇଥିଲା ବାପୁଜୀ ଶୀତଳ ଭଣ୍ଡାର । ୧୬ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ୨୩ ବର୍ଷ ହେଲା ବନ୍ଦ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ କୋଟିକୋଟି ଟଙ୍କାର ମେସିନ୍ ଖତ ଖାଉଛି । ଅନେକ ଯନ୍ତ୍ରାଂଶ ଚୋରି ହୋଇଗଲାଣି । କବାଟ ଝରକା ଉଈ ଖାଇ ଗଲାଣି, କାନ୍ଥରେ ଗଛଲତା ମାଡି଼ ଗଲାଣି । ଏବେ ଖାଲି ଯାହା ସ୍ମାରକୀ ଭାବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ବାପୁଜୀ ଶୀତଳ ଭଣ୍ଡାର ।

ଏହି ଶୀତଳ ଭଣ୍ଡାର ୩ ହଜାର ଚାଷୀଙ୍କ ଭରସାର କେନ୍ଦ୍ର ଥିଲା । ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ଟାଙ୍ଗୀ-ଚୌଦ୍ୱାରର ଚାଷୀ ଏଠାରେ ନିଜ ଅମଳ ପନିପରିବା ସଂରକ୍ଷିତ କରି ରଖୁଥିଲେ । ହେଲେ ୧୯୯୯ ମହାବାତ୍ୟା ପରେ ଏହାର ସ୍ଥିତି ସଂପୂର୍ଣ୍ଣ ଦୋହଲି ଯାଇଛି । ପ୍ରଥମେ ବିଜୁଳି ବିଲ୍ ନଦେବାରୁ ବନ୍ଦ ରହିଥିଲା । ପରେ ସରକାର ମଧ୍ୟ ଶୀତଳ ଭଣ୍ଡାରକୁ ସହାୟତା କଲେ ନାହିଁ, ତେଣୁ ୨୦୦୧ରୁ ଏହା ସଂପୂର୍ଣ୍ଣ ବନ୍ଦ ରହିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଶୀତଳ ଭଣ୍ଡାର ନଥିବାରୁ ମହାନଦୀର ଚିତ୍ରୋତ୍ପଳା ଓ ବିରୂପା ନଦୀର ତ୍ରିକୋଳଭୂମୀରେ ହେଉଥିବା ଚାଷର ପରିମାଣ କମି ଯାଇଛି । ସଂରକ୍ଷିତ କରି ରଖିବା ପାଇଁ ବ୍ୟବସ୍ଥା ନଥିବାରୁ ଚାଷୀ ବାରମ୍ବାର କ୍ଷତି ସହିବା ପରେ ଏବେ ଖୁବ୍ କମ୍ ଚାଷ କରୁଛନ୍ତି ।