ଏ ଯୁଗର ଭକ୍ତ ସାଲବେଗ ଅଫତାବ ହୁସେନ। ଇଟାମାଟି ଗାଁରେ ଆୟୋଜନ କରୁଛନ୍ତି ମହାପ୍ରଭୁଙ୍କ ରଥଯାତ୍ରା। 

207

କନକ ବ୍ୟୁରୋ:  ଜଗତର ନାଥ ଜଗନ୍ନାଥ, କେବଳ ହିନ୍ଦୁ ଧର୍ମ ଭିତରେ ସୀମିତ ହୋଇ ରହିନାହାନ୍ତି । ସମସ୍ତଙ୍କ ଠାକୁର ହେଉଛନ୍ତି ଜଗନ୍ନାଥ । ଭକ୍ତ ସାଲବେଗଙ୍କ ଭଳି ଜଗନ୍ନାଥଙ୍କ ଭକ୍ତ ହେଉଛନ୍ତି ନୟାଗଡର ଅଫତାବ ହୁସେନ୍ । ଅଫତାବ ନିଜ ଗାଁ ନୟାଗଡ଼ ଇଟାମାଟିରେ ରଥଯାତ୍ରା ଆୟୋଜନ କରିଛନ୍ତି । ମୁସଲିମ୍ ସମ୍ପ୍ରଦାୟର ହୋଇଥିଲେ ବି ଜଗନ୍ନାଥଙ୍କ ଭକ୍ତ ଅଫତାବ, ରୀତିନୀତିରେ ରଥଯାତ୍ରା ପାଳନ କରିଛନ୍ତି ।  ସବୁ ପ୍ରକାର ସାହାଯ୍ୟ ସମର୍ଥନ ଯୋଗାଇଛନ୍ତି ତାଙ୍କ ପରିବାର ଓ ଗ୍ରାମବାସୀ । ପରମ୍ପରା ଅନୁଯାୟୀ ପୂଜାବିଧି ସହ ନୀତିକାନ୍ତି ସମ୍ପନ୍ନ କରାଇଛନ୍ତି ନିଜେ ଅଫତାବ । ଏଥିରେ ସାମିଲ ହୋଇଛନ୍ତି ଜଗନ୍ନାଥ ପ୍ରେମୀ । ୧୦ ବର୍ଷ ହେଲା ରଥଯାତ୍ରା ପାଳନ କରି ଆସୁଛନ୍ତି ଜଗନ୍ନାଥଙ୍କ ପରମ ଭକ୍ତ ଅଫତାବ ।

ଏପରି କରି ସେ ଧର୍ମନିରପେକ୍ଷତାର ଅନନ୍ୟ ଉଦାହରଣ ପାଲଟିଛନ୍ତି । ୨୦୨୦ରେ କରୋନା କାରଣରୁ ରଥଯାତ୍ରା ହେବ କି ନାହିଁ ସେନେଇ ଅଚଳବସ୍ଥା ଲାଗି ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ  ଦ୍ୱାରସ୍ତ ହୋଇଥିଲେ ଅଫତାବ । ଆବେଦନର ଶୁଣାଣି କରି ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ଏହା ପରେ ତାଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।