କୁନି ଭୋକିଲା ପେଟ ଆଗରେ ତୁଚ୍ଛ ହେଲା ସୁନ୍ଦରତା : ଭୋକ ପେଟକୁ ଦାନା ଯୋଗାଡିବା ପାଇଁ ମୁଣ୍ଡର ଚୁଟିକୁ ୧୫୦ ଟଙ୍କାରେ ବିକିଲା ବିଧବା ମା’ । 

1,824

ଜଣେ ନାରୀ ଯେତେ ନିର୍ଯାତନା ଦିଅ ସହିଯିବ କିନ୍ତୁ ତା’ ଭୋକିଲା ଛୁଆର କାନ୍ଦକୁ କେବେ ସହିପାରିବ ନାହିଁ । ଆଉ ଏ କଥା ବି ସତ ଯେ ପେଟରେ ଯେତେବେଳେ ଭୋକ ଥାଏ ମଣିଷ ସୁନ୍ଦରତାକୁ ତୁଚ୍ଛ ମଣେ । ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର ସଲେମ୍ ସହରରେ । ଏଠାରେ ରହୁଥିବା ୩୧ ବର୍ଷୀୟା ପ୍ରେମା ନିଜ ଘନକେଶକୁ ୧୫୦ ଟଙ୍କାରେ ବିକି ଛୁଆଙ୍କୁ ଖାଦ୍ୟ ଖୁଆଇଛନ୍ତି । ତିନି ଛୁଆ ଏବଂ ସ୍ୱାମୀଙ୍କୁ ନେଇ ଥିଲା ତାଙ୍କର ପରିବାର । କିନ୍ତୁ କରଜର ବୋଝକୁ ଶୁଝିନପାରି ସ୍ୱାମୀ ୭ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ । ସ୍ୱାମୀ ଯିବା ପରେ ପରିବାରର ଅବସ୍ଥା ଶୋଚନୀୟରୁ ଆହୁରି ଖରାପ ହୋଇପଡିଲା । ଏମିତିକି ୨ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡିଲା । ପିଲାଙ୍କୁ ଖାଇବାକୁ ଦେବା ପାଇଁ ପ୍ରେମା ଶେଷରେ ନିଜ ଘନକେଶକୁ ବିକ୍ରି କରିବାକୁ ବାଧ୍ୟ ହେଲେ । ଶୁକ୍ରବାର ପ୍ରେମା ପିଲାଙ୍କୁ ଖୁଆଇବା ପାଇଁ ପଡୋଶୀ ତଥା ସଂପର୍କୀୟଙ୍କୁ ଟଙ୍କା ଧାର ମାଗିଥିଲେ କିନ୍ତୁ ଶୁକ୍ରବାର ଟଙ୍କା ଧାରକୁ ଅଶୁଭ ମାନି କେହି ତାଙ୍କୁ ଟଙ୍କା ଦେଲେନାହିଁ । ସେହି ସମୟରେ ଜଣେ ବ୍ୟକ୍ତି ସେଠାରୁ ଯାଉଥଲେ ଏବଂ ତାଙ୍କୁ ଟଙ୍କା ଦେବା କଥା ମଧ୍ୟ କହିଲେ । କିନ୍ତୁ ଏହା ପରିବର୍ତ୍ତେ ତାଙ୍କ ଲମ୍ବା କେଶ ୱିଗ୍ ପ୍ରସ୍ତୁତ କରିବା ପାଇଁ କାଟିବାକୁ କହିଥିଲେ । ଏହି କଥା ଶୁଣିବା ପରେ ପ୍ରେମା ତାଙ୍କ ଲଣ୍ଡା ହୋଇ ସବୁ ଚୁଟିକୁ ୧୫୦ ଟଙ୍କାରେ ବ୍ୟକ୍ତି ଜଣଙ୍କୁ ବିକ୍ରି କରିଦେଲେ । ୧୦୦ ଟଙ୍କାର ଖାଦ୍ୟ କିଣିବା ପରେ ୫୦ ଟଙ୍କାର କୀଟନାଶକ ଔଷଧ କିଣିବାକୁ ଯାଇଥିବା ପ୍ରେମାଙ୍କୁ ଔଷଧ ଦୋକାନୀ ସନ୍ଦେହ କରି କୀଟନାଶକ ଦେବାକୁ ମନା କରିଦେଇଥିଲା । ପାଖ ଦୋକାନରେ ଥିବା ଗ୍ରାଫିକ୍ସ ଡିଜାଇନର୍ ବାଲାଙ୍କୁ ଯେତେବେଳେ ଏହି କଥା ଜଣାପଡିଲା ସେ ସୋସିଆଲ୍ ମିଡିଆରେ ସାହାଯ୍ୟ ପାଇଁ କ୍ରାଉଡ୍ ଫଣ୍ଡିଙ୍ଗ୍ ନାମକ ଏକ ପେଜ୍ ପ୍ରସ୍ତୁତ କଲେ । ଏହି ଘଟଣାର ଏକ ସପ୍ତାହ ପରେ ପ୍ରେମାଙ୍କ ଜୀବନ ସମ୍ପୁର୍ଣ୍ଣ ରୁପେ ପରିବର୍ତ୍ତନ ହୋଇଯାଇଛି । ସମାଜର କିଛି ଉଦାର ଲୋକଙ୍କ ଯୋଗୁଁ ଏହି ଅସହାୟ ବିଧବା ମହିଳାଙ୍କ ପାଖରେ ୧.୪୫ ଲକ୍ଷ ଟଙ୍କାର ସାହାଯ୍ୟ ମିଳିପାରିିଛି । ଗୋଟିଏ ଇଟା ଭାଟିରେ କାମ କରିବାର ସୁଯୋଗ ମିଳିଛି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସିକ ବିଧବା ଭତ୍ତା ମଧ୍ୟ ମିଳିଛି ।

ପ୍ରେମାଙ୍କ ଆତ୍ମବିଶ୍ୱାସ ଏବେ ଏତେ ବଢିଯାଇଛି ଯେ ସେ ବାଲାଙ୍କୁ ଫେସବୁକ୍ ରେ ସାହାଯ୍ୟ ମାଗିବାକୁ ମନା କରିଛନ୍ତି । ରୋଜଗାର କରି ପିଲାଙ୍କୁ ଉଚ୍ଚଶିକ୍ଷା ଦେଇ ଅଭାବ ଏବଂ ଦାରିଦ୍ର୍ୟରୁ ଦୂର କରିବାକୁ ଚାହୁଁଛନ୍ତି । ଅସହାୟ ସମୟରେ ଯେଉଁମାନେ ତାଙ୍କୁ ସାହାଯ୍ୟ କରିଛନ୍ତି ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।  

ଫେସବୁକ୍ ରେ ପେଜ୍ ପ୍ରସ୍ତୁତ କରିଥିବା ବାଲାଙ୍କ କାହାଣୀ ମଧ୍ୟ ଲୋକଙ୍କ ହୃଦୟକୁ ଖୁବ୍ ଛୁଇଁଥିଲା । ସେ ଲେଖିଥିଲେ , ବାଲ୍ୟକାଳରେ ସେ ମଧ୍ୟ ଦାରିଦ୍ର୍ୟତାକୁ ନିକଟରୁ ଦେଖି ଆସିଥିଲେ । ତାଙ୍କ ମା’ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଂପର୍କୀୟମାନେ ତାଙ୍କୁ ଏଥିରୁ ବଂଚାଇ ଦେଇଥିଲେ । ବାଲା ଏହି କଥା ପ୍ରେମା ନିଜ କାର୍ ରେ ବସାଇ ତାଙ୍କୁ ବୁଝାଇ କହିଥିଲେ ଯେ , ଯଦି ମୋ ମା’ ସେଦିନ ଆତ୍ମହତ୍ୟା କରିଥାନ୍ତେ , ତେବେ ତୁମେ ଆଜି ମୋ କାରରେ ବସିପାରିନଥାନ୍ତ ।