କାହା ଦଖଲକୁ ଯିବ ସାଲେପୁର ସାମ୍ରାଜ୍ୟ । ପ୍ରକାଶଙ୍କ ପତିଆରା ଓ ରାଜନୈତିକ ଚକ୍ରବ୍ୟୁହର ଅଙ୍କକଷା ।

ଛନକା ଭରୁଛି ସାଲେପୁର ରାଜନୀତି । ବିଜେପିକୁ ଅଡୁଆ ଏକାଧିକ ଆଶାୟୀ, ଦ୍ୱନ୍ଦରେ ବିଜେଡି-କଂଗ୍ରେସ ।

206

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖାଉଛି ସେତେ ରାଜନୀତି ସରଗରମ ହେଉଛି । ବିଭିନ୍ନ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗୁଛି । ସେହିପରି ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି ସାଲେପୁର ରାଜନୀତି । କିଏ ଜିତିବ ସାଲେପୁର ବାଜି ତା’ ଏବେ ବିଜେଡି, କଂଗ୍ରେସ ପାଇଁ ଏହି ନିର୍ବାଚନ ମଣ୍ଡଳୀ ସମ୍ମାନର ପ୍ରଶ୍ନ ଭାବେ ଛିଡ଼ା ହୋଇଛି । କାରଣ କଂଗ୍ରେସ ବିଧାୟକ ପ୍ରକାଶ ବେହେରା କେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ତ ଆଉ କେତେବେଳେ ବିନା ଦଳୀୟ ଚିହ୍ନରେ ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କୁ ଦ୍ୱନ୍ଦରେ ପକାଉଛନ୍ତି । ହେଲେ କଂଗ୍ରେସରେ ତାଙ୍କ ସ୍ଥାନ ସୁରକ୍ଷିତ ଥିବା ଦଳୀୟ ଶିବିରରେ ଶୁଣିବାକୁ ମିଳୁଛି ।

କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେଡି ଯାଇପାରନ୍ତି ବୋଲି ତାଙ୍କ କାର୍ଯ୍ୟକଳାପରୁ ବାରି ହୋଇପଡୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଜାନୁଆରିରେ ‘ଆସନ୍ତୁ ଚାଲିବା ପଦଯାତ୍ରା କର୍ଯ୍ୟକ୍ରମ ଜରିଆରେ ପ୍ରକାଶ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ସେଥିରେ କଂଗ୍ରେସ ପତାକା, ଚିହ୍ନ କି ବରିଷ୍ଠ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳିନଥିଲା। ଅନେକ କଂଗ୍ରେସ କର୍ମୀ, ସାଲେପୁର ବ୍ଲକ୍ ଅଧ୍ୟକ୍ଷା ମଧ୍ୟ ପଦଯାତ୍ରାରେ ସାମିଲ ହୋଇଥିଲେ । ଏପରିକି ଦଶହରା, ନବବର୍ଷ ସବୁ ଶୁଭେଚ୍ଛା ବ୍ୟାନରେ ସେ କେବଳ ନିଜର ଫଟୋ ଲଗାଇଥିଲେ । କିନ୍ତୁ ସେଥିରେ ମଧ୍ୟ କଂଗ୍ରେସର କୌଣସି ଚିହ୍ନ ବା ଦଳୀୟ ନେତାଙ୍କ ଫଟୋ ମଧ୍ୟ ରଖିନଥିଲେ ।

ଦୀର୍ଘଦିନ ହେବ ପ୍ରକାଶ ବିଜେଡିକୁ ଯିବେ ବୋଲି ହେଉଥିବା ଚର୍ଚ୍ଚା ସଂପର୍କରେ କୌଣସି ସ୍ପଷ୍ଟ ଉତ୍ତର ଏଯାଏ ଦେଇନାହାନ୍ତି ପ୍ରକାଶ। ଯଦି ପ୍ରକାଶ ଏଭଳି ପଦକ୍ଷେପ ନିଅନ୍ତି ତେବେ କଂଗ୍ରେସ ଆଶାୟୀ ଲିଷ୍ଟରେ ଯୁବ ନେତା ବିଶେଶ୍ୱର ସ୍ୱାଇଁ ଏବଂ ପୁରୁଖା ନେତା ଗୁରୁପଦ ନନ୍ଦ ମଧ୍ୟରୁ ଜଣକୁ ଏଠାରୁ ଲଢ଼ିବାକୁ ଟିକେଟ୍ ପ୍ରଦାନ କରିପାରନ୍ତି କଂଗ୍ରେସ ହାଇକମାଣ୍ଡ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ତେବେ ଖୁବଶୀଘ୍ର ଟିକେଟ୍ କାହାକୁ ମିଳିବ ସେନେଇ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କଂଗ୍ରେସ ଶିବିରରେ ମନ୍ଥନ ଚାଲିଛି ।

ଅନ୍ୟପଟେ ୨୦୧୪ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ବିଜେଡିର ତୁଙ୍ଗ ନେତାଙ୍କ ଭରସାରେ ତାଙ୍କ ଅଭିଯାନ ଚଳାଇଛନ୍ତି । ବିଜେଡିରୁ ପ୍ରଶାନ୍ତ ଟିକେଟ୍ ପାଇବା ଏକପ୍ରକାର ସ୍ପଷ୍ଟ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ପ୍ରଶାନ୍ତଙ୍କ ବ୍ୟତୀତ ଯୁବନେତା ବିଶ୍ୱରଞ୍ଜନ ଖଟାଇ ମଧ୍ୟ ବିଜେଡିରୁ ଟିକେଟ୍ ପାଇବା ନେଇ ଜନ ସମର୍ଥନ ଗୋଟାଇବାରେ ଲାଗି ପଡ଼ିଛନ୍ତି । କଂଗ୍ରେସ ହାତରୁ ଏହି ନିର୍ବାଚନମଣ୍ଡଳୀକୁ ଛଡ଼ାଇ ଆଣିବା ପାଇଁ ଶାସକ ବିଜେଡି ମଧ୍ୟ ଗୋଟିଚାଳନା କରୁଥିବା ଅନ୍ଦର ମହଲରେ ଶୁଣିବାକୁ ମିଳୁଛି ।

ଏସବୁ ଭିତରେ କିନ୍ତୁ ବିଜେପିରୁ ଏହି ଆସନ ପାଇଁ ଅନେକ ଦାବିଦାର ରହିଛନ୍ତି । ବିଜେପିରେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିଚାଲିଛି । ବିଜେପିରୁ ଜିଲ୍ଲା ସଭାପତି ତଥା ୨୦୧୪ ନିର୍ବାଚନରେ ପ୍ରାର୍ଥୀ ଥିବା ଚୌଧୁରୀ ହେମନ୍ତ ସାହୁ, ରଶ୍ମିରଞ୍ଜନ ଲେଙ୍କା, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚ ଉପସଭାପତି ସତ୍ୟବାଦୀ ଚଇନି, କୁଞ୍ଜମୋହନ ସେଠୀ, ଦୁର୍ଯ୍ୟୋଧନ ଲେଙ୍କା, ସରୋଜ ନାୟକ, ପୂର୍ବତନ ବିଧାୟକ ରାଜୁ ରାମଙ୍କ ପୁଅ ବାବୁପ୍ରିୟ ରଘୁପତି ରାମ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି । ହେଲେ ବିଜେପିର ଏହି ଲମ୍ବା ତାଲିକାକୁ ନେଇ ଏବେ କାହାକୁ ଟିକେଟ୍ ଦିଆଯିବ ଏବଂ କାହାକୁ ଅନ୍ୟ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରାଯାଇ ପାରିବ ସେନେଇ ଅଙ୍କ କଷା ଚାଲିଛି ।